କନ୍ଧମାଳରେ ପଛକୁ ହଟୁନି ଲାଲବାହିନୀ ପୁଣି ଗୁଳି ବିନିମୟ ଓ ଗ୍ରେନେଡ ମାଡ

Advertisment

ଖସି ଗଲା କ୍ୟାଡର ମାଓ ନେତା ଦସୁର

ଖସି ଗଲା କ୍ୟାଡର ମାଓ ନେତା ଦସୁର

କନ୍ଧମାଳରେ ପଛକୁ ହଟୁନି ଲାଲବାହିନୀ ପୁଣି ଗୁଳି ବିନିମୟ ଓ ଗ୍ରେନେଡ ମାଡ

Sambad

ଫୁଲବାଣୀ: କନ୍ଧମାଳର ମାଓ ପ୍ରଭାବିତ ଅଞ୍ଚଳରେ ପୁଲିସ ତାର କୁମ୍ବି ଅପରେସନ ଜାରି ରଖିଛି। ବିଭିନ୍ନ ସମୟରେ ମାଓ କ୍ୟାମ୍ପ ଠାବ କରାଯାଇଛି। ଆଉ ପୁଲିସ ଗୁଳିରେ ମାଓବାଦୀ ବି ମରୁଛନ୍ତି। ହେଲେ ଏରିଆ ଛାଡୁ ନାହାନ୍ତି ମାଓବାଦୀ। ପ୍ରତିଶୋଧ ପରାୟଣ ହୋଇଥିବା ଲାଲବାହିନୀ ତଥାପି ପଛକୁ ହଟୁ ନାହିଁ। ବଦଲା ନେବାକୁ ଜଙ୍ଗଲରେ ମେଳି କରି ସୁଯୋଗ ଖୋଜୁଛି। ବିଭିନ୍ନ ଜଙ୍ଗଲରେ ମାଓବାଦୀ କ୍ୟାମ୍ପ କରି ବଡଧରଣର ହିଂସା ଘଟାଇବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି। ଗତ ୧୧ ତାରିଖରେ କନ୍ଧମାଳ ଜିଲ୍ଲା ଗୋଛାପଡା ଥାନା ପାଦରପଡା ଜଙ୍ଗଲରେ ଗୁଳି ବିନିମୟ ହୋଇଥିଲା। ପୁଲିସ ଗୁଳିରେ ଜଣେ ମହିଳା ମାଓବାଦୀର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ୨୫ ଜଣ ଛତ୍ରଭଙ୍ଗ ଦେଇ ପଳାଇ ଯାଇଥିଲେ। ଗତ ୧୭ ତାରିଖରେ ପୁଣି ପାଦରପଡା ନିକଟ ବିରେଣି ଜଙ୍ଗଲରେ ପୁଣି ଥରେ ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି। ପୁଲିସକୁ ଉପରକୁ ମାଓବାଦୀ ‌ଗୁଳି ସହ ଗ୍ରେନେଡ ମାଡ କରିଥିଲେ।

publive-image Sambad

ଏଥିରେ ପୁଲିସର କିଛି କ୍ଷତି ହୋଇ ନଥିଲା। ତଥାପି ଗୁଳି ମାଡ ନ କରି ପୁଲିସ ଆତ୍ମସମର୍ପଣ କରିବାକୁ ମାଓବାଦୀଙ୍କୁ କହିଥିଲେ। ହେଲେ ମାଓବାଦୀ ନ ଶୁଣିବାରୁ ବାଧ୍ୟ ହୋଇ ପୁଲିସ ଗୁଳିବର୍ଷଣ କରିଥିଲା। ଭୟରେ ମାଓବାଦୀ କ୍ୟାମ୍ପ ଛାଡି ପଳାଇ ଯାଇଥିଲେ। ୮ରୁ ୧୦ ଜଣ ମାଓବାଦୀ କ୍ୟାମ୍ପରେ ଥିବା ବେଳେ ସେଥିରେ କ୍ୟାଡର ମାଓନେତା ଦସୁର ବି ଥିଲା। ଗତଥର ଭଳି ଏଥର ବି ଦସୁର ଖସି ଯିବାରେ ସକ୍ଷମ ହୋଇଛି। ପୁଲିସ କ୍ୟାମ୍ପରୁ ୨ଟି ଦେଶୀ ବନ୍ଧୁକ,ଗୋଟିଏ ରେଡିଓ,ଔଷଧ,ଡ୍ରେସ ପତ୍ର ଏବଂ ରାସନ ସାମଗ୍ରୀ ଠାବ କରିଥିବା ନେଇ ଏସପି ବିନୀତ ଅଗ୍ରୱାଲ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଘଟଣା ପରେ ସଂପୃକ୍ତ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ରହିଥିବା ବେଳେ କୁମ୍ବି ଅପରେସନକୁ ଜୋରଦାର କରାଯାଇଛି ବୋଲି ଏସପି ଶ୍ରୀ ଅଗ୍ରୱାଲ କହିଛନ୍ତି। ପୁଣି ଥରେ ବନ୍ଧୁକ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସେ ଲାଲବାହିନୀକୁ ଅପିଲ କରିଛନ୍ତି।

ଯଦି ହିଂସା ଘଟାଇବାକୁ ଚେଷ୍ଠା କରନ୍ତି ତାହା ହେଲେ କଡା ଜବାବ ଦେବାକୁ ପୁଲିସ ପ୍ରସ୍ତୁତ ରହିଛି ବୋଲି ସେ କହିଛନ୍ତି। ୬ ମାସ ମଧ୍ୟରେ ପୁଲିସ ଗୁଳିରେ ୧୩ ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ଯାହା ଫଳରେ ମାଓବାଦୀ ରକ୍ତମୁଖା ହୋଇ ପଡିଛନ୍ତି। ସାହସ ଜୁଟୁ ନଥିଲେ ବି ଦମ୍ ଦେଖାଇ ଉପସ୍ଥିତି ଜାହିର କରିବାକୁ ମାଓବାଦୀ ଉଦ୍ୟମ ଚଳାଇଛନ୍ତି। ଏ ଦିଗରେ ପୁଲିସ ଆହୁରି ଅଧିକ ସତର୍କ ଓ ସଜାଗ ହେବା ଜରୁରୀ ହୋଇ ପଡିଛି। ଏସପି ଗଣମାଧ୍ୟକୁ ସୂଚନା ଦେବା ସମୟରେ ଫୁଲବାଣୀ ଉପଖଣ୍ଡ ପୁଲିସ ଅଧିକାରୀ ମହେନ୍ଦ୍ରନାଥ ମୁର୍ମୁ,ଗୋଛାପଡା ଥାନାଧିକାରୀ ତୃପ୍ତିରଂଜନ ନାୟକ ଏବଂ ରିଜର୍ଭ ଇନସପେକ୍ଟର ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe