Image Courtesy of Deccan Herald
ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ କରମରି ଗ୍ରାମରେ ଜଣେ ଦଶମ ଶ୍ରେଣୀର ଛାତ୍ର ଘରେ ଶୋଇଥିବା ବେଳେ ହଠାତ ଏକ ବିଷାକ୍ତ ସାପ କାମୁଡି ଦେବା ଯୋଗୁଁ ମୃତ୍ୟୁ ହୋଇ ଥିବା ଜଣାପଡିଛି। ସୂଚନା ଅନୁଯାୟୀ, କରମରି ଗ୍ରାମର ଯଦୁ ପନକାଙ୍କ ଦ୍ଵିତୀୟ ପୁତ୍ର ଦୁର୍ଯ୍ୟୋଧନ ପନକା (୧୬) ସବୁ ଦିନ ଭଳି ସୋମବାର ରାତିରେ ଖାଇ ଶୋଇଥିଲେ। ତେବେ ରାତ୍ର ପ୍ରାୟ ଏକଟା ସମୟରେ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ବିଷାକ୍ତ ସାପ କାମୁଡିବା ପରେ ଦୁର୍ଯ୍ୟୋଧନ ପାଟି କରି ପରିବାର ଲୋକଙ୍କୁ କହିଥିଲେ।ପରିବାର ଲୋକ ତୁରନ୍ତ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରିଥିଲେ। ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପରେ ଦୁର୍ଯ୍ୟୋଧନଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ଯୋଗୁଁ ତୁରନ୍ତ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ।
ପରିବାର ଲୋକ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଯିବା ସମୟରେ ଡାବୁଗାଁ ଠାରେ ଦୁର୍ଯ୍ୟୋଧନଙ୍କ ସ୍ୱାସ୍ଥ୍ୟବସ୍ଥା ଜଟିଳ ହେବା ଯୋଗୁଁ ଡ଼ାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଦୁର୍ଯ୍ୟୋଧନଙ୍କୁ ମୃତ ଘୋଷଣା କରିଥିଲେ। ସେଠାରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପରେ କରମରି ଗ୍ରାମ ମର ଶରୀର ଆସିବା ପରେ ଗ୍ରାମ ଶ୍ୱଶାନରେ ଶେଷକୃତ ସମ୍ପନ ହୋଇଥିଲା।ଦୁର୍ଯ୍ୟୋଧନ କୁସୁମୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ। ସେ ଜଣେ ମେଧାବୀ ଛାତ୍ର ମଧ୍ୟ ଥିଲେ। ମୃତ୍ୟୁ ଖବର ପ୍ରସାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା।
Follow Us