Tour My India
ସମ୍ବଲପୁର: ହୀରାକୁଦ ନଦୀବନ୍ଧ ଉପର ମୁଣ୍ଡ ଓଡ଼ିଶା ଓ ଛତିଶଗଡ଼ରେ ପହିଲି ମୌସୁମି ବର୍ଷା ପରେ ଜଳଭଣ୍ଡାରକୁ ଜଳପ୍ରବେଶ ବୃଦ୍ଧି ପାଇଛି। ଏଥି ସହ ଜଳଭଣ୍ଡାରର ଜଳସ୍ତର ମଧ୍ୟ ସାମାନ୍ୟ ଉପରକୁ ଉଠିଛି। ଗୁରୁବାର ହୀରାକୁଦ ଜଳସ୍ତର ୬୦୦.୩୯ ଫୁଟ ଥିବାବେଳେ ତାହା ଶୁକ୍ରବାର ବୃଦ୍ଧି ପାଇ ୬୦୦.୫୬ ଫୁଟ୍ରେ ପହଞ୍ଚିଛି। ଗ୍ରୀଷ୍ମ ଋତୁ ସାରା ହୀରାକୁଦ ଜଳସ୍ତର ନିମ୍ନଗାମୀ ରହିଥିଲାବେଳେ ଚଳିତ ବର୍ଷ ପ୍ରଥମଥର ପାଇଁ ଏହିଥିରେ ବୃଦ୍ଧି ଦେଖିବାକୁ ମିଳିଛି।
ଗୁରୁବାର ହୀରାକୁଦକୁ ହାରାହାରି ଇନଫ୍ଲୋ’ ମାତ୍ର ୩୬୫ କ୍ୟୁସେକ ଥିବାବେଳେ ଶୁକ୍ରବାର ସକାଳ ୮ଟା ସୁଦ୍ଧା ତାହା ବୃଦ୍ଧି ପାଇ ହାରାହାରି ୯୫୨୩ କ୍ୟୁସେକ୍ରେ ପହଞ୍ଚିଛି। କଲ୍ମା ବ୍ୟାରେଜ୍ର ୯ଟି ଗେଟ୍ ଖୋଲା ଥିବାବେଳେ ସେଠାରୁ ୪ ହଜାରରୁ ଅଧିକ ଜଳ ନିଷ୍କାସିତ ହେଉଛି। କେଲୋ ଡ୍ୟାମ୍ର ମଧ୍ୟ କିଛି ଗେଟ୍ ଖୋଲା ରହିଛି। ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷରୁ ମିଳିଥିବା ସୂଚନା ମୁତାବକ ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ହାରାହାରି ୧୩.୪୨ ଓ ତଳ ମୁଣ୍ଡରେ ୨୫.୫୫ ମିଲିମିଟର୍ ବର୍ଷା ରେକର୍ଡ ହୋଇଥିଲା। ଏହାଛଡ଼ା ହୀରାକୁଦ ସହରରେ ୬୬.୨ ମିଲିମିଟର୍ ବର୍ଷା ହୋଇଥିଲା।
Follow Us