ଆଶା ଦେଖାଇ ଠକି ଦେଲା ପ୍ରଶାସନ, ଇଚ୍ଛା ମୃତ୍ୟୁ ପାଇଁ ୧୯ କିନ୍ନରଙ୍କ ଆବେଦନ

ସେପ୍ଟେଟମ୍ବରରୁ ଚାକିରି ହରାଇଛନ୍ତି ସୁରକ୍ଷା ଦାୟିତ୍ୱରେ ଥିବା କିନ୍ନର

ଆଶା ଦେଖାଇ ଠକି ଦେଲା ପ୍ରଶାସନ, ଇଚ୍ଛା ମୃତ୍ୟୁ ପାଇଁ ୧୯ କିନ୍ନରଙ୍କ ଆବେଦନ

ଜୟପୁର: ଆଶା ଦେଖେଇ ଠକି ଦେଲା ପ୍ରଶାସନ। ଜୀବନର ରାହା ଦେଖାଇ ପୁଣି ଆଶାଆଶଙ୍କା ମଧ୍ୟକୁ ଠେଲିଦେଲା ପ୍ରଶାସନ। ତେଣୁ ଏ ଜୀବନ ନ ରଖି ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କଲେ ଜିଲ୍ଲା ମେଡିକାଲରେ କାର୍ଯ୍ୟରତ ଥିବା ୧୯ଜଣ କିନ୍ନର। ଅଖିଳ ଓଡ଼ିଶା ତୃତୀୟଲିଙ୍ଗି ଟ୍ରଷ୍ଟର ଅଧ୍ୟକ୍ଷ ମୀରା ପରିଡାଙ୍କୁ ଏନେଇ ଚିଠି କରିଥିବା ଜଣାପଡିଛି। ଏନେଇ ଟ୍ରଷ୍ଟର ଅଧ୍ୟକ୍ଷ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି କରାଯିବ ବୋଲି ସୂଚନା ଦେଇଛନ୍ତି।

୨୦୧୬ରେ କୋରାପୁଟ ଜିଲ୍ଲାର ଜୟପୁର ଉପଖଣ୍ଡ ପ୍ରଶାସନ ପକ୍ଷରୁ ୧୯ଜଣ କିନ୍ନରଙ୍କୁ ଚିହ୍ନଟ କରି ଟ୍ରେନିଂ ଦେଇ ପ୍ରଥମେ ଉପଖଣ୍ଡ ଚିକିତ୍ସାଳୟରେ ସୁରକ୍ଷା ଦାୟିତ୍ୱରେ ରଖାଯାଇଥିଲା। ସେମାନେ ରୋଗୀ କଲ୍ୟାଣ ସମିତି ପକ୍ଷରୁ ଏହି କିନ୍ନରଙ୍କୁ ମାସିକ ୬୯୦୦ଟଙ୍କାରେ ନିଯୁକ୍ତି ଦିଆଯାଇଥିଲା କିନ୍ତୁ ସରକାରଙ୍କ ନିୟମ ବଦଳରେ ଏହି ଅର୍ଥରେ ମାନବ ସମ୍ଭଳ ବାବଦରେ ଖର୍ଚ୍ଚ ହୋଇ ନ ପାରିବା ନିର୍ଦ୍ଦେଶ ଆସିବା ପରେ ସେମାନଙ୍କୁ ଚାକିରିରୁ ବାହାରି ଯିବାକୁ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ। ସେମାନେ ହୋ ହାଲ୍ଲା କରିବା ପରେ ସେମାନଙ୍କୁ ଏକ ସଂସ୍ଥା ଜରିଆରେ ମାସିକ ୮୬୦୦ଟଙ୍କା ନିଯୁକ୍ତିରେ ଜିଲ୍ଲା ଚିକିତ୍ସାଳୟରେ ରଖାଯାଇଥିଲା କିନ୍ତୁ ଗତମାସରୁ ସମ୍ପୂର୍ଣ୍ଣଭାବେ ଚାକିରିରୁ ବହିଷ୍କୃତ କରାଯାଇଛି। ବିନା ନୋଟିସରେ ସେମାନଙ୍କୁ ଚାକିରିରୁ ବାହାର କରାଯାଇଥିବାରୁ ସେମାନେ ପ୍ରଥମେ ଚିକିତ୍ସାଳୟର ଉଚ୍ଚ କର୍ତ୍ତୃପକ୍ଷ, ପରେ ଉପଜିଲ୍ଲାପାଳ ଓ ଜିଲ୍ଲାପାଳଙ୍କୁ ଏନେଇ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ।

ତେବେ ସେହି ସମୟରେ ଜିଲ୍ଲାପ୍ରଶାସନ ପକ୍ଷରୁ ରାଜେଶ୍ୱରୀ ନାଏକ, ମଙ୍ଗଳଘନ ଗରଡା, ଜି.ଭି.ରାଓ, ସହନ ହରିଜନ, ଦିବାକର ସେଠୀ, ରାଜୁ ମାଛ, ରସିକ ପାଇକ, ଚୈତନ୍ୟ ଗଲରୀ, କୋଟି ମହାରଣା, ଶିବ ଜାନୀ, ରାମ ଜାନି, କିଶୋର କୂଳଦୀପ, ଶ୍ୟାମସୁନ୍ଦର ହରିଜନ, ବାବୁଲା ପରଜା କର୍ତ୍ତିକ ନାଏକ, ମନୁ ଗେଡ, ଗଣେଷ ବାଘ, ରବି ମାଝି ଓ ଭଗବାନ ନାଏକଙ୍କୁ ନିଯୁକ୍ତି ଦଆଯାଇଥିଲା। ହେଲେ ପ୍ରଥମେ ଜିଲ୍ଲାପ୍ରଶାସନ ପରେ ଠିକାସଂସ୍ଥା ପକ୍ଷରୁ ହଟାଦାରର ଶିକାର ହୋଇଛନ୍ତି। ଠିକାସଂସ୍ଥା ପକ୍ଷରୁ ଏହିମାନଙ୍କୁ ସୁରକ୍ଷା ଦାୟିତ୍ୱରେ ରଖିବାକୁ ମେଟ୍ରିକ୍‌ ପାସର ଶିକ୍ଷାଗତ ଯୋଗ୍ୟତା ରଖିଥିବାବେଳେ ସେମାନଙ୍କ ନିକଟରେ କୌଣସି ପ୍ରମାଣପତ୍ର ନ ଥିବା ଜଣାପଡିଛି।

ସମାଜ ସହ ହାତ ମିଶାଇ ଚାଲିବେ ବୋଲି ତତକାଳୀନ ଉପଜିଲ୍ଲାପାଳ ଚକ୍ରବର୍ତ୍ତି ସିଂହ ରାଠୋରଙ୍କ ପ୍ରଚେଷ୍ଠାରେ ଏହିମାନଙ୍କୁ ନିଯୁକ୍ତି ଦିଆଯାଇଥିଲା। ହେଲେ ଏବେ ସେମାନେ ନାଁ କୌଣସି ସ୍ଥାନରେ ଚାକିରି କରି ପାରୁଛନ୍ତି ନା ସେମାନେ ପୁଣି ପରେ ସେହି ପୁରୁଣା ଜାଗାକୁ ଫେରି ପାରୁଛନ୍ତି। ଦିନକୁ ଦିନ ସେମାନଙ୍କ ଆର୍ଥିକଅବସ୍ଥା ଦୁର୍ବଳ ହେଉଥିବାବେଳେ କିଏ କିଏ ବାସନ ମାଜିବା, ରେଳ ଷ୍ଟେସନରେ ଭିକ୍ଷାବୃତ୍ତି ସହ ମାଛ ବଜାରରେ ମାଛ ବିକ୍ରି ପରିବାର ଚଳାଉ ଥିବାବେଳେ ସେମାନଙ୍କୁ ଡାକି ପ୍ରଶାସନ ସୁରକ୍ଷାକର୍ମୀ ଭାବେ ନିଯୁକ୍ତି ଦେଲେ। ହେଲେ ଏବେ ଚାକିରିରୁ ବାହାର କରି ଦେଇଥିବାରୁ ପୁରୁଣା କାମକୁ ଫେରି ପାରୁ ନାହାନ୍ତି ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe