ଶୋଇଥିବା ବଡ଼ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା

ଟାଙ୍ଗିଆ ସହ ସାନଭାଇର ଥାନାରେ ଆତ୍ମସମର୍ପଣ

ଶୋଇଥିବା ବଡ଼ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା

ଫୁଲବାଣୀ: ସାମାନ୍ୟ ବଚସାକୁ କେନ୍ଦ୍ର କରି ବଡ଼ଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସାନଭାଇ। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ଡିମିରିଗୁଡ଼ା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ରାତିରେ କୌଣସି କଥାକୁ ନେଇ ନରେନ୍ଦ୍ର ବିନ୍ଧାଣିଙ୍କୁ ତାଙ୍କ ସାନଭାଇ କର୍ଣ୍ଣ ଧାରୁଆ ଟାଙ୍ଗିଆରେ ହାଣି ହତ୍ୟା କରିଛି। ଏହି ଉନ୍ମତ୍ତ କାଣ୍ଡ ଘଟାଇବା ପରେ କର୍ଣ୍ଣ ଟାଙ୍ଗିଆ ସହ ଫିରିଙ୍ଗିଆ ଥାନାରେ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି।
ଗତକାଲି ରାତିରେ ଦୁଇଭାଇଙ୍କ ମଧ୍ୟରେ ପ୍ରବଳ ବଚସା ହୋଇଥିଲା।

ପରିବାରବର୍ଗ ଓ ସାହିପଡ଼ୋଶୀ ଏଥିରେ ହସ୍ତକ୍ଷେପ କରି ଆପୋସ ସମାଧାନ କରିଥିଲେ। ଗରମ ହେଉଥିବା କାରଣରୁ ନରେନ୍ଦ୍ର ରାତିରେ ଘର ବାରଣ୍ଡାରେ ଶୋଇଥିଲେ। ଏହି ସମୟରେ କର୍ଣ୍ଣ ଏକ ଧାରୁଆ ଟାଙ୍ଗିଆ ଆଣି ନରେନ୍ଦ୍ରଙ୍କ ଶରୀରର ବିଭିନ୍ନ ସ୍ଥାନକୁ ଅମାନୁଷିକ ଭାବେ ଚୋଟ ପକାଇ ଫେରାର ହୋଇ ଯାଇଥିଲା। ନରେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଫିରିଙ୍ଗିଆ ଡାକ୍ତରଖାନାକୁ ଅଣା ଯାଉଥିଲା। କିନ୍ତୁ ରାସ୍ତାରେ ହିଁ ସେ ପ୍ରାଣ ହରାଇଥିଲେ।
ଆଜି ସକାଳେ ହତ୍ୟାକାରୀ ସାନଭାଇ କର୍ଣ୍ଣ ଟାଙ୍ଗିଆ ସହ ଫିରିଙ୍ଗିଆ ଥାନାରେ ଆତ୍ମସମର୍ପଣ କରିଛି। ମୃତକଙ୍କ ପୁଅର ଏତଲା କ୍ରମେ ଏକ ହତ୍ୟା ମାମଲା ରୁଜୁ ସହ କର୍ଣ୍ଣକୁ ପଚରାଉଚରା ଜାରି ରହିଛି। ସାଇଣ୍ଟିଫିକ୍ ଟିମ୍ ଓ ଥାନାଧିକାରୀ ତପନ କୁମାର ନାହାକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରାଯାଇଥିବା ଥାନାଧିକାରୀ ଶ୍ରୀ ନାହାକ ସୂଚନା ଦେଇଛନ୍ତି। ତେବେ କେଉଁ ବିବାଦକୁ ଦେଇ ଦୁଇଭାଇଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ଏନେଇ କିଛି ସ୍ପଷ୍ଟ ହୋଇପାରିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe