ଟୋଲଗେଟ୍‌ରେ ଧରାପଡ଼ିଲା ଗାଡ଼ିମାଲିକଙ୍କ ହାଇଟେକ୍‌ ଠକେଇ

Advertisment

ମାଲବାହୀ ଟ୍ରକରେ କାର୍‌ର ଫାଷ୍ଟଟ୍ୟାଗ୍‌,୩୧୫ ବଦଳରେ ଆକାଉଣ୍ଟ୍‌ରୁ କଟୁଥିଲା ୬୦ ଟଙ୍କା

ମାଲବାହୀ ଟ୍ରକରେ କାର୍‌ର ଫାଷ୍ଟଟ୍ୟାଗ୍‌,୩୧୫ ବଦଳରେ ଆକାଉଣ୍ଟ୍‌ରୁ କଟୁଥିଲା ୬୦ ଟଙ୍କା

ଟୋଲଗେଟ୍‌ରେ ଧରାପଡ଼ିଲା ଗାଡ଼ିମାଲିକଙ୍କ ହାଇଟେକ୍‌ ଠକେଇ

Justdial

ବାଲେଶ୍ବର: ଜାତୀୟ ରାଜପଥର ଟୋଲ ପ୍ଲାଜା ବା ପଥକର ଆଦାୟ କେନ୍ଦ୍ରରେ ସମସ୍ତ ପ୍ରକାର ରିହାତି ପାଇବା ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଫାଷ୍ଟଟ୍ୟାଗ୍‌ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିଛନ୍ତି। ଏଥିପାଇଁ ଜାତୀୟ ରାଜପଥରେ ପଥକର ନିର୍ଦ୍ଧାରଣ ଏବଂ ଆଦାୟ ସଂକ୍ରାନ୍ତ ଆଇନରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ତେବେ ଗାଡ଼ିଚାଳକମାନେ ଏଥିରେ ମଧ୍ୟ ଚଞ୍ଚକତା କରି ବ୍ୟାପକ ପରିମାଣରେ ଟୋଲ ଫି’ ଫାଙ୍କୁଥିବା ଜଣାପଡ଼ିଛି। ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ସେରଗଡ଼ ଟୋଲଗେଟ୍‌ରେ ଏଭଳି ଏକ ଘଟଣା ସୋମବାର ସାମ୍‌ନାକୁ ଆସିଛି।

ଏକ ମଲ୍‌ଟି ଏକ୍ସେଲ କମର୍ସିଆଲ ଭେହିକିଲ୍‌ ବା ହାଇୱା ମାଲବାହୀ ଟ୍ରକ ଓଡି-୦୧ଏଜେ-୮୭୦୬ ନମ୍ବର ଲଗାଇ ଏହି ଟୋଲଗେ‌ଟ୍‌ ଅତିକ୍ରମ କରିବା ବେଳେ ସେଥିପାଇଁ ଫାଷ୍ଟଟ୍ୟାଗ୍‌ରେ ମାତ୍ର ୬୦ ଟଙ୍କା କଟିଥିଲା। ଯାହାକି ଏକ ଚାରିଚକିଆ ହାଲୁକାଯାନ ଟୋ‌ଲଗେଟ୍‌ ଅତିକ୍ରମ କଲାବେଳେ ଏତିକି ଟଙ୍କ‌‌ା କଟିବାର ନିୟମ ରହିଛି। ‌ଟୋଲଗେଟ୍‌ର ସୁରକ୍ଷା କର୍ମଚାରୀ ଏହା ଜାଣିପାରି ଟ୍ରକଟିକୁ ଅଟକାଇବାକୁ ଚେଷ୍ଟା କଲାବେଳକୁ ତାହା ଦ୍ରୁତ ଗତିରେ ଖସିଯିବାକୁ ଉଦ୍ୟମ କରିଥିଲା। ଏହାପରେ ଟୋଲଗେଟ୍‌ କର୍ମଚାରୀ ହାଇୱାଟିକୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ ଏବଂ ଟୋଲଗେଟ୍‌ ପାଖକୁ ଆଣି ଯାଞ୍ଚ୍‌ କରିଥିଲେ। ଫଳରେ ହାଇୱା ମାଲିକର ଚଞ୍ଚକତା ଧରାପଡ଼ି ଯାଇଥିଲା। ସେଥିରେ ଲାଗିଥିବା ନମ୍ବରଟି ଏକ କାର୍‌ର ନମ୍ବର ହୋଇଥିବା ବେଳେ ଗତ ୪ ତାରିଖରୁ ସେହି ହାଇୱାରେ ଲଗାଯାଇଥିବା ଜାଣିବାକୁ ମିଳିଛି।

ଏନେଇ ହାଇୱା ଡ୍ରାଇଭରଙ୍କୁ ପଚାରିବାରୁ ସେ କିଛି ଜାଣିନଥିବା ସଫେଇ ଦେଇଥିଲେ। ସେପଟେ ଟୋଲଗେଟ୍‌ର ସୁରକ୍ଷା ଅଧିକାରୀଙ୍କ କହିବା ଅନୁଯାୟୀ, ଫାଷ୍ଟ‌ଟ୍ୟାଗ୍‌ ମାଧ୍ୟମରେ ଗାଡ଼ିଚାଳକଙ୍କ ଆକାଉଣ୍ଟ୍‌ରୁ ଅଟୋମେଟିକ୍‌ ଟଙ୍କା କଟିଯାଉଥିବା ବେଳେ ସେଠାରେ ଯାଞ୍ଚ୍‌ କରିବା ଲାଗି କର୍ମଚାରୀଙ୍କ ଉପସ୍ଥିତି ଆବଶ୍ୟକ ପଡ଼ୁନାହିଁ। ଯାହାଫଳରେ ଅନେକ ମାଲବାହୀ ଗାଡ଼ି ବା ଭାରିଯାନଗୁଡ଼ିକ କାର୍‌ ତଥା ହାଲୁକା ଗାଡ଼ିର ନମ୍ବର ଲଗାଇ ଟୋଲଗେଟ୍‌ ପାର ହୋଇଯାଉଛନ୍ତି। ଆଜି ଧରା ଯାଇଥିବା କେବଳ ଏହି ହାଇୱା ନୁହେଁ, ଏହିପରି ଅନେକ ମାଲବାହୀ ଗାଡ଼ି ଚଞ୍ଚକତା କରୁଥିବାରୁ ଏନ୍‌ଏଚଏଆଇ କୋଟିକୋଟି ଟଙ୍କାର କ୍ଷତି ସହୁଛି। ଏଥିପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ତେବେ ଟୋଲଗେଟ୍‌ ପକ୍ଷରୁ ଉକ୍ତ ହାଇୱାକୁ ଅଟକ ରଖି ଖନ୍ତାପଡ଼ା ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe