ଗୋପାଳପୁର ଥାନାରେ ବ୍ୟବସାୟୀଙ୍କୁ ଥାର୍ଡ଼ଡିଗ୍ରୀ ମାମଲା: ସ୍ମୃତିରେଖା ଚଳାଉଛନ୍ତି ଲକ୍ଷାଧିକ ଟଙ୍କାର ଋଣ କାରବାର

Advertisment

ସପ୍ତାହେ ବିତିଲା, ଅଭିଯୋଗକାରୀଙ୍କ ପାଖରେ ଅଟକିଛି ତଦନ୍ତ

ସପ୍ତାହେ ବିତିଲା, ଅଭିଯୋଗକାରୀଙ୍କ ପାଖରେ ଅଟକିଛି ତଦନ୍ତ

୭୦ ପୁଲିସ ଅଧିକାରୀଙ୍କ ପୋଷାକରେ କଳାଦାଗ

Times of India

ରାଇକିଆ : ଗୋପାଳପୁର ଥାନାରେ ରାଇକିଆର ବ୍ୟବସାୟୀଙ୍କୁ ଥାର୍ଡ଼ଡିଗ୍ରୀ ମାମଲାରେ ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ନିକଟକୁ ଯାଇନି ପୁଲିସ। ବେକଳ ଅଭିଯୋଗକାରୀଙ୍କୁ ପଚରାଉଚରାରେ ଅଟକିଛି ତଦନ୍ତ। ରାଇକିଆ ଥାନାରେ ହୋଇଥିବା ମାମଲାରେ ଏ ପର୍ଯ୍ୟନ୍ତ ଏତଲାରେ ଦର୍ଶାଯାଇଥିବା ଅଭିଯୁକ୍ତ ଗୋପାଳପୁର ଥାନାଧିକାରୀ ଶ୍ରୀକାନ୍ତ ଖମାରୀ ଓ ସହଅଭିଯୁକ୍ତ ସ୍ମୃତିରେଖା ସାହୁଙ୍କ ପାଖରେ ପୁଲିସ ପହଞ୍ଚିନି। କେବଳ ଅଭିଯୋଗକାରୀ ଦମ୍ପତିଙ୍କୁ ଉଭୟ କନ୍ଧମାଳ ଓ ବ୍ରହ୍ମପୁର ପୁଲିସ ଜିଲ୍ଲାର ଦୁଇ ବରିଷ୍ଠ ଅଧିକାରୀ ପଚରାଉଚରା କରି ଫେରି ଯାଇଛନ୍ତି। ତେବେ ପୁଲିସ ଅଭିଯୁକ୍ତଙ୍କ ନିକଟକୁ ଯିବ କେବେ ବୋଲି ଏତଲାକାରୀ ସୁମନଙ୍କ ପତ୍ନୀ ସୁଭଦ୍ରା ଚନ୍ଦନ ପ୍ରଶ୍ନ କରିଛନ୍ତି।
ଅନ୍ୟପଟେ ରାଇକିଆରେ ସ୍ମୃତିରେଖାଙ୍କ କରଜ ପେଡ଼ି କାରବାରକୁ ନେଇ ଆଲୋଚନା ହେଉଛି। ଗୋପାଳପୁର ଥାନାରେ ହୋଇଥିବା ଏତଲାରେ ଉଲ୍ଲେଖ ଅଭିଯୋଗ ଅନୁସାରେ, ସ୍ମୃତିରେଖା ବ୍ୟବସାୟୀ ସୁମନଙ୍କୁ ଫୋନ୍‌-ପେ ମାଧ୍ୟମରେ ୬ ଲକ୍ଷ ୫୮ ହଜାର ଓ ନଗଦ ଆକାରରେ ୫ ଲକ୍ଷ ୪୨ ହଜାର ଟଙ୍କା ଏଭଳି ଦୁଇଟି କିସ୍ତିରେ ମୋଟ ୧୨ ଲକ୍ଷ ଟଙ୍କା ଋଣ ଦେଇଥିଲେ। ହେଲେ କେବଳ ସୁମନ ନୁହନ୍ତି, ତାଙ୍କ ଭଳି ସହରର ଅନ୍ୟ ବଡ଼ ବଡ଼ ବ୍ୟବସାୟୀଙ୍କ ପାଖରେ ମଧ୍ୟ ସ୍ମୃତିରେଖା ଋଣ କାରବାର କରୁଥିବା କୁହାଯାଇଛି। ହେଲେ ଏହି ଟଙ୍କାର ହିସାବକୁ ନେଲେ ଯଦି ସ୍ମୃତିରେଖା ଲକ୍ଷ ଲକ୍ଷ ଟଙ୍କା ଆଣୁଥିଲେ କୁଆଡୁ? ମାତ୍ର ଦିନ କେଇଟା ଶିକ୍ଷକତା କରିଥିବା ସ୍ମୃତିରେଖାଙ୍କୁ ମହାଜନୀ କାରବାର ପାଇଁ ଟଙ୍କା ଦେଉଥିଲା କିଏ? ଏତଲାରେ ନିଜକୁ ଗୃହିଣୀ ବୋଲି ଦର୍ଶାଇଥିବା ଜଣେ ସାଧାରଣ ମହିଳା ଋଣ କାରବାର ପାଇଁ ଏତେ ଟଙ୍କା କେମିତି ପାଉଥିଲେ, ସେ ନେଇ ଅନେକ ପ୍ରଶ୍ନ ଉଠୁଛି। କାହା କଳାଟଙ୍କା ଧଳା କରିବାକୁ ସ୍ମୃତିରେଖା ମୋହରା ବନିଥିଲେ କି, ବୋଲି ମଧ୍ୟ ଆଲୋଚନା ହେଉଛି।
ସ୍ମୃତିରେଖା ଏହି ଋଣ ଓ ସୁଧ କାରବାରକୁ ସିଧା ସିଧା ଖଣ୍ଡନ କରିଛନ୍ତି। ପୂର୍ବରୁ ମଧ୍ୟ ସହରର ଆଉ ଜଣଙ୍କୁ ଏଭଳି ଋଣ ଦେଇ ସଂପୃକ୍ତ ବ୍ୟକ୍ତିଙ୍କୁ ଥାନାକୁ ଟାଣିଥିଲେ ବୋଲି ସହରରେ ଆଲୋଚନା ହେଉଛି। ଜନୈକ ସ୍କୁଲ୍ ପିଅନଙ୍କୁ ସେ ବ୍ୟବସାୟ ପାଇଁ ଋଣ ଦେଇଥିବା ବେଳେ ଥାନାକୁ ମାମଲା ଯିବାରୁ ସଂପୃକ୍ତ ବ୍ୟକ୍ତି ଏବେ ହାଇକୋର୍ଟରୁ ଆଗୁଆ ଜାମିନ ଆଣି ରହିଥିବା କୁହାଯାଉଛି। ଏହା ସହ ଆଉଜଣେ ବ୍ୟକ୍ତିଙ୍କୁ ମଧ୍ୟ ୫ ଲକ୍ଷ ଟଙ୍କା ଋଣ ଦେଇଥିବା ନେଇ ସ୍ଥାନୀୟ ପୁଲିସ ସୂଚନା ପାଇଛି। ଏହି ଋଣ ଓ ସୁଧ କାରବାର ପଛରେ ଖମାରୀଙ୍କ ହାତ ଥିଲା ବୋଲି ଆଲୋଚନା ଜୋର୍‌ ଧରିଛି। କାରଣ, ଗୋପଳପୁର ଥାନା ମାମଲାରେ ସ୍ମୃତିରେଖାଙ୍କ ଏତଲା ସନ୍ଧ୍ୟାରେ ପାଉ ପାଉ ସେମିତି କିଛି ସଙ୍ଗିନ ଦଫା ନଥାଇ ଥାନାଧିକାରୀ ଖମାରୀ ଅବିଳମ୍ବେ ରାତାରାତି ପୁଲିସ ଟିମ୍‌ ରାଇକିଆ ପଠାଇ ବ୍ୟବସାୟୀଙ୍କୁ ଉଠାଇ ଗୋପାଳପୁର ନେବା ଏହି ସନ୍ଦେହକୁ ଅଧିକ ବଢ଼ାଇ ଦେଇଛି।
ପ୍ରକାଶ ଥାଉ କି, ଗତ ୨୭ ତାରିଖରେ ସ୍ମୃତିରେଖା ଗୋପାଳପୁର ଥାନାରେ ଏତଲା ଦେଇଥିଲେ। ସନ୍ଧ୍ୟା ୭.୩୦ ମିନଟରେ ପୁଲିସ ମାମଲା ରୁଜୁ କରିଥିବା ବେଳେ ମାତ୍ର କେଇ ଘଣ୍ଟାରେ ରାତାରାତି ପହଞ୍ଚି ଭୋର ୩ଟାରେ ରାଇକିଆରୁ ସୁମନଙ୍କୁ ତରବରିଆ ଭାବେ ଉଠାଇ ଆଣିଥିଲା। ଥାନାବାବୁ ଏତେ ରାଗିଯାଇଥିଲେ ଯେ, ପଠାଇଥିବା କର୍ମଚାରୀଙ୍କୁ ସୁମନଙ୍କୁ ପିଟିପିଟି ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଉ ସେମାନେ ମଧ୍ୟ ଥାନାବାବୁଙ୍କ ନିର୍ଦ୍ଦେଶକୁ ଆଜ୍ଞାଧୀନ ଭାବେ ପାଳନ କରି କୁଆଡ଼େ ଗାଡ଼ି ଭିତରେ ମାଡ଼ ମାରିବା ଆରମ୍ଭ କରି ଦେଇଥିଲେ। ତେବେ କଥା ଉଠିଛି, ଥାନାରେ ହେଉଥିବା ବହୁ ମାମଲାରେ ପୁଲିସ ଅଭିଯୁକ୍ତକୁ ଧରିବାକୁ ଦିନ ଦିନ ଗଡ଼ିଯାଉଛି। କେତେବେଳେ କର୍ମଚାରୀ ଅଭାବ ତ, କେତେବେଳେ ଗାଡ଼ି ନାହିଁ, ଆଉ କେତବେଳେ ସରକାରୀ ଏସ୍‌କର୍ଟ ଦାୟତ୍ବ କହି ଲୋକଙ୍କୁ ପୁଲିସ ବୁଲାଇବା ନିତିଦିନିଆ ଘଟଣା। ଏହି ଘଟଣାରୁ ସ୍ମୃତିରେଖାଙ୍କ ପ୍ରତି ଖମାରୀଙ୍କ ଦରଦ ବାରି ହୋଇ ପଡ଼ୁଛି। ପୁଲିସ ଏଦିଗରେ ତଦନ୍ତ କରୁଥିବା ବେଳେ ପ୍ରକୃତ ସତ୍ୟ କେବେ ପଦାକୁ ଆସିବ ସେନେଇ ସାଧାରଣରେ ଉତ୍ସୁକତା ବଢୁଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe