ଖଣି ଖାଇବ ନଈ, ନାଳ; ଅକାଳ ମୃତ୍ୟୁ ଅପେକ୍ଷାରେ ଅଧା ଡଜନ ଚିରସ୍ରୋତା ନାଳ

Advertisment
ଖଣି ଖାଇବ ନଈ, ନାଳ; ଅକାଳ ମୃତ୍ୟୁ ଅପେକ୍ଷାରେ ଅଧା ଡଜନ ଚିରସ୍ରୋତା ନାଳ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଛେଣ୍ଡିପଦାରେ ନୂଆ କୋଇଲା ଖଣି ହେବ। କୋଇଲା ଯାଇ ସାରାଦେଶକୁ ଆଲୋକିତ କରିବ। ଏଥିପାଇଁ ପ୍ରକ୍ରିୟା ଚାଲିଛି। କୋଲ୍ ବ୍ଲକ୍ ଆବଣ୍ଟନ ସରିଥିଲାବେଳେ ଜମି ଅଧିଗ୍ରହଣ ନେଇ କାମ ଆରମ୍ଭ ହୋଇଛି। ଠିକ୍ ଏତିକିବେଳେ ଏଠାରେ ଥିବା ଅଧା ଡଜନ ନଈ ଅକାଳ ମୃତ୍ୟୁ ଅପେକ୍ଷାରେ ଦିନ ଗଣୁଛନ୍ତି। କୋଇଲା ଖଣି ପାଇଁ ଛେଣ୍ଡିପଦା ବ୍ଲକ୍ ଦେଇ ଯାଇଥିବା ବହୁ ଚିରସ୍ରୋତା ନଈନାଳ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏହାର କୁପ୍ରଭାବ ଅଞ୍ଚଳ ଉପରେ ପଡ଼ିବ। ସବୁଠାରୁ ବଡ଼ କଥା ହେଉଛି ଏହାଦ୍ବାରା ବ୍ରାହ୍ମଣୀ ନଦୀକୁ ଜଳପ୍ରବାହ ବାଧାପ୍ରାପ୍ତ ହେବାର ସମ୍ଭାବନା ଦେଖାଦେଇଛି।

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ୧୦ରୁ ଅଧିକ କୋଲ୍ ବ୍ଲକ୍ ଆବଣ୍ଟନ ସରିଛି। ବିଭିନ୍ନ କଂପାନିକୁ ଏହି କୋଲ୍‌ ବ୍ଲକ୍ ମିଳିଥିବାବେଳେ ଏଥିପାଇଁ ପାଖାପାଖି ୧୫ ହଜାର ବିସ୍ଥାପିତ ହେବାର ଆକଳନ କରାଯାଇଛି। ୩୦ ହଜାର ଏକର ଜମିରେ ଏହି ଖଣି ଖନନ ହେବ। ଏଥିରେ ୨ ହଜାର ଏକର ଜଙ୍ଗଲ ରହିଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ଖଣି ଖନନ ହେବା ସହ ପାଖାପାଖି ଅଧା ଡଜନ ନଈର ଅକାଳ ମୃତ୍ୟୁ ହେବ। ଏଥିରେ ରହିଛି ଆଉଁଳି, ସିଙ୍ଗଡ଼ା, ଗଉଡୁଣୀ, ଟିକିରା, କୁମ୍ଭୀରା, ଉଲାଣୀ ପରି ଅନେକ ଚିରସ୍ରୋତା ନଈ। ଏହି ନଈ ଚାଷୀଙ୍କ ମେରୁଦଣ୍ଡ ଭାବେ ପରିଚିତ ଥିଲାବେଳେ ଅଞ୍ଚଳର ଅର୍ଥନୈତିକ ବିକାଶରେ ଏହାର ପ୍ରମୁଖ ଭୂମିକା ରହିଛି। ଏହାସହିତ ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ବ୍ରାହ୍ମଣୀ ନଦୀର ତଳମୁଣ୍ଡକୁ ଜଳଯୋଗାଣରେ ଏହି ନଈଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି।

publive-image

ସୂଚନା ଅନୁସାରେ, ଛେଣ୍ଡିପଦା-୧ କୋଲ୍ ବ୍ଲକ୍ ପାଇଁ ଗଉଡୁଣୀ, କୁମ୍ଭୀରା ଓ ଟିକିରା ନାଳ ପ୍ରଭାବିତ ହେବ। କୋଲ୍ ବ୍ଲକ୍ ନିକଟ ଦେଇ ଯାଇଥିବାରୁ ଏହି ନଈଗୁଡ଼ିର ଭବିଷ୍ୟତ ନେଇ ଆଶଙ୍କା ପ୍ରକାଶ ପାଇଛି। ଛେଣ୍ଡିପଦା-୨ କୋଲ୍ ବ୍ଲକ୍ ପାଇଁ ଦୁଇଟି ଛୋଟ ନାଳ କ୍ଷତିଗ୍ରସ୍ତ ହେବା ନିଶ୍ଚିତ। ବ୍ରାହ୍ମଣୀବିଲ-କରଡ଼ାବାହାଳ କୋଲ୍ ବ୍ଲକ୍ ପାଇଁ କୁଡ଼ପଶି, ଅତଣ୍ଡି, ଗଉଡୁଣୀ ଓ ଉଲାଣୀ ନଈର ଚେହେରା ବଦଳିଯିବ। ଏହାର ଶାଖା ନାଳଗୁଡ଼ିକ ମଧ୍ୟ ବହିବା ପାଇଁ ବାଟ ପାଇବେନି। ଗଉଡୁଣୀ ନଈ ପରେ ଯାଇ ଟିକିରା ନଈରେ ମିଶୁଥିବା କାରଣରୁ ଟିକିରାରୁ ମଧ୍ୟ ପାଣି କମିଯିବ। ଫୁଲଝରୀ ଇଷ୍ଟ, ୱେଷ୍ଟ ଓ ରାଧିକାପୁର ଇଷ୍ଟ କୋଲ୍ ବ୍ଲକ ନିମନ୍ତେ ସିଙ୍ଗଡ଼ା ନାଳ କ୍ଷତିଗ୍ରସ୍ତ ହେବ ବୋଲି ଅନୁମାନ କରୁଛନ୍ତି ପରିବେଶବିତ୍। ନୂଆବନ୍ଧ ନାଳ ରାଧିକାପୁର ୱେଷ୍ଟ କୋଲ୍ ବ୍ଲକ୍ ପାଇଁ ପ୍ରଭାବିତ ହେବାକୁ ଯାଉଛି। ଏପଟେ ଉତ୍କଳ ଡି, ଉତ୍କଳ-ଇ, ଉତ୍କଳ ସି, ଉତ୍କଳ ବି-୧ ଓ ବି-୨ କୋଲ୍ ବ୍ଲକ୍ ଖୋଳା ହେବା ସହ ଏକାଧିକ ଛୋଟ ନାଳର ମୃତ୍ୟୁ ହେବ। ନୟନୀ, ବୈତରଣୀ ୱେଷ୍ଟ ଓ ନୂଆ ପାତ୍ରପଡ଼ା ଖଣି ଖନନ ହେଲେ ମଲାଜୋର ସମେତ ଆଉ କିଛି ଛୋଟ ନାଳ ଇତିହାସ ପାଲଟିଯିବେ। କେବଳ ଏତିକି ନୁହେଁ, ଛେଣ୍ଡିପଦାରେ ଥିବା କୁକୁରପେଟା ଜଳସେଚନ ପ୍ରକଳ୍ପ ବି ବିଫଳ ହୋଇଯିବ। ଏହି ପ୍ରକଳ୍ପର କ୍ୟାଚମେଣ୍ଟ ଅଞ୍ଚଳ ଖଣି ପ୍ରଭାବିତ ହେଉଥିବାରୁ ଏଠାକୁ ପାଣି ଆସିବାର ସମସ୍ୟା ହେବ।

ଛେଣ୍ଡିପଦା ବ୍ଲକ୍‌ରୁ ବାର୍ଷିକ ୧୨୪ ମିଲିୟନ ଟନ୍ କୋଇଲା ଉତ୍ତୋଳନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଖଣି ଖନନ ପାଇଁ ବଂଚିଥିବା ନଈ ଓ ନାଳଗୁଡ଼ିକର ଜଳଧାରଣ କ୍ଷମତା କମିଯିବ। ପାଖରେ ଖଣି ରହିଲେ ନାଳ ଶୁଖିଯିବା ନିଶ୍ଚିତ ବୋଲି ପରିବେଶବିତ୍‌ ଆଶଙ୍କା କରୁଛନ୍ତି। ଏହାସହିତ ନଈର ଜଳ ପ୍ରଦୂଷିତ ହେବ। ଏହା ରାଜ୍ୟର ଅନ୍ୟତମ ବଡ଼ ନଦୀ ବ୍ରାହ୍ମଣୀର ଜଳ ଓ ଏହାର ମାନକୁ ପ୍ରଭାବିତ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe