ଆଣ୍ଡ୍ରଏଡ୍‌ ମୋବାଇଲ୍ ନ ଥିଲେ ମନ୍ଦିର ଓ ଭାଗବତ ଟୁଙ୍ଗୀରେ ପାଠପଢ଼ିବେ ଛାତ୍ରଛାତ୍ରୀ

Advertisment
ଆଣ୍ଡ୍ରଏଡ୍‌ ମୋବାଇଲ୍ ନ ଥିଲେ ମନ୍ଦିର ଓ ଭାଗବତ ଟୁଙ୍ଗୀରେ ପାଠପଢ଼ିବେ ଛାତ୍ରଛାତ୍ରୀ

The Indian Express

ଅନୁଗୁଳ: ୟୁ-ଟ୍ୟୁବ୍‌ ପାଠପଢ଼ା, ଦୂରଦର୍ଶନ ଚ୍ୟାନେଲ୍‌ରେ ଶିକ୍ଷା କାର୍ଯ୍ୟକ୍ରମ। କୋଭିଡ୍ ବେଳାରେ ଶିକ୍ଷା ବିତରଣର ଏ ସବୁ ବିକଳ୍ପ ମାଧ୍ୟମ ଆପଣାଇବା ସତ୍ତ୍ବେ ବି ଅନୁଗୁଳ ଜିଲ୍ଲାର ଅଧାରୁ ଅଧିକ ଏମିତି ପିଲା ଅଛନ୍ତି ଯେଉଁମାନେ ଏବେ ବି ପାଠପଢ଼ାରୁ ବଞ୍ଚିତ। କେଉଁଠି ଇଣ୍ଟରନେଟ୍‌ ନାହିଁ ତ, ଆଉ କାହାର ମୋବାଇଲ୍ ନାହିଁ। ଶିକ୍ଷାର ଏ ବିକଳ୍ପ ମାଧ୍ୟମ ସହିତ ଏମାନେ ଯୋଡ଼ି ହୋଇ ପାରୁ ନାହାନ୍ତି। ଶିକ୍ଷା ସେମାନଙ୍କ ପାଇଁ ଅପହଞ୍ଚ ପାଲଟିଛି। ଏଭଳି ଶିଶୁଙ୍କୁ ଶିକ୍ଷାର ସ୍ରୋତ ସହିତ ଯୋଡ଼ିବା ପାଇଁ ଅନୁଗୁଳ ଜିଲ୍ଲା ଶିକ୍ଷା ବିଭାଗ ଆରମ୍ଭ କରିଛି ନୂଆ ଯୋଜନା। ଅନୁଗୁଳରେ ଥିବା ଦୁଇଟି ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ ଅନୁଷ୍ଠାନ(ଡିଆଇଇଟି)ର ବିଦ୍ୟାର୍ଥୀଙ୍କୁ ଜିଲ୍ଲାର ୨୧୦ଟି ଗାଁକୁ ପଠାଇ ଏଭଳି ଶିଶୁଙ୍କୁ ଶିକ୍ଷା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଜିଲ୍ଲା ଶିକ୍ଷା ବିଭାଗ ତଥ୍ୟ ମୁତାବକ, ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରେ ଗୋଟିଏ ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବଂ କିଶୋରନଗରଠାରେ ଗୋଟିଏ ସିଟି ସ୍କୁଲ ରହିଛି। ଛେଣ୍ଡିପଦା ପ୍ରତିଷ୍ଠାନରେ ୧୭୩ଜଣ ବିଦ୍ୟାର୍ଥୀ ପାଠ ପଢ଼ୁଥିବା ବେଳେ କିଶୋରନଗର ସିଟି ସ୍କୁଲରେ ଅଛନ୍ତି ୯୩ଜଣ ବିଦ୍ୟାର୍ଥୀ। ଉଭୟ ପ୍ରତିଷ୍ଠାନ ପାଠ ପଢ଼ୁଥିବା ପ୍ରତ୍ୟେକ ପିଲା ୨୦ଟି କ୍ଲାସ୍‌ ନେବାର ନିୟମ ରହିଛି। ଏହାକୁ ପ୍ରାକ୍ଟିକାଲ୍ କ୍ଲାସ୍‌ କୁହାଯାଏ। କିନ୍ତୁ, କୋଭିଡ୍‌ ପାଇଁ ସ୍କୁଲ ଖୋଲୁ ନଥିବା ବେଳେ ପିଲାଙ୍କ ପାଠପଢ଼ା ଏବଂ ଶୈକ୍ଷିକ ପ୍ରତିଷ୍ଠାନର ଶିକ୍ଷକ ବିଦ୍ୟାର୍ଥୀଙ୍କ ପ୍ରାକ୍ଟିକାଲ୍ କ୍ଲାସ୍‌ ମଧ୍ୟ ହୋଇପାରୁ ନାହିଁ। ଅନ୍ୟପକ୍ଷରେ ୟୁ-ଟ୍ୟୁବ୍‌ ଏବଂ ଦୂରଦର୍ଶନ ମାଧ୍ୟମରେ ଶିକ୍ଷାଦାନ କରାଗଲେ ମଧ୍ୟ ଇଣ୍ଟରନେଟ୍ ଏବଂ ଆଣ୍ଡ୍ରଏଡ୍‌ ମୋବାଇଲ୍ ନ ଥିବା ଯୋଗୁ ପିଲାମାନେ ଏ ବିକଳ୍ପ ଶିକ୍ଷାଦାନ ମାଧ୍ୟମ ସହିତ ଯୋଡ଼ି ହୋଇ ପାରୁ ନାହାନ୍ତି।

ତେଣୁ, ଶିକ୍ଷା ବିଭାଗ ଇଣ୍ଟରନେଟ ସହିତ ଯୋଡ଼ି ହୋଇ ପାରୁ ନଥିବା ପିଲାଙ୍କୁ ଡିଆଇଇଟି ବିଦ୍ୟାର୍ଥୀଙ୍କ ସହିତ ଯୋଡ଼ିବାକୁ ଚାହୁଁଛି। ଡିଆଇଇଟିର ପିଲାମାନେ ନିଜର ଗାଁ କିମ୍ବା ପାଖ ଗାଁର ପିଲାଙ୍କୁ ହିଁ ନିଜେ ଶିକ୍ଷାଦାନ କରିବେ। ଉଭୟ ଶୈକ୍ଷିକ ପ୍ରତିଷ୍ଠାନରେ ମୋଟ୍ ୨୬୬ଜଣ ବିଦ୍ୟାର୍ଥୀ ଥିଲେ ହେଁ ଜିଲ୍ଲାରେ ରହୁଥିବା ୨୧୦ଜଣ ବିଦ୍ୟାର୍ଥୀଙ୍କୁ ଏ ଯୋଜନା ସହିତ ଯୋଡ଼ା ଯାଇଛି। ଏହି ବିଦ୍ୟାର୍ଥୀମାନେ ଦ୍ବିତୀୟରୁ ପଞ୍ଚମ ଶ୍ରେଣୀର ପିଲାଙ୍କୁ ପଢ଼ାଇବେ। କିନ୍ତୁ, ସ୍କୁଲରେ ନୁହେଁ। ପଥେ ପାଠଶାଳା ଭଳି ଗାଁର କୋଠଘର, ଭାଗବତୀ ଟୁଙ୍ଗି, କ୍ଲବ୍‌ ଘର, ମନ୍ଦିର ଭଳି ଜାଗାରେ ପାଠ ପଢ଼ାଇବାକୁ ଆଜିର ବୈଠକରେ ନିଷ୍ପତ୍ତି ହୋଇଛି। କିଛି ଜାଗା ନ ମିଳିଲେ ସ୍କୁଲ ପରିସରରେ ଶିକ୍ଷାଦାନ କରିବାକୁ କୁହାଯାଇଛି।

ପ୍ରତ୍ୟେକ ଶିକ୍ଷକ ବିଦ୍ୟାର୍ଥୀ ୧୦/୧୫ଜଣ ପିଲାଙ୍କୁ ନେଇ ପାଠଶାଳା ଚଳାଇବେ। ଯାହାଙ୍କ ପାଖରେ ମୋବାଇଲ୍ କିମ୍ବା ଟିଭି ନାହିଁ ସେହି ପିଲାମାନେ ହିଁ ଏ ପାଠଶାଳାର ବିଦ୍ୟାର୍ଥୀ ହେବେ। ଏ ପାଠଶାଳାରେ କୋଭିଡ୍ ନିୟମ କଡ଼ାକଡ଼ି ଅନୁପାଳନ କରାଯିବ। ପ୍ରତ୍ୟେକ ଶିଶୁଙ୍କ ମଧ୍ୟରେ ଛଅ ଫୁଟର ଦୂରତା, ସାନିଟାଇଜର, ଡବଲ ମାସ୍କ୍ ପିନ୍ଧି ପିଲାଙ୍କୁ ପାଠଶାଳାରେ ବସାଇବାକୁ କୁହାଯାଇଛି।

ଏ ପ୍ରକାର ପାଠପଢ଼ାକୁ ଅନୁଚାଳନା କରିବା ଦାୟିତ୍ବ ଡିଆଇଇଟି ଅଧ୍ୟାପକମାନଙ୍କୁ ଦିଆଯାଇଛି। ପ୍ରତ୍ୟେକ ଅଧ୍ୟାପକ ୨୫ ଜଣ ଶିକ୍ଷକ-ବିଦ୍ୟାର୍ଥୀଙ୍କ ଅନୁଚାଳନା କରିବେ ବୋଲି କୁହାଯାଇଛି। ଆସନ୍ତା ୧୫ତାରିଖରୁ ଅକ୍ଟୋବର ୧୦ତାରିଖ ଯାଏ ଏ ପ୍ରକାର ପାଠଶାଳା ଚଳାଇବାକୁ ଯୋଜନା ହୋଇଛି। ଡିଆଇଇଟି ପିଲାଙ୍କୁ ନେଇ ଆରମ୍ଭ ହେବାକୁ ଥିବା ଏହି ଯୋଜନା ଯଦି ସଫଳ ହୁଏ, ତେବେ ସ୍କୁଲ ଶିକ୍ଷକମାନଙ୍କୁ ମଧ୍ୟ ଗାଁ ଗାଁକୁ ପଠାଇ ଶିକ୍ଷାଦାନ କରାଯିବାକୁ ବିଭାଗ ଯୋଜନା କରୁଛି। ଏନେଇ ଭାରପ୍ରାପ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ ମହାପାତ୍ରଙ୍କ ନେତୃତ୍ବରେ ସମସ୍ତ ବିଇଓ, ଏବିଇଓ ଏବଂ ଡିଆଇଇଟି ପ୍ରିନ୍‌ସିପାଲଙ୍କୁ ନେଇ ଆଜି ଆଲୋଚନା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe