ନୂଆପଡ଼ା ଜିଲ୍ଲାର ଆଦର୍ଶ ଡିଗ୍ରି କଲେଜକୁ ପକ୍କା ରାସ୍ତା ନାହିଁ

କାଦୁଅରେ ଯାଉଛନ୍ତି ଛାତ୍ରଛାତ୍ରୀ

ନୂଆପଡ଼ା ଜିଲ୍ଲାର ଆଦର୍ଶ ଡିଗ୍ରି କଲେଜକୁ ପକ୍କା ରାସ୍ତା ନାହିଁ

ଖଡ଼ିଆଳ: ଖଡ଼ିଆଳ ସହର ପୁଟୁପଡ଼ାସ୍ଥିତ ନୂଆପଡ଼ା ଜିଲ୍ଲାର ଏକମାତ୍ର ଆଦର୍ଶ ଡିଗ୍ରି ମହାବିଦ୍ୟାଳୟକୁ ଆଜି ଯାଏ ପକ୍କା ରାସ୍ତାଟିଏ ନାହିଁ। ଫଳରେ ଛାତ୍ରଛାତ୍ରୀମାନେ କାଦୁଅ ରାସ୍ତାରେ ଯାତାୟାତ କରୁଛନ୍ତି। ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୂଚନା ଅନୁସାରେ, ୨୦୧୬ ମସିହାରେ ଏହି କଲେଜ ସ୍ଥାପିତ ହୋଇଛି। ଇତିମଧ୍ୟରେ ୭ ବର୍ଷ ବିତିଯାଇଥିଲେ ମଧ୍ୟ କଲେଜକୁ ଭଲ ରାସ୍ତାଟିଏ ନିର୍ମାଣ ହୋଇପାରି ନାହିଁ। କଲେଜକୁ ଯିବାକୁ ହେଲେ କେନାଲ ରାସ୍ତା ଓ ପୁଟୁପଡ଼ା ମୁଖ୍ୟ ରାସ୍ତାଠାରୁ ଦୁଇ କିଲୋମିଟର ରାସ୍ତାରେ ଯିବାକୁ ହୋଇଥାଏ। ଏବେ ଉଭୟ ରାସ୍ତା ଖାଲଖମାରେ ଭର୍ତ୍ତି ହୋଇରହିଛି। ବର୍ଷାପାଣିରେ ଜମିରହି କାଦୁଅ ହୋଇଛି। ଛାତ୍ରଛାତ୍ରୀମାନେ ବହୁ କଷ୍ଟରେ ଯାତାୟାତ କରୁଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ କେହି ମଧ୍ୟ ଶୁଣୁ ନଥିବା କହନ୍ତି କଲେଜ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ। ରାସ୍ତା ଖରାପ ଯୋଗୁଁ ସବୁଦିନ ପାଠପଢ଼ି ଆସି ପାରୁନଥିବା ଅଭିଯୋଗ କରନ୍ତି ଛାତ୍ରଛାତ୍ରୀ। ବର୍ଷତମାମ ରାସ୍ତା ସମସ୍ୟା ଭୋଗୁଥିବା ବେଳେ ବର୍ଷା ମାସରେ ସମସ୍ୟା ଦ୍ବିଗୁଣିତ ହୋଇଯାଏ। ଏହି କେନାଲ ରାସ୍ତା ଉପରେ ଅନେକ ଗ୍ରାମର ଲୋକେ ମଧ୍ୟ ନିର୍ଭର କରନ୍ତି। ପୁଣି ଅନେକ ବଡ଼ ବଡ଼ ଗାଡ଼ି ଚାଲିବା ହେତୁ ରାସ୍ତା ଅବସ୍ଥା ଆହୁରି ଖରାପ ହୋଇଥିବା ଅଭିଯୋଗ କରିଛନ୍ତି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଶୀଘ୍ର ଦୃଷ୍ଟିଦେବାକୁ ଦାବି ହେଉଛି। ଏନେଇ ଲୋୟର ଇନ୍ଦ୍ର କେନାଲ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ଗୋବର୍ଦ୍ଧନ ନାଏକଙ୍କୁ ପଚାରିବାରୁ ରାସ୍ତା ନିର୍ମାଣ ପାଇଁ ପ୍ରସ୍ତାବ ଦିଆହୋଇଛି, ମଞ୍ଜୁର ହେଲେ ଆରମ୍ଭ ହେବ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe