ତେନ୍ତୁଳିପଦରକୁ ପକ୍କା ରାସ୍ତା ନାହିଁ: ରୋଗୀ ଓ ଗର୍ଭବତୀଙ୍କୁ କାଉଡି ଭରସା

ତେନ୍ତୁଳିପଦରକୁ ପକ୍କା ରାସ୍ତା ନାହିଁ: ରୋଗୀ ଓ ଗର୍ଭବତୀଙ୍କୁ କାଉଡି ଭରସା

ରାୟଗଡା: ରାୟଗଡା ଜିଲ୍ଲା କୋଲନରା ବ୍ଲକ ସଦର ମହକୁମା ଠାରୁ ମାତ୍ର ୮ କିଲୋମିଟର ଦୂରରେ କୈଳାସପୁର ପଞ୍ଚାୟତରେ ରହିଛି ତେନ୍ତୁଳି ପଦର ଗ୍ରାମ। ଏହି ଗ୍ରାମରେ ପ୍ରାୟ ୨୦ ପରିବାର ବସବାସ କରୁଛନ୍ତି। କାହିଁ କେଉଁ କାଳରୁ ଆଦିବାସୀ ସଂପ୍ରଦାୟର ଲୋକେ ଏହି ଗ୍ରାମରେ ବସବାସ କରିଆସୁଛନ୍ତି। ଆଜି ପର୍ଯ୍ୟନ୍ତ ପ୍ରଶାସନ ଏବଂ ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହିଯାଇଛି ଏହି ଗ୍ରାମ। ପ୍ରଶାସନ ଜାଣି ଶୁଣି ଅଣଦେଖା କରୁଛି ନା ତେନ୍ତୁଳିପଦର ଗ୍ରାମ ସଂପର୍କରେ ଅବଗତ ନୁହନ୍ତି ତାହାକୁ ନେଇ ବଡ ପ୍ରଶ୍ନ ସୃଷ୍ଟି ହୋଇଛି। ସ୍ବାଧୀନତାରର ୭୭ ବର୍ଷ ପୁରିୟାଇଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ଗ୍ରାମକୁ ପକ୍କା ରାସ୍ତା ଖଣ୍ଡିଏ ହୋଇପାରିଲା ନାହିଁ। ଯାହାକୁ ନେଇ ଗ୍ରାମବାସୀଙ୍କ ଅସନ୍ତୋଷ କହିଲେ ନସରେ। ପକ୍କା ରାସ୍ତା ନଥିବାରୁ ଗ୍ରାମବାସୀ ନାହିଁ ନଥିବା ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି।

ଗ୍ରାମାଞ୍ଚଳରେ ଗମନାଗମନ ବ୍ୟବସ୍ଥା କରିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ସତ କିନ୍ତୁ ତେନ୍ତୁଳିପଦର ଗ୍ରାମ ପାଇଁ କାହିଁକି ଅଣଦେଖା ତାହାକୁ ନେଇ ଗ୍ରାମବାସୀଙ୍କ ମନରେ କ୍ଷୋଭ।କିନ୍ତୁ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ବର୍ତ୍ତମାନ ବି ପାହାଡ଼ିଆ ତଥା ଘାଟି ଅଞ୍ଚଳରେ ଥିବା ଗାଁକୁ ପକ୍କା ରାସ୍ତା ନିର୍ମାଣ ହୋଇପାରୁନି କହିଲେ ଅତ୍ୟୁକ୍ତି ହେବ ନାହିଁ।ଏଥିଯୋଗୁଁ ଗ୍ରାମବାସୀ ଜରୁରୀ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ପକ୍କା ନଥିବାରୁ ୧୦୮ ଆମ୍ବୁଲେନସ ଗାଡି ଗ୍ରାମକୁ ଯାଇପାରୁ ନାହିଁ। ଫଳରେ ଗର୍ଭବତୀ,ପ୍ରସୂତୀ କିମ୍ବା ରୋଗୀଙ୍କୁ ଭାର ବା କାଉଡିରେ ବୋହି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଆଣିବାକୁ ପଡୁଥିବା ଗ୍ରାମବାସୀ କହିଛନ୍ତି।

ଗାଁକୁ ଯାଇଥିବା ଖାଲଖମା,ପଥୁରିଆ ରାସ୍ତାରେ ବର୍ଷ ବର୍ଷ ଧରି ଲୋକେ ଯିବାଆସିବା କରୁଥିବା କହିଛନ୍ତି।ସେହିପରି ଭତ୍ତା ପାଇଁ ବୃଦ୍ଧ ଓ ବୃଦ୍ଧାଙ୍କୁ ସଦର ମହକୁମା କିମ୍ବା ପିଡିଏସ ଚାଉଳ ଆଣିବାକୁ ଯିବା ବେଳେ ବହୁ ସମସ୍ୟା ଦେଖା ଦେଉଥିବା କୁହାଯାଇଛି। ବିଶେଷ କରି ବର୍ଷା ଦିନେ ଗ୍ରାମବାସୀଙ୍କ ସମସ୍ୟା ଦ୍ବିଗୁଣିତ ହେଇଯାଉଛି।ଗାଁକୁ ଭଲ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବହୁବାର ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ ଏଥିପ୍ରତି କେହି କର୍ଣ୍ଣପାତ ନ କରିବା ପରିତାପର ବିଷୟ ବୋଲି ଗ୍ରାମବାସୀ କହିଛନ୍ତି।

publive-image

ପ୍ରତିବର୍ଷ ପଞ୍ଚାୟତ ତରଫରୁ ଏମଜିଏନଆରଜିଏରେ ମାଟି ରାସ୍ତା ନିର୍ମାଣ କରାଯାଉଥିବାରୁ ବର୍ଷା ଦିନେ ଏହି ମାଟିକୁ ଧୋଇ ନେଇଯାଉଥିବାରୁ ପୁଣି ଯଥା ପୂର୍ବଂ,ତଥା ପରଂ ଅବସ୍ଥା ହେଉତିବା କୁହଯାଇଛି।ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ଗୁରୁତ୍ଵ ଦେଇ ଉକ୍ତ ଗ୍ରାମକୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା କିମ୍ବା ବିଜୁ ସଡ଼କ ଯୋଜନାରେ ଏକ ସ୍ଥାୟୀ ରାସ୍ତା ନିର୍ମାଣ କରିବା ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମର ରମେଶ କିଲାକା,ସୁରେଶ କିଲାକା,ଆନନ୍ଦ ପିର୍ବାକା,ନାରାୟଣ ପିର୍ବାକା,କାଳିଆ ହେପ୍ରିକା,ବାସାନା କିଲାକା ଓ ଡମ୍ବୁରୁ କଣ୍ଡାଗରିଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି। ଯଦି ନିର୍ବାଚନ ପୂର୍ବରୁ ରାସ୍ତା ନିର୍ମାଣ କରାନଯାଏ ତେବେ ଆସନ୍ତା ସାଧାରଣ ନିର୍ବାଚନରେ ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe