ଗୋପାଳପୁର ବୁଣାକାରଙ୍କ ସମସ୍ୟା ବୁଝିଲେ ମୁଖ୍ୟ ଶାସନ ସଚିବ

ଗୋପାଳପୁର ବୁଣାକାରଙ୍କ ସମସ୍ୟା ବୁଝିଲେ ମୁଖ୍ୟ ଶାସନ ସଚିବ

ରସୁଲପୁର: ରସୁଲପୁର ବ୍ଲକ୍ ପ୍ରଥମାଖଣ୍ତ ପଞ୍ଚାୟତ ଗୋପାଳପୁର ଓ ଚକଗୋପାଳପୁର ଗ୍ରାମରେ ଥିବା ଟସର ବସ୍ତ୍ର ଉତ୍ପାଦନ କେନ୍ଦ୍ର ବୁଲି ଦେଇଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା। ନାବାର୍ଡ ସହାୟତାରେ ଗଠିତ ଚକଗୋପାଳପୁରର ବିରଜା ହସ୍ତତନ୍ତ ଉତ୍ପାଦକ କମ୍ପାନି କାର୍ଯ୍ୟାଳୟରେ ପହଞ୍ଚି ବୁଣାକାରଙ୍କ ଦ୍ବାରା ଉତ୍ପାଦିତ ହେଉଥିବା ହସ୍ତତନ୍ତ ସାମଗ୍ରୀ ଦେଖିଥିଲେ। ସେମାନଙ୍କ ସମସ୍ୟା ସଂପର୍କରେ ଅବଗତ ହେବା ସହ ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ। ୨୦୨୧ ଡିସେମ୍ବରରେ ବିରଜା ପ୍ରଡ୍ୟୁସର କମ୍ପାନି ଗଠିତ ହୋଇଥିଲା। ଏହି କମ୍ପାନିରେ ସାମିଲ ହୋଇଥିବା ବୁଣାକାରଙ୍କୁ ବିଭିନ୍ନ ପର୍ଯ୍ୟାୟରେ ତାଲିମ ଦିଆଯାଉଛି। ରଙ୍ଗକାମ, ବାନ୍ଧ, ଜାକଡ଼ ଓ ଟେଲରିଂ ପରେ ଏବେ ଜହ୍ଲାଡୁବି ତାଲିମ ଦିଆଯାଉଛି ବୋଲି ମୁଖ୍ୟ ସଚିବଙ୍କୁ ଅବଗତ କରାଯାଇଥିଲା। ବନାରସ, ନୂଆପାଟଣା ଆଠଗଡ଼ ଓ ସ୍ଥାନୀୟ ଅଭିଜ୍ଞ କାରିଗରମାନଙ୍କ ଦ୍ବାରା ତାଲିମ ଦିଆଯାଉଛି। କଞ୍ଚାମାଲ୍ (ଟସର) ପାଇବାରେ ସମସ୍ୟା ରହିଛି ବୋଲି ବୁଣାକାରମାନେ କହିଥିଲେ। ଉତ୍ପାଦିତ ବସ୍ତ୍ରକୁ ବୟନିକା ଓ ସେରିଫେଡ୍ ଭଳି ସରକାରୀ ଅନୁଷ୍ଠାନକୁ ବିକ୍ରି କରିବାରେ ସମସ୍ୟା ରହୁଛି ବୋଲି ସେମାନେ ଜଣାଇଥିଲେ। ଏଥିପ୍ରତି ଦୃଷ୍ଟି ଦିଆଯାଇ ଏହାର ସମାଧାନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିବା ସହିତ ସମସ୍ୟା ସମାଧାନ ପାଇଁ ସବୁ ସମୟରେ ଜିଲ୍ଲାପାଳଙ୍କ ଜରିଆରେ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ। ବିରଜା ହସ୍ତତନ୍ତ ପ୍ରଡ୍ୟୁସର କମ୍ପାନିରେ ପ୍ରାୟ ଦେଢ଼ଘଣ୍ଟା ରହିଥିଲେ।

ମୁଖ୍ୟ ଶାସଚ ସଚିବଙ୍କ ସହିତ ନାବାର୍ଡ ମୁଖ୍ୟ ପ୍ରବନ୍ଧକ ଉଦୟ ଭାସ୍କର, ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଏସପି ଭିନୀତ ଅଗ୍ରୱାଲ୍ , ନାବାର୍ଡ ଡିଜିଏମ କମଳ ଲୋଚନ ପଟ୍ଟନାୟକ, ଡିଡିଏମ ସୁବ୍ରତ କୁମାର ସାହୁ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବିରଜା ହସ୍ତତନ୍ତ ପ୍ରଡ୍ୟୁସର କମ୍ପାନି ପକ୍ଷରୁ ସଭାପତି ବୀରକିଶୋର ଚାନ୍ଦ, ସଂପାଦିକା ବାସନ୍ତୀଲତା ଗୁଇଁ ଓ ଦୁର୍ଯ୍ୟୋଧନ ଚାନ୍ଦ ମୁଖ୍ୟ ସଚିବଙ୍କୁ ବାନ୍ଧକଳା, ତନ୍ତରେ ଲୁଗା ବୁଣିବା ସଂପର୍କରେ ସୂଚନା ଦେଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଗୋପାଳପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ସ୍ବାଗତ କରାଯାଇଥିଲା। ନେତାଜୀ ଯୁବକ ସଂଘ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ଆୟୋଜନ ହୋଇଥିଲା। ଯୁବକ ସଂଘ ସଭାପତି ହରେକୃଷ୍ଣ ନାୟକ ଓ ସଂପାଦକ ବିଶ୍ବମ୍ଭର ସାହୁ ଉପସ୍ଥିତ ଥିଲେ। ଶତାଧିକ ମହିଳା ଓ ପୁରୁଷ ବୁଣାକାର ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe