ମହଙ୍ଗା ପଡ଼ିଲା ଅପରାଜିତାଙ୍କୁ ସମର୍ଥନ ଓ ଦଳ ବିରୋଧୀ ମନ୍ତବ୍ୟ! ଦାୟିତ୍ବରୁ ହଟିଲେ ଯୁବ ଓ କୃଷକ ମୋର୍ଚ୍ଚା ସଭାପତି

ମହଙ୍ଗା ପଡ଼ିଲା ଅପରାଜିତାଙ୍କୁ ସମର୍ଥନ ଓ ଦଳ ବିରୋଧୀ ମନ୍ତବ୍ୟ! ଦାୟିତ୍ବରୁ ହଟିଲେ ଯୁବ ଓ କୃଷକ ମୋର୍ଚ୍ଚା ସଭାପତି

Sambad

ରାୟଗଡ଼ା: ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ବିଜେପି ରାୟଗଡ଼ା ଜିଲ୍ଲା କମିଟିର ଦୁଇ ସଭାପତିଙ୍କ ବିରୁଦ୍ଧରେ ହୋଇଛି କାର୍ଯ୍ୟାନୁଷ୍ଠାନ। ବିଜେପି କୋର୍ କମିଟିର ନିଷ୍ପତ୍ତିକ୍ରମେ ରାୟଗଡ଼ା ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଦେବାଶିଷ ପଣ୍ଡା ଓ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରେମ ପ୍ରସାଦ ପଣ୍ଡାଙ୍କୁ ସଭାପତି ପଦବିରୁ ହଟାଇ ଦିଆଯାଇଛି। ଏ ନେଇ ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ। ବିଜେପି ନୀତି ଓ ନିଷ୍ପତ୍ତି ବିରୁଦ୍ଧରେ ଯାଇ ଯୁବ ଓ କୃଷକ ମୋର୍ଚ୍ଚା ସଭାପତି କାର୍ଯ୍ୟ କରୁଥିବାରୁ ଦାୟିତ୍ବରୁ ହଟିଥିବା ଜଣା ପଡିଛି।

କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଗସ୍ତ ସମୟରେ ଜିଲ୍ଲା କମିଟିର ଅଗୋଚରରେ ବିଜେପି ଯୁବ ମୋର୍ଚ୍ଚାର ଏକ ଟିମ୍ ଭୁବନେଶ୍ବର ଯାଇ ମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ଏଥି ସହିତ କେନ୍ଦ୍ର ମନ୍ତ୍ରୀଙ୍କ ଗସ୍ତ ସମୟରେ ସୋସିଆଲ୍ ମିଡ଼ିଆରେ ବିଭିନ୍ନ ପ୍ରକାର କଟୁ ମନ୍ତବ୍ୟ ପୋଷ୍ଟ କରିଥିଲେ। ଯାହାକୁ ଦଳକୁ ବେଶ୍ କ୍ଷତି ପହଞ୍ଚାଇଛି। ଅନ୍ୟପକ୍ଷରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ରାୟଗଡ଼ା ଗସ୍ତ ସମୟରେ ମଧ୍ୟ ଯୁବ ଓ କୃଷକ ମୋର୍ଚ୍ଚା ଟିମ୍ ଦଳୀୟ ହୁଇପ୍‌କୁ ଅବମାନନା କରି ଭିତିରିଆ ଭାବେ ସମର୍ଥନ କରିଥିଲେ। ୪ ଓ ୫ ତାରିଖ ଦୁଇ ଦିନିଆ ଗସ୍ତରେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ତଥା ଭୁବନେଶ୍ବର ସାଂସଦ ଶ୍ରୀମତି ଷଡଙ୍ଗୀ ରାୟଗଡ଼ା ଗସ୍ତରେ ଆସିଥିଲେ। ତେବେ ସାଂସଦ ଦଳୀୟ ଫୋରମରେ ଆସିନଥିବାରୁ କୌଣସି ବିଜେପି ନେତା କିମ୍ବା କର୍ମୀ ଅପରାଜିତାଙ୍କ କାର୍ଯ୍ୟକ୍ରମକୁ ନ ଯିବା ପାଇ ରାଜ୍ୟରୁ ନିର୍ଦେଶ ଥିଲା। ବିଶ୍ବ ହିନ୍ଦୁ ପରିଷଦ ଜିଲ୍ଲା ଶାଖା ପକ୍ଷରୁ ଅପରାଜିତାଙ୍କୁ ସ୍ବାଗତ କରାଯାଇ ବାଇକ୍ ରାଲି ଓ ପଦଯାତ୍ରାର ଆୟୋଜନ କରାଯାଇଥିଲା। ଯାହାକୁ ଭିତିରିଆ ଭାବେ ସମର୍ଥନ କରିଥିଲା ବିଜେପି ଯୁବ ମୋର୍ଚ୍ଚା। ଯଦିଓ ସାଂସଦଙ୍କ କାର୍ଯ୍ୟକ୍ରମକୁ ଯୁବ ମୋର୍ଚ୍ଚା ସଭାପତି ଯାଇନଥିଲେ କିନ୍ତୁ ମୋର୍ଚ୍ଚାର ପଦ ପଦବିରେ ଥିବା କିଛି ଯୁବ ନେତା ଓ କର୍ମୀ ଯାଇଥିବା ନେଇ ଅଭିଯୋଗ ହୋଇଥିଲା।

publive-image Sambad

ସେହିପରି ସାଂସଦଙ୍କ ଦୁଇ ଦିନିଆ ଗୁଣପୁର କାର୍ଯ୍ୟକ୍ରମରେ ମଧ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପଣ୍ଡା ଭିତିରିଆ ଭାବେ ସମର୍ଥନ କରିଥିବା ନେଇ ଦଳୀୟ କୋର୍ କମିଟି ନିକଟରେ ଅଭିଯୋଗ ପହଞ୍ଚିଥିଲା। ଉଭୟ ଅଭିଯୋଗର ସମୀକ୍ଷା କରି କୋର୍ କମିଟିର ନିଷ୍ପତ୍ତିକ୍ରମେ ଆଜି ଜିଲ୍ଲା ସଭାପତି ଶ୍ରୀ ପଟ୍ଟନାୟକ ଯୁବ ଓ କୃଷକ ମ‌ୋର୍ଚ୍ଚା ସଭାପତିଙ୍କୁ ଦାୟିତ୍ବରୁ ହଟାଇ ଦେଇଛନ୍ତି। ପରବର୍ତ୍ତୀ ସମୟରେ ଦଳର ନିଷ୍ପତ୍ତିକ୍ରମେ ଅନ୍ୟ ପଦକ୍ଷେପ ସଂପର୍କରେ ବିଚାର କରାଯିବ ବୋଲି କହିଛନ୍ତି ଜିଲ୍ଲା ସଭାପତି ଶ୍ରୀ ପଟ୍ଟନାୟକ। ୨୦୧୯ ସାଧାରଣ ନିର୍ବାଚନ ପରେ ରାୟଗଡ଼ା ବିଜେପିର ଜିଲ୍ଲା କମିଟିରେ ପରିବର୍ତ୍ତନ ପରେ ନୂତନ ଯୁବ ମୋର୍ଚ୍ଚା ସଭାପତି ଭାବେ ପଦ ସମ୍ଭାଳିଥିଲେ ଦେବାଶିଷ ପଣ୍ଡା। ଦାୟିତ୍ବ ଗ୍ରହଣ କରିବା ପରେ ଜିଲ୍ଲାରେ ଯୁବ ସଂଗଠନକୁ ସଜାଡ଼ିବା ସହ ବିଭିନ୍ନ ଦାବି ଓ ସମସ୍ୟାକୁ ନେଇ ପ୍ରଶାସନ ଓ ସରକାରଙ୍କୁ ଟାର୍ଗେଟ୍ କରି ଆସୁଥିଲେ। ହେଲେ ଅଚାନକ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ତାଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବା ଘଟଣାକୁ ସେ ଗ୍ରହଣ କରି ପାରୁନାହାଁନ୍ତି। ଜିଲ୍ଲା ସଭାପତିଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ରାଜ୍ୟ କମିଟି ମଧ୍ୟ ଚକିତ ହେଉଛନ୍ତି ବ‌ୋଲି କହିଛନ୍ତି ଦେବାଶିଷ ପଣ୍ଡା। ସେହିପରି ବିଜେପିର ପୁରୁଖା ନେତା ଭାବେ ତଥା କୃଷକ ମୋର୍ଚ୍ଚାର ଜିଲ୍ଲା ସଭାପତି ଦାୟତ୍ବ ସମ୍ଭାଳୁଥିବା ଗୁଣପୁରର ପ୍ରେମ ପ୍ରସାଦ ପଣ୍ଡାଙ୍କୁ କାର୍ଯ୍ୟରୁ ଅନ୍ତର କରାଯିବାକୁ ବହୁ କର୍ମୀ ଗ୍ରହଣ କରି ପାରୁନାହାଁନ୍ତି। ଜିଲ୍ଲାରେ ଅତ୍ୟନ୍ତ ଦୁର୍ବଳ ଅବସ୍ଥାରେ ଥିବା ବିଜେପି ସଂଗଠନ ଧୀରେ ଧୀରେ ସଂଗଠିତ ହେଉଥିବା ବେଳେ ଦୁଇଟି ବିଭାଗର ସଭାପତିଙ୍କୁ କାର୍ଯ୍ୟରୁ ହଟାଇ ଦିଆଯିବା ଘଟଣା ବିଜେପି ଆଭ୍ୟନ୍ତରୀଣ କନ୍ଦଳକୁ ପଦାରେ ପକାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe