The New Indian Express
ମାଲକାନଗିରି: ମାଲକାନଗିରି ଜିଲ୍ଲା ମୋଟୁ ଥାନା ଚୋରି ମାମଲାରେ ଦୁଇ ଯୁବକଙ୍କୁ ଅଟକ ରଖି ପୁଲିସ ତିନିଦିନ ଧରି ଥାର୍ଡ ଡିଗ୍ରୀ କରିଥିବା ନେଇ ଅଭିଯୋଗ ହୋଇଛି। ଘଟଣା ଅନୁଯାୟୀ କାଲିମେଳା ଥାନା ଅନ୍ତର୍ଗତ ମହାରାଜପାଲୀ ପଞ୍ଚାୟତର ଏମ୍ପିଭି-୮୧ ଗ୍ରାମର ଅଭିଜିତ ବିଶ୍ବାସଙ୍କ ଘରୁ ସୁନା ଗହଣା ଏବଂ ନଗଦ ଟଂକା ଚୋରି ହୋଇଥିବା ନେଇ ସ୍ଥାନୀୟ ଲୋକେ ଦୁଇ ଜଣ ଯୁବକକୁ ସଂଦେହ କରି ଧରି କଂଙ୍ଗାରୁ କୋର୍ଟ କରିଥିଲେ। ଏହି ଦୁଇ ଯୁବକ ହେଲେ ବିନୋଦ ବିଶ୍ବାସ, ବିପ୍ଲବ ହାଲଦାର। ଏମାନଙ୍କୁ ଗ୍ରାମରେ ଖାପ ପଞ୍ଚାୟତ ବସାଇ ଚୋରି କରିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ ଏମାନେ କିଛି ନ କହିବାରୁ ଏମାନଙ୍କୁ ମୋଟୁ ପୁଲିସର ଜିମାରେ ଦେଇଥିଲେ। ମୋଟୁ ପୁଲିସ ଏସ୍ଆଇ ସୋମନାଥ ଦଳପତି ଗତ ତିନିଦିନ ଧରି ଏହି ଦୁଇ ଯୁବକଙ୍କୁ ଥାନାରେ ଅଟକ ରଖି ମାଡ ମାରିଥିଲେ ବୋଲି ଅଭିଯୋଗ ହୋଇଛି।
ଏମିତି ମାଡ ମାରିଥିଲେ ଯେ ଦୁଇ ଯୁବକ ଗୁରୁତର ହୋଇଥିଲେ। ଶେଷରେ ସେମାନଙ୍କୁ ପ୍ରଥମେ ଏମ୍ଭି-୭୯ ଏବଂ ପରେ ମାଲାକନଗିରି ମେଡିକାଲକୁ ଅଣାଯାଇଥିଲା। ପରିବାର ଲୋକେ ଦୁଇ ଯୁବକ ନିର୍ଦୋଷ ବୋଲି କହିବା ସହ ଏହାର ତଦନ୍ତ କରାଯାଇ ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଛନ୍ତି। ଅନ୍ୟଦିଗରେ ଏସ୍ପି ପ୍ରହ୍ଲାଦ ସହାୟ ମୀନା କହିଛନ୍ତି ଯେ, ପୁଲିସ ଦୁଇ ଯୁବକଙ୍କୁ ମାଡ ମାରିନାହିଁ। ଗ୍ରାମବାସୀ ଏହି ଦୁଇ ଯୁବକଙ୍କୁ ନିର୍ଦ୍ଧୁମ ପିଟିଛନ୍ତି। ତେବେ ଏସଆଇ ସୋମନାଥ ଦଳପତିଙ୍କୁ ମୋଟୁ ଥାନାରୁ ହଟାଇ ମାଲକାନଗିରି ଅଣାଯାଇଛି। ଏସଡିପିଓ ଅଭିଳାଶ ଏହାର ତଦନ୍ତ କରୁଛନ୍ତି ତଦନ୍ତ ପରେ ସବୁ ସତ୍ୟ ପଦାକୁ ଆସିବ ବୋଲି କୁହାଯାଇଛି।
Follow Us