ବଗିଚାରେ ଗୋଲାପ ଫୁଲ ଫୁଟି ମଉଳୁଛି: ଚିନ୍ତାରେ ମହିଳା ଚାଷୀ ସୁସ୍ମିତା

Advertisment
ବଗିଚାରେ ଗୋଲାପ ଫୁଲ ଫୁଟି ମଉଳୁଛି: ଚିନ୍ତାରେ ମହିଳା ଚାଷୀ ସୁସ୍ମିତା

ଜୟପୁର: ଗତ ଦେଢ଼ ବର୍ଷ ହେବ କରୋନା ପାଇଁ ସବୁ ଶ୍ରେଣୀ, ସବୁ ବର୍ଗର ଲୋକେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ହେଲେ ଦିନ ମଜୁରିଆଙ୍କ ଠାରୁ ନେଇ ସବୁ ବର୍ଗର ଲୋକଙ୍କ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ହେଲେ ଚାଷୀଙ୍କ ପାଇଁ କିଛି ଯୋଜନା କରିନଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ଗତ ଦେଢ଼ ବର୍ଷ ହେବ ଫୁଲ ଚାଷୀ ବେଶି ମାତ୍ରାରେ ପ୍ରଭାବିତ ହୋଇଛନ୍ତି। ପୂର୍ବଭଳି ବିବାହ, ବ୍ରତ, ଜନ୍ମଦିନ , ସଭା, ସମିତି ଆଦି ଆଉ ହେଉନି। ଏହା ଫଳରେ ଫୁଲ ଉଚିତ୍ ଦରରେ ବିକ୍ରି ହୋଇ ପାରୁନାହିଁ । ପନି ପରିବା  ପରି ଫୁଲ ବି ଏବେ ବଗିଚାରେ ଫୁଟି ମଉଳି ନଷ୍ଟ ହେଉଛି। ଏହାର ବେଶି ପ୍ରଭାବ ଏବେ ଫୁଲ ଚାଷୀଙ୍କ ଉପରେ ପଡିଛି ବୋଲି କହିଛନ୍ତି କୋରାପୁଟ ଜିଲାର ଏକମାତ୍ର ଗୋଲାପ ଫୁଲ ଚାଷୀ ବି. ସୁସ୍ମିତା। ଆଖି ଆଗରେ ଫୁଲ ଗୁଡିକ ଫୁଟି ମଉଳୁଛି। ଆଖିରେ ପାଣି ବଦଳରେ ରକ୍ତ ବୋହୁଛି ବୋଲି କହିଛନ୍ତି ସୁସ୍ମିତା। ଏବେ ଏହାକୁ ଦେଖି ଚିନ୍ତାରେ ପଡିଛନ୍ତି ମହିଳା ଚାଷୀ। ବ୍ୟାଙ୍କରୁ ଆଣି ଥିବା ଋଣକୁ କିଭଳି ସୁଝିୁବେ ସେ ଚିନ୍ତାରେ ପଡ଼ିଛନ୍ତି ସୁସ୍ମିତା।

publive-image

ସ୍ଥାନୀୟ ଜୟପୁର ବ୍ଲକର ରଣ୍ଡାପାଲ୍ଲୀ ଗାଁର ବି.ସୁସ୍ମିତା।  ଜାତୀୟ ଉଦ୍ୟାନ ବୋର୍ଡର ଏକ ଯୋଜନାରେ ବ୍ୟାଙ୍କରୁ ଋଣ ଆଣି ପଲିହାଉସ ମାଧ୍ୟମରେ ୩ ବର୍ଷ ତଳୁ ଏକର ଜମିରେ ଡଚ୍  ରୋଜ( ଲାଲ) ରଙ୍ଗର ଗୋଲାପ ଫୁଲ  ଚାଷ କରୁଛନ୍ତି ସୁସ୍ମିତା।  ଆଉ ହଜାରରୁ ୧୨୦୦ ଡଚ  ରୋଜ( ଲାଲ) ରଙ୍ଗର ଗୋଲାପ ଫୁଲ ଦିନକୁ ସଂଗ୍ରହ କରନ୍ତି। ଆଉ ସେହି ସବୁ ଫୁଲକୁ ପ୍ୟାକିଂ କରି ଭୁବନେଶ୍ୱର, କଟକ,ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ବରଗଡ଼, ବିଶାଖାପାଟଣା ଆଦି ସହରକୁ ବିକ୍ରି ପାଇଁ ବିଭିନ୍ନ ଦ୍ରୁତଗାମୀ ଏକ୍ସପ୍ରେସ ବସ ଗୁଡିକରେ ପଠାଇବା ସହ ସ୍ଥାନୀୟ ଜୟପୁର , ନବରଙ୍ଗପୁର ଆଦି ବଜାରରେ ବି ବିକ୍ରୀ କରୁଥିଲେ। ଗୋଟିଏ ଫୁଲକୁ ୪ଟଙ୍କାରେ ବିକ୍ରି କରୁଥିବା ଏହି ସଫଳ ମହିଳା ଚାଷୀ ଗୋଲାପ ଫୁଲ ଚାଷ କରି ନିଜେ ସ୍ବାବଲମ୍ବୀ ହେବା ସହ ଅନେକ ଯୁବକ ଓ ଯୁବତୀଙ୍କୁ ଦେଇଛନ୍ତି ନିଯୁକ୍ତି। ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରିବା ସହ ନିଜ ଗାଁର ୫ ଜଣଙ୍କୁ ରୋଜଗାରକ୍ଷମ କରାଇଛନ୍ତି। ଅଳ୍ପଦିନ ଭତରେ ଜଣେ ସଫଳ ଚାଷୀର ମାନ୍ୟତା ପାଇଥିବା ସୁସ୍ମିତାଙ୍କ  ମୁଣ୍ଡରେ ଏବେ ଚଡକ ପଡିଯାଇଛି ।

ଭୂତାଣୁ କଟକଣା ଯୋଗୁଁ ସ୍ଥାନୀୟ କିମ୍ବା ବହାର ବଜାରକୁ  ପହଂଚୁନି ଫୁଲ। ଏହି ଋତୁ ରେ ଅଧିକା ବିବାହ, ବ୍ରତ, ଜାନି ଯାତ୍ରା, ପୂଜା  ଆଦି ଥିବାରୁ ଅଧିକା ଗୋଲାପ ଫୁଲ ପୁଟାଇ ବଜାରେ ବିକ୍ରୀ କରିବା ଆଶାରେ ଫୁଲ ଚାଷ ଆରମ୍ଭ କରିଥିଲେ। ତେବେ ସାମାନ୍ୟ ସ୍ବାଭାବିକ ହେବା ପରେ ଧିରେ ଧିରେ ବେପାର ଠିକେ ଜମୁଥିଲା। ତେବେ ପୁଣି ଦ୍ବିତୀୟ ପର୍ଯ୍ୟାୟ କରୋନା ତାଙ୍କ ଅଣ୍ଟା ଭାଙ୍ଗି ଦେଇଛି। ଏହା ସାଙ୍ଗକୁ ଏବେ ଆଉ ଦୁଇ ଦିନ ପରେ ପୁଣି ଲକଡାଉନ୍ ଆରମ୍ଭ ହେବାକୁ ଥିବାରୁ ଚିନ୍ତାରେ ପଡ଼ିଛନ୍ତି ସୁସ୍ମିତା। ଏବେ ଗୋଟିଏ ବି ଗୋଲାପ ଫୁଲ ଏବେ ତୋଳା ହେଉନି। ଅନ୍ୟପକ୍ଷରେ କାମ କରୁଥିବା ଶ୍ରମିକ ମାନଙ୍କର ମଜୁରୀ ଦେବାକୁ ପଡୁଛି।

କରୋନା ଯୋଗୁଁ ସବୁ କିଛି ପ୍ରଭାବିତ ହୋଇଛି । ହେଲେ ଭୂତାଣୁ ମୁହଁରୁ ଜୀବନ ବଂଚାଇବା ପାଇଁ ସରକାରୀଙ୍କ ଉଦ୍ୟମକୁ ମଧ୍ୟ ଲୋକେ ମାନୁଛନ୍ତି । କିନ୍ତୁ ଏଥିପାଇଁ ଚାଷୀକୂଳକୁ ବହୁ ମୂଲ୍ୟ ଦେବାକୁ ପଡୁଛି । ତେଣୁ ଏହି ଫୁଲଚାଷୀଙ୍କ ପାଇଁ ସରକାର କିଛି ସହଯୋଗ କରିବାକୁ ମହିଳା ଚାଷୀ ସସ୍ମିତା ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe