ଆରଆଇଙ୍କୁ ଧମକ ଦେଇ ପୋକ୍ଲେଇନ ଛଡ଼ାଇ ନେଲେ ମାଫିଆ

Advertisment
ଆରଆଇଙ୍କୁ ଧମକ ଦେଇ ପୋକ୍ଲେଇନ ଛଡ଼ାଇ ନେଲେ ମାଫିଆ

Sambad

ସିକୋ: ସିକୋ ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ବେଧଡ଼କ ବେଆଇନ ମାଙ୍କଡ଼ା ପଥର ଓ ମୋରମ ଖଣି ଚାଲୁଛି। ପ୍ରଶାସନ ପକ୍ଷରୁ ଲଘୁଖଣିଜ ଦ୍ରବ୍ୟ ଚୋରା ଚାଲାଣକାରୀଙ୍କ ଉପରେ କୌଣସି କଠୋର ପଦକ୍ଷେପ ନିଆଯାଉ ନାହିଁ। ବୁଧବାର ରାଉତପଡ଼ା ଲେମ୍ବୁ ଖଣିରେ ଆରଆଇ ବିଜୟ କୁମାର ମାର୍ଥା, ସୁପରଭାଇଜର କୃଷ୍ଣଚନ୍ଦ୍ର ମହାପାତ୍ର ଓ ଅନ୍ୟ ରାଜସ୍ୱ ବିଭାଗ କର୍ମଚାରୀଙ୍କ ଏକ ଟିମ୍ ଚଢ଼ଉ କରିଥିଲା। ଏଥିରେ ଦୁଇଟି ପୋକ୍ଲେଇନ୍ ଜବତ କରି କାର୍ଯ୍ୟାଳୟକୁ ଆଣୁଥିବା ବେଳେ ପଥର ମାଫିଆ ଆର୍ଆଇ ଶ୍ରୀ ମାର୍ଥାଙ୍କୁ ଧମକଚମକ ଦେଇ ଗୋଟିଏ ପୋକ୍ଲେଇନ ଏକ୍ସାଭେଟର ଛଡ଼ାଇ ନେଇଥିଲେ। ଜବତ ହୋଇଥିବା ଅନ୍ୟ ପୋକ୍ଲେଇନ୍ ଏକ୍ସାଭେଟର ମାଲିକଙ୍କ ଠାରୁ ୧ଲକ୍ଷ ୨୫ ହଜାର ଟଙ୍କା  ଜରିମାନା ଆଦାୟ କରାଯାଇଥିଲା। ଧମକ ଦେଇ ପୋକ୍ଲେଇନ୍ ଛଡ଼ାଇନେବା ଘଟଣାରେ ତହସିଲଦାର ଦାୟିତ୍ୱରେ ଥିବା ବିଡ଼ିଓଙ୍କୁ ଆର୍ଆଇ ଶ୍ରୀ ମାର୍ଥା ଲିଖିତ ଭାବେ ଆଜି ଜଣାଇଛନ୍ତି। ଯଦି ତାଙ୍କୁ ସୁରକ୍ଷା ଦିଆନଯାଏ ତେବେ ଖଣି ମାଫିଆଙ୍କ ଠାରୁ ତାଙ୍କ ଜୀବନପ୍ରତି ବିପଦ ଥିବା ଦର୍ଶାଇଛନ୍ତି। କିନ୍ତୁ ସନ୍ଧ୍ୟା ସୁଦ୍ଧା ଆର୍ଇ କିମ୍ବା ତହସିଲ କାର୍ଯ୍ୟାଳୟ ପକ୍ଷରୁ ଅଭିଯୁକ୍ତଙ୍କ ବିରୋଧରେ କୌଣସି ବିଧିବଦ୍ଧ ଅଭିଯୋଗ କରାଯାଇନାହିଁ।

ଏନେଇ ପଥର ମାଫିଆଙ୍କ ସହ ସରକାରୀ ଅଧିକାରୀଙ୍କ ଭିତିରି ସମ୍ପର୍କ ଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ଏଠାରେ ସୂଚନାଯୋଗ୍ୟ ପ୍ରାୟ ଦୁଇମାସ ପୂର୍ବେ ବେଗୁନିଆର କାର୍ଯ୍ୟରତ ତହସିଲଦାର ପୃଥିବୀରାଜ ମଣ୍ଡଳ ୪୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। କେବଳ ପୃଥିବୀରାଜ ମଣ୍ଡଳ ନୁହନ୍ତି। ବ୍ଲକର ଅନେକ ସରକାରୀ କର୍ମଚାରୀ ପଥର ମାଫିଆଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ସୁରକ୍ଷା ଦେଉଥିବା ଅଭିଯୋଗ ହେଉଛି। ଏନେଇ ସରକାର ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe