ପରକୀୟା ପ୍ରୀତିକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣ ଗିରଫ

Advertisment
ପରକୀୟା ପ୍ରୀତିକୁ ନେଇ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣ ଗିରଫ

Sambad

ରାୟଗଡ଼ା: ପରକୀୟା ପ୍ରୀତିକୁ ନେଇ ବି. ରାଜ କୁମାରଙ୍କୁ ପିଟିପିଟି ହତ୍ୟା କରିବା ଘଟଣାରେ ରାୟଗଡ଼ା ପୁଲିସ ୩ ଜଣଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଲିଙ୍ଗାଲୁ ସୀମାଞ୍ଚଳମ, ସହଯୋଗୀ ବଳରାମ ପାଢ଼ୀ, ଜି. ସାବେରିଶ୍ କୁମାରକୁ ପୁଲିସ ସଂଧ୍ୟାରେ କୋର୍ଟ ଚାଲାଣ କରିଛି। ସମସ୍ତ ଅଭିଯୁକ୍ତ ରାୟଗଡ଼ା ସହରର। ମୁଖ୍ୟ ଅଭିଯୁକ୍ତ ସୀମାଞ୍ଚଳମଙ୍କ ସ୍ତ୍ରୀ ସହିତ ହତ୍ୟାକାଣ୍ଡରେ ଶିକାର ବି. ରାଜ କୁମାରଙ୍କ ଅନୈତିକ ସଂପର୍କ ରହିଥିଲା। ଯାହା ଏହି ହତ୍ୟାକାଣ୍ଡ ପଛର ମୂଳ କାରଣ ବୋଲି ସ୍ପଷ୍ଟ କରିଛନ୍ତି ଅତିରିକ୍ତ ଏସ୍‌ପି ଶଙ୍କର ପ୍ରସାଦ ଦ୍ବିବେଦୀ। ସୀମାଞ୍ଚଳମ ବୃତ୍ତିରେ ଅଟୋ ଡ୍ରାଇଭର ଥିଲେ। ଭଡ଼ା କିମ୍ବା ଅନ୍ୟ କୌଣସି କାମରେ ସୀମାଞ୍ଚଳମ ଅନ୍ୟତ୍ର ଯାଇଥିବା ବେଳେ ବି. ରାଜ କୁମାର ଘରକୁ ଆସି ସ୍ତ୍ରୀ ସହ ମିଳାମିଶା କରୁଥିଲେ। ତାଗିଦ୍ କରିବା ପରେ ମଧ୍ୟ ନିଜ ସ୍ତ୍ରୀ ଓ ରାଜ କୁମାରଙ୍କ ଆଚରଣରେ କୌଣସି ପରିବର୍ତ୍ତନ ନ ଆସିବାରୁ ସବୁ ଦିନ ରାଜ କୁମାରଙ୍କୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିଲେ ସୀମାଞ୍ଚଳମ।

ଯୋଜନାବଦ୍ଧ ଭାବେ ୩୧ ତାରିଖ ସଂଧ୍ୟାରେ ଅଟୋ ଭଡ଼ା ନେଇ ଆନ୍ଧ୍ର ଯାଉଥିବା କହି ଘରୁ ବାହାରି ଯାଇଥିଲେ ସୀମାଞ୍ଚଳମ। କିନ୍ତୁ ଭଡ଼ା ନ ଯାଇ ଘର ବାହାରେ ଦୁଇ ସହଯୋଗୀ ବଳରାମ ଓ ସାବେରିଶ୍ ସହ ଅପେକ୍ଷା କରିଥିଲେ। ସୀମାଞ୍ଚଳମ ଘରେ ନଥିବା ସ୍ତ୍ରୀ ଫୋନ୍ କରିବା ପରେ ରାତି ୧୦ଟାରେ ସୀମାଞ୍ଚଳମଙ୍କ ଘରେ ପହଞ୍ଚିଥିଲେ ରାଜ କୁମାର। ଘର ଭିତରକୁ ରାଜ କୁମାର ଯିବା ପରେ ବାହାର ପଟୁ ତାଲା ପକାଇ ଦେଇଥିଲେ ସୀମାଞ୍ଚଳମ। କିଛି କ୍ଷଣ ପରେ ତାଲା ଖୋଲି ଭିତରକୁ ଯିବା ସହ ଦୁଇ ସହଯୋଗୀଙ୍କ ସହ ମିଶି ରାଜ କୁମାରଙ୍କୁ ନିର୍ଧୁମ ପିଟିଥିଲେ। ବହୁ ସମୟ ଧରି ପିଟିବା ପରେ ରାତି ୧୨ଟାରେ ରାଜ କୁମାରଙ୍କୁ ପୁଲିସକୁ ହସ୍ତାନ୍ତର କରିବା ପାଇଁ ଆଣୁଥିଲେ। ହେଲେ ଜିସିଡି ପଡିଆ ନିକଟରେ ଥାନାକୁ ନ ଯାଇ ଘଟଣାର ମିମାଂଶା କରିବାକୁ ଅନୁରୋଧ କରିଥିଲେ ରାଜ କୁମାର। ଘରକୁ ଫୋନ କରି ଅର୍ଥ ଯୋଗାଡ଼ କରିବା ପାଇଁ କହିବା ପରେ ସୀମାଞ୍ଚଳମ ନିଜ ସହଯୋଗୀଙ୍କ ସହ ଅଟୋରେ ରାଜ କୁମାରଙ୍କୁ ନେଇ ନ୍ୟୁ କଲୋନୀ ସ୍ଥିତ ଘରକୁ ଆଣିଥିଲେ। ଘର ଭିତରେ ପହଞ୍ଚିବା ପରେ ରାଜ କୁମାର ପାଣି ମାଗିବା ସହ ଅଚେତ ହୋଇ ପଡିଥିଲେ। ଚେତା ଫେରିବା ପରେ ଘଟଣା ସଂପର୍କରେ ରାଜ କୁମାର ପର୍ଦାଫାଶ କରିବା ଭୟରେ ଜୀବନରେ ମାରି ଦେବାକୁ ଚାହିଁଥିଲେ ୩ ଅଭିଯୁକ୍ତ।

ଏକ ଗାମୁଛାରେ ତଣ୍ଟି ଚିପି ହତ୍ୟା କରିବା ପରେ ଆତ୍ମହତ୍ୟା ରୂପ ଦେବାକୁ ଏକ କମ୍ବଳରେ ବେକକୁ ବାନ୍ଧି ଫ୍ୟାନରେ ଝୁଲାଇ ଦେଇ ଚାଲି ଯାଇଥିଲେ। ସକ‌ାଳେ ରାଜ କୁମାରଙ୍କ ବାପା ବି. ପେଣ୍ଟା ରାଜୁ, ଭାଇ ବି. ରାକେଶ କୁମାର ପାର୍ବତୀପୁରମରୁ ଆସି ଘରେ ପହଞ୍ଚିବା ପରେ ହତ୍ୟାକାଣ୍ଡ ସଂପର୍କରେ ରାୟଗଡ଼ା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ରାୟଗଡ଼ା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଥାନା ଅଧିକାରୀ ରଶ୍ମୀରଞ୍ଜନ ପ୍ରଧାନଙ୍କ ନେତୃତ୍ବରେ ୩ ଅଭିଯୁକ୍ତକୁ ଗିରଫ କରିଛନ୍ତି। ସୂଚନାଅନୁଯାୟୀ, ଫଟୋ ଷ୍ଟୁଡ଼ିଓରୁ ଆରମ୍ଭ ହୋଇଥିଲା ବନ୍ଧୁତା। ଧୀରେଧୀରେ ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା। ବିବାହିତା ବୋଲି ଜାଣିବା ସତ୍ତ୍ବେ ସୀମାଞ୍ଚଳମଙ୍କ ସ୍ତ୍ରୀ ପ୍ରେମରେ ପଡି ଯାଇଥିଲେ ରାଜ କୁମାରଙ୍କ ସହ। ୬ ମାସ ତଳେ ଗଢ଼ି ଉଠିଥିବା ସଂପର୍କ ୨ ମାସ ତଳେ ନିବିଡ଼ ହୋଇଥିଲା।

ଅଟୋ ଡ୍ରାଇଭର ତଥା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ସୀମାଞ୍ଚଳମ ଘରେ ଅନୁପସ୍ଥିତ ଥିବାବେଳେ ବହୁ ସମୟ ଧରି ରାଜ କୁମାର ଓ ସୀମାଞ୍ଚଳମର ସ୍ତ୍ରୀ ଫୋନରେ କଥାବାର୍ତ୍ତା କରୁଥିଲେ। ବନ୍ଧୁତାରୁ ଆରମ୍ଭ ହୋଇଥିବା ସଂପର୍କ ପରେ ପ୍ରେମ ଶେଷରେ ଅନୈତିକ ସଂପର୍କରେ ପରିଣତ ହୋଇଥିଲା। ସ୍ତ୍ରୀ ସହ ରାଜ କୁମାର ବହୁ ସମୟ ଧରି ମିଳାମିଶା କରୁଥିବା ସୀମାଞ୍ଚଳମ ଜାଣିବା ପରେ ଉଭୟଙ୍କୁ ତାଗିଦ୍ କରିଥିଲେ। କିନ୍ତୁ ଭାଇ-ଭଉଣୀର ସଂପର୍କ ଦର୍ଶାଇ ତାଗିଦକୁ ଖାତିର କରିନଥିଲେ ସ୍ତ୍ରୀ। ଯାହାକୁ ନେଇ ପ୍ରତିଶୋଧ ପରାୟଣ ହୋଇ ରାଜ କୁମାରଙ୍କୁ ଧରି ମାଡ଼ ମାରିବାକୁ ଯୋଜନା କରିଥିଲେ ସୀମାଞ୍ଚଳମ। ୩୧ ତାରିଖ ରାତିରେ ମାଡ଼ ମାରୁ ମାରୁ ରାଜ କୁମାରଙ୍କୁ ଜୀବନରୁ ମାରି ଦେଇଥିଲେ ସୀମାଞ୍ଚଳମ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe