ସତୀଗୁଡା ଡ୍ୟାମ ଓ ୱେଲୋ ବ୍ରିଜ୍ ସୌନ୍ଦର୍ଯ୍ୟକରଣ ମନ୍ଥରଗତି

ରାସ୍ତାର ପିଚୁ ଉଠିଯାଇ ମେଟାଲ ଦିଶୁଛି, ୧୫ଲକ୍ଷର ଶିଶୁଉଦ୍ୟାନ ନିର୍ମାଣାଧୀନ

ସତୀଗୁଡା ଡ୍ୟାମ ଓ ୱେଲୋ ବ୍ରିଜ୍ ସୌନ୍ଦର୍ଯ୍ୟକରଣ ମନ୍ଥରଗତି

ଜୟପୁର:ସତୀଗୁଡା ଡ୍ୟାମ୍  ଓ ଏହା ପରିସରରେ ଥିବା ୱେଲୋ ବ୍ରିଜ୍ର ସୌନ୍ଦର୍ଯ୍ୟକରଣ କାମ ମନ୍ଥରଗତିରେ ଚାଳିଛି।  ଉପରକୋଲାବ ଜଳସେଚନ ପ୍ରକଳ୍ପ ପକ୍ଷରୁ ଗୋଟିଏ ନିର୍ମାଣର କିଛି ବର୍ଷର ଅନ୍ତରାଳରେ ଆଉ କିଛି ବର୍ଷ ପରେ ନିର୍ମାଣ କରାଯାଉଛି।  ଏହି କ୍ରମରେ ଏବେ ପୁଣି ଶିଶୁ ଉଦ୍ୟାନ ଓ ବଗିଚା ନିର୍ମାଣ କାମ ଆରମ୍ଭ ହୋଇଛି।  ୧୫ଲକ୍ଷ ଟଙ୍କା ବ୍ୟୟରେ ଏହି ନିର୍ମାଣ କାମ ଚାଳିଥିବା କହିଛନ୍ତି କନିଷ୍ଠ ଯନ୍ତ୍ରୀ ଆରକେ ମିଶ୍ର। ତା ସହ ପଦ୍ମପୁର ଶାଖା କେନାଲକୁ ଡ୍ୟାମରୁ ଯାଉଥିବା କେନାଲ ନିକଟରୁ ଲିକେଜ୍ ହେଉଥିବାରୁ ତାହାର ପୁନଃଉଦ୍ଧାର କାମ ବି ଆରମ୍ଭ ହୋଇଛି। ତେବେ ଏକାସାଙ୍ଗରେ କାହିଁକି ଏହି ପାର୍କ ଓ ଡ୍ୟାମ, ଡ୍ୟାମ ଉପର ରାସ୍ତାର ପୁନଃଉଦ୍ଧାର ଓ ପ୍ରଶସ୍ତିକରଣ କାମ କରାଯାଉନି ତାହାକୁ‌ ନେଇ ଉଠିଛି ପ୍ରଶ୍ନ ।

ଗତ ୮ବର୍ଷ ତଳେ ପାଚେରୀ ନିର୍ମାଣ କାମ ଆରମ୍ଭ କରାଯାଇଥିଲା। ତା ପରେ ସେହି ପରିସରରେ କିଛି ମାତ୍ରାରେ ପାଦଚଲା ରାସ୍ତା ବି କରାଯିବା ସହ ଲୁହାତାରା ଜାଲି ଲଗାଯାଇଥିଲା। ଏହା ପରେ ଏହି ବର୍ଷ ପୁଣି ୧୫ଲକ୍ଷର ଶିଶୁ ଉଦ୍ୟାନ ଓ ବଗିଚା ନିର୍ମାଣ କାମ ଆରମ୍ଭ ହୋଇଛି। ଗତ କିଛି ଦିନ ହେବ ଘାସ୍ ଗଛ ଲଗାଯିବା ପାଇଁ କାମ ବି ବନ୍ଦ ରହିଛି। ଘାସଗଛ ଲଗାଯିବା ପରେ ଶିଶୁ ଉଦ୍ୟାନର ନିର୍ମାଣ କାମ କରାଯିବ ବୋଲି କହିଛନ୍ତି କନିଷ୍ଠ ଯନ୍ତ୍ରୀ ଶ୍ରୀ ମିଶ୍ର। ସହରର ଲୋକେ ସକାଳୁ ଓ ସଂଧ୍ୟାରେ ୱାକିଂ, ସାଇକେଲିଂ ଆଦି କରିବା ପାଇଁ ଏହି ଅଂଚଳକୁ ବହୁଳ ମାତ୍ରାରେ ଯାଉଛନ୍ତି। ତେବେ ଏଠାରେ ଏମାନେ ଯାଇ ବସିବା କିମ୍ବା ଯୋଗ କିମ୍ବା ଅନ୍ୟ କିଛି କ୍ରୀଡାକୁଦ ଅଭ୍ୟାସ କରିବା ପାଇଁ ସେଭଳି ପାର୍କ କିଛି ନାହିଁ।

ଯଦିଓ ଏବେ ଶିଶୁଙ୍କ ପାଇଁ ପାର୍କ ନିର୍ମାଣ କରାଯାଉଛି ସତ ତେବେ ଅନ୍ୟ ମାନେ ସେଠାକୁ ଯାଇ କିଛି ସମୟ ଅତିବାହିତ କରିବା ପାଇଁ ସେଭଳି ପାର୍କର ବ୍ୟବସ୍ଥା ନାହିଁ। ଗତ ୮ବର୍ଷ ତଳେ ନିର୍ମାଣକରାଯାଇଥିବା ପାଦଚଲା ସିମେଣ୍ଟ ରାସ୍ତା ସବୁ ଖରାଫ ବି ହୋଇଗଲାଣି। ଜଳସେଚନ ବିଭାଗ ପକ୍ଷରୁ ପାରିପାର୍ଶ୍ବିକ ଉନ୍ନୟନ ସହ ନିଜର ପ୍ରକଳ୍ପ ଗୁଡିକ ନିକଟରେ ସୁନ୍ଦର ପାର୍କ ଆଦି ନିର୍ମାଣ କରାଯିବା ଯୋଜନା ରହିଥିଲେ ହେଁ ଏହାକୁ କାହିଁକି ବିଭାଗ କାର୍ଯ୍ୟକାରୀ କରୁନି ବୋଲି ବହୁ ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି। ସେଭଳି ଡ୍ୟାମକୁ ସହର ମଧ୍ୟରୁ ପ୍ରବେଶ କରିବାକୁ ଥିବା  ରାସ୍ତା ସହ ଡ୍ୟାମ ଉପରର ରାସ୍ତାର ପିଚୁ ସବୁ ବାହାରି ପଡ଼ିବା ସହ ମେଟାଲ ଗୁଡିକ୍ ଦିଶିଲାଣି। ଏହି ରାସ୍ତା ଦେଇ ଯାଆସ କରୁଥିବା ସୁକିଆଗୁଡା, ଓସିସି କଲୋନୀ, ମୁଣ୍ଡିଗୁଡା ଆଦି ଗାଁର ଲୋକେ ରାସ୍ତା ଅବସ୍ଥା ଭଲ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଭାଗ ପକ୍ଷରୁ ଏଦିଗରେ ଦୃଷ୍ଟି ଦେବା ପାଇଁ ଏହି ଗ୍ରାମବାସୀ ମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe