ହନୁମାନ ପଇସା କାରବାର ଅଭିଯୋଗ: ୩ ଗିରଫ, ଲକ୍ଷେ ଟଙ୍କା ସହ ହନୁମାନ ପଇସା ଜବତ

Advertisment
ହନୁମାନ ପଇସା କାରବାର ଅଭିଯୋଗ: ୩ ଗିରଫ, ଲକ୍ଷେ ଟଙ୍କା ସହ ହନୁମାନ ପଇସା ଜବତ

ଦେବଗଡ଼: ହନୁମାନ ପଇସାର ବେଆଇନ କାରବାର ଅଭିଯୋଗରେ ଦେବଗଡ଼ ଜିଲ୍ଲା ସ୍ପେସାଲ ସ୍କ୍ବାର୍ଡ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨ଟି ହନୁମାନ ପଇସା, ୩ଟି ମୋବାଇଲ ଫୋନ୍‌ ଓ ଲକ୍ଷେ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି। ଅଭିଯୋଗରେ ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଭଣ୍ଡାରୀମାଲ ଗ୍ରାମର ନରହରି ରାଉତିଆ(୪୯), ରେଙ୍ଗାଳକାନୀ ଗ୍ରାମର ପ୍ୟାରୀମୋହନ ପ୍ରଧାନ(୪୩) ଓ ରିଆମାଳ ଥାନା ଅନ୍ତର୍ଗତ ଅର୍ଗେନ ଗ୍ରାମର ଉପେନ୍ଦ୍ର ମାଝୀ (୫୮)ଙ୍କୁ ଗିରଫ କରିବା ସହ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସପି ରାଜ କିଶୋର ପାଇକରାୟ ସୂଚନା ଦେଇଛନ୍ତି।

ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏସଡ଼ିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ବରେ ଜିଲ୍ଲା ପୁଲିସର ସ୍ପେସାଲ ସ୍କ୍ବାର୍ଡ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ନରହରି, ପ୍ୟାରୀମୋହନ ଓ ଉପେନ୍ଦ୍ରଙ୍କ ସହିତ ଯୋଗାଯୋଗ କରି ପୁଲିସ ଗ୍ରାହକ ବେଶରେ ଗୋହିରା ଡ୍ୟାମ ନିକଟ ରାସ୍ତାରେ ଛକି ରହିଥିଲା। ଯୋଜନା ମୁତାବକ ସେମାନେ ଉକ୍ତ ସ୍ଥାନରେ ପହଞ୍ଚି ହନୁମାନ ପଇସା ବାହାର କରି ଏହାର ବିଶେଷତ୍ୱକୁ ପରୀକ୍ଷା କରି ଦେଖାଉଥିବା ବେଳେ ସାଦା ପୋଷାକରେ ଥିବା ଏସ୍‌ଡିପିଓ ଶ୍ରୀ ମହାପାତ୍ରଙ୍କ ସମେତ ସ୍ପେସାଲ ସ୍କ୍ବାର୍ଡ ପୁଲିସ ସେମାନଙ୍କୁ କାବୁ କରିଥିଲେ। ସେଠାରୁ ସେମାନଙ୍କୁ ଦେବଗଡ଼ ଥାନାକୁ ଅଣାଯାଇଥିଲା। ପଚରାଉଚରା ପରେ ସେମାନଙ୍କଠାରୁ ଦୁଇଟି ହନୁମାନ ପଇସା, ନଗଦ ଏକ ଲକ୍ଷ ଟଙ୍କା, ୨ଟି ବାଇକ୍‌ ଓ ମୋବାଇଲ ଫୋନ ଜବତ କରାଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଡିଏସ୍‌ପି (ଡିଆଇବି )ପ୍ରଦୀପ କୁମାର କେରକେଟା, ଦେବଗଡ଼ ଥାନା ଅଧିକାରୀ ସୁରେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe