ଯାଜପୁର: ଭିନ୍ନ ଭିନ୍ନ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ

Advertisment
ବଜ୍ରପାତରେ ଜଣେ ମୃତ 

Telegraph India

ଚଣ୍ଡିଖୋଲ/ ଧର୍ମଶାଳା/ ବ୍ୟାସନଗର: ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ଦୁର୍ଘଟଣା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଛି। ବାଇକ୍‌ ଦୁର୍ଘଟଣାରେ ମାହାଙ୍ଗା ଥାନା ମୂଳବସନ୍ତ ଉତ୍ତରସାହି ଗ୍ରାମର ପ୍ରଭାକର ଦାସଙ୍କର ଏକମାତ୍ର ପୁତ୍ର ଶୁଭେନ୍ଦୁ ଦାସ (୨୨)ଙ୍କର ଆଜି ସନ୍ଧ୍ୟାରେ ମୃତ୍ୟୁ ହୋଇଛି। ଆଜି ଅପରାହ୍‌ଣ ୪ଟାରେ ଶୁଭେନ୍ଦୁ ତାଙ୍କ ସାଙ୍ଗ ସେହି ଗାଁର ପୁପୁନି ଦାସ (୨୧)ଙ୍କ ସହିତ ଏକ ବାଇକରେ ବାଲିଚନ୍ଦ୍ରପୁର ବଜାରକୁ ଆସିଥିଲେ। ଘରକୁ ଫେରୁଥିବା ବେଳେ ଭାକୁଡ଼-ଗୋପାଳପୁର ଛକ ନିକଟରେ ତାଙ୍କ ବାଇକକୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଚାଲିଯାଇଥିଲା। ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ବଡ଼ଚଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ବାଇକ ଚାଳକ ଶୁଭେନ୍ଦୁଙ୍କର ମୃତ୍ୟୁ ଘଟିଥିଲା। ଆହତ ପୁପୁନି ଚିକିତ୍ସାଧୀନ ଅଛନ୍ତି। ଏକମାତ୍ର ପୁଅକୁ ହରାଇ ବାପାମାଆ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଶୁଭେନ୍ଦୁଙ୍କ ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ବାଇକ୍ ଦୁର୍ଘଟଣାରେ କ୍ରସର ମିସ୍ତ୍ରି ମୃତ
ଧର୍ମଶାଳା ଥାନା ଶଙ୍ଖାରିଡିହ-ଭାତୁରିପଶି ରାସ୍ତାର ବାଟମଙ୍ଗଳା ମନ୍ଦିର ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ବାଇକ୍ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ନିକଟସ୍ଥ ଟିକରସାହି ଗ୍ରାମର ତ୍ରିଲୋଚନ ସାମଲ (୩୮)। ସେ ସ୍ଥାନୀୟ ବାଜବାଟିରେ ଥିବା ଏକ କ୍ରସରରେ ମିସ୍ତ୍ରି ଭାବେ କାର୍ଯ୍ୟରତ ଥିଲେ। ଗତକାଲି ରାତି ପ୍ରାୟ ୧୦ଟାରେ ସେ ଘରୁ ବାହାରି ଯାଇଥିଲେ। ଆଜି ସକାଳେ ଗାଁ ନିକଟ ରାସ୍ତାରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତଦେହ ନିକଟରେ ଏକ ସ୍ପିଡ୍ ବାଇକ୍ (ଓଡି୦୯ଏସ୍‌ ୧୯୫୨), ତାଙ୍କ ଚପଲ ଓ ଟିଫିନ ବାକ୍ସ ପଡ଼ିଥିଲା। ପୁଲିସ୍‌ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବଡ଼ଚଣା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଇଛି।

ଟ୍ରେନ ଧକ୍କାରେ ଟେଲର ମିସ୍ତ୍ରିଙ୍କ ମୃତ୍ୟୁ
ଯାଜପୁର ରୋଡ୍‌ ରେଳଷ୍ଟେସନ ସାଇ ମନ୍ଦିର ଫାଟକ ନିକଟରେ ରେଳ ଲାଇନ ପାର ହେଉଥିବା ସମୟରେ ଟ୍ରେନ ଧକ୍କାରେ ଜଣେ ଟେଲର ମିସ୍ତ୍ରିଙ୍କ ମୃତ୍ୟୁ ହୋଇଛି। ମୃତବ୍ୟକ୍ତି ସାପଗଡ଼ିଆ ଗ୍ରାମର ଜାଫର୍ ଖାଁ (୫୫)। ସେ ଆଜି ଅପରାହ୍‌ଣରେ ଟେଲର ଦୋକାନରୁ ନିଜ ଘରକୁ ଫେରୁଥିଲେ। ରେଳ ଫାଟକ ପାର ହେଉଥିବା ସମୟରେ ଡାଉନ୍ ଲାଇନରେ ଏକ ମାଲବାହୀ ଗାଡ଼ି ଧକ୍କାରେ ଗୁରୁତର ଆହତ ହୋଇଥିଲେ। ବାମ ହାତଟି କଟିଯାଇଥିବା ବେଳେ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଯାଜପୁର ରୋଡ୍‌ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ରେଲବାଇ ଜିଆରପି ପୁଲିସ ଡାକ୍ତରଖାନାରେ ପହଞ୍ଚିଥିଲା। ଘଟଣାର ତଦନ୍ତ କରିବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe