ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଅପର ଜୋଙ୍କ ଜଳସେଚନ ପ୍ରକଳ୍ପର ମାଇନର କେନାଲ୍ ଭାଙ୍ଗିଯାଇଛି। ଏହି କେନାଲ୍ ଭାଙ୍ଗିବାରୁ ୧୦୦ ଏକର ଚାଷ ଜମି ପ୍ରଭାବିତ ହେବ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ନୂଆପଡ଼ା ଜିଲ୍ଲା ପତୋରା ଅପର ଜୋଙ୍କ ଜଳସେଚନ ପ୍ରକଳ୍ପ ଅଧୀନରେ ଚାଷ ପାଇଁ କେନାଲ୍ ନିର୍ମାଣ ହୋଇଛି। କିନ୍ତୁ ଏହି କେନାଲ୍ ଅତି ନିମ୍ନମାନର ହୋଇଥିବାରୁ ପ୍ରତିବର୍ଷ ଭାଙ୍ଗିଯାଉଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଚଳିତ ବର୍ଷ ରବି ଚାଷ ଆରମ୍ଭ ହେବା ପୂର୍ବରୁ ପୁଣି କେନାଲ୍ ଭାଙ୍ଗିଥିବା ଦେଖିବାକୁ ମିଳିଛି। ସୋମବାର ନୂଆପଡ଼ା ପାଣି ପଞ୍ଚାୟତ ନଂ୨ ପଞ୍ଚମପୁର ନଦୀଘାଟ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ସବ୍ କେନାଲ୍ ୧୦ ପୁଟ୍ ପର୍ଯ୍ୟନ୍ତ ଭାଙ୍ଗିଯାଇଛି।
କେନାଲ୍ ଭାଙ୍ଗିବା ପରେ ୧୦୦ ଏକର ଜମିରେ ଚାଷ କାର୍ଯ୍ୟ ପ୍ରଭାବିତ ହେବ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। କେନାଲ୍ ନିର୍ମାଣ ପାଇଁ ଆସୁଥିବା ଲକ୍ଷଲକ୍ଷ ଟଙ୍କାକୁ ଠିକାଦାର ଓ ବିଭାଗୀୟ ଅଧିକାରୀ ମିଳିମିଶି ଚଳୁ କରିଥାନ୍ତି ବୋଲି ଅଭିଯୋଗ ହେଉଛି। ନୂଆପଡ଼ା ଜଳସେଚନ ନିର୍ବାହୀ ଯନ୍ତ୍ରୀ ଗୌରାଙ୍ଗ ସାହୁ କହିଛନ୍ତି, ବର୍ତ୍ତମାନ ଖବର ମିଳିଛି। କୌଣସି ଚାଷୀ ଯେପରି ହଇରାଣ ନହୁଅନ୍ତି ସେଥିପ୍ରତି ଦୃଷ୍ଟି ଦେଉଛୁ। ବର୍ତ୍ତମାନ ବର୍ଷା ସମୟ, ସେଥିପାଇଁ ଅସ୍ଥାୟୀ ଭାବେ ମରାମତି କରି ଚାଷୀଙ୍କୁ ପାଣି ଦିଆଯିବ।
Follow Us