ମହିଳା ଫେରାଇଲେ ଭତ୍ତା ଟଙ୍କା

Advertisment
ମହିଳା ଫେରାଇଲେ ଭତ୍ତା ଟଙ୍କା

ହାଟଡିହି: ହାଟଡିହି ବ୍ଲକରେ ଏବେ ଅନେକ ବୃଦ୍ଧବୃଦ୍ଧା, ବିଧବା ଓ ଭିନ୍ନକ୍ଷମ ଲୋକଙ୍କ ଭତ୍ତା ଟଙ୍କା ଭିନ୍ନ ଆକାଉଣ୍ଟକୁ ପଳାଉ ଥିବାରୁ ବିଚରା ହିତାଧିକାରୀ ୩/୪ମାସ ହେଲା ଭତ୍ତା ପାଇବାରୁ ବଞ୍ଚିତ ହେଉଛନ୍ତି । ଏନେଇ ବିଭିନ୍ନ ସମୟରେ ହିତାଧିକାରୀ ପଞ୍ଚାୟତ ଓ ବ୍ଲକ ଘେରାଉ କରୁଥିଲେ ମଧ୍ୟ ସେମାନଙ୍କ ଦୁଃଖ କେହି ଶୁଣୁ ନାହାନ୍ତି । ଏପରିକି ଯେଉଁ ଭିନ୍ନ ଲୋକଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯାଇଛି ତାକୁ ସେମାନେ ସଂପୃକ୍ତ ହିତାଧିକାରୀଙ୍କୁ କିମ୍ବା ବ୍ଲକ ପ୍ରଶାସନକୁ ଫେରାଉ ନାହାନ୍ତି । କିନ୍ତୁ ସୋସୋ ଗ୍ରାମର କିଛି ମହିଳା ତାଙ୍କ ଆକାଉଣ୍ଟକୁ ଯାଇଥିବା ଗରିବ ବୃଦ୍ଧବୃଦ୍ଧା, ବିଧବାଙ୍କ ଭତ୍ତା ଟଙ୍କାକୁ ଫେରସ୍ତ କରିଛନ୍ତି। କମଳା ଧଳ ନାମକ ଜଣେ ୭୦ ବର୍ଷୀୟ ବୃଦ୍ଧାଙ୍କ ଭତ୍ତା ଟଙ୍କା ସେହି ଗ୍ରାମର କନକଲତା ଧଳଙ୍କ ଆକାଉଣ୍ଟକୁ ଯାଇଥିଲା ।

କମଳା ଏନେଇ ବ୍ଲକକୁ ଆସି ତାଙ୍କ ଭତ୍ତା ଖାତା ଚେକ କରାଇବାରୁ ତାହା ସେହି ଗ୍ରାମର କନକଲତା ଧଳଙ୍କ ଆକାଉଣ୍ଟକୁ ଯାଇଛି ବୋଲି କହିଥିଲେ। କମଳା ଏ ବାବଦରେ କନକଙ୍କୁ ଜଣାଇବା ପରେ କନକ ବ୍ୟାଙ୍କରୁ ଟଙ୍କା ଉଠାଇ ତାଙ୍କୁ ୩ ମାସର ଭତ୍ତା ଟଙ୍କା ଫେରସ୍ତ କରିଦେଇଛନ୍ତି। ସେହିପରି ସେହି ଗ୍ରାମର ଯମୁନା ବେହେରାଙ୍କ ଭତ୍ତା ଟଙ୍କା ଆଇସା ବେହେରାଙ୍କ ଆକାଉଣ୍ଟକୁ ଯାଇଥିବାବେଳେ ସେ ମଧ୍ୟ ବ୍ୟାଙ୍କରୁ ଉଠାଇ ଯମୁନାଙ୍କୁ ତାଙ୍କ ତିନି ମାସର ଭତ୍ତା ଟଙ୍କା ଦେଇଛନ୍ତି । ଏହି ପଞ୍ଚାୟତରେ ଏହିପରି ଶହଶହ ହିତାଧିକାରୀଙ୍କ ଟଙ୍କା ଭିନ୍ନ ଆକାଉଣ୍ଟକୁ ପଳାଇଥିବାବେଳେ ଯଦି ଅନ୍ୟମାନେ ଏହିପରି ଫେରସ୍ତ କରିଦିଅନ୍ତେ ତେବେ ଅନେକ ଅସହାୟ ଗରିବ ବୃଦ୍ଧବୃଦ୍ଧା ଆଉ ବ୍ଲକ୍‌ କିମ୍ବା ବ୍ୟାଙ୍କକୁ ଦୌଡ଼ିବାକୁ ପଡ଼ନ୍ତା ନାହିଁ ବୋଲି ବୁଦ୍ଧଜୀବୀ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe