Sambad
ନିଆଳି: ନିଆଳି ଥାନା ବିଳାଶୁଣୀ କନ୍ଦଳ ନଦୀ କୁଣ୍ତିମୁହଁ ପୋଲ ନିକଟରେ ଶୁକ୍ରବାର ରାତି ପ୍ରାୟ ୧୧ଟାରେ ଏକ କାର୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ୩ ଜଣ ଗୁରୁତର ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏ ସମ୍ପର୍କରେ ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କୁଣ୍ତିମୁହଁ ବ୍ରିଜ୍ ସଂଯୋଗୀକରଣ ରାସ୍ତା ଦୀର୍ଘ ଦିନ ଧରି ଅଧାପନ୍ତରିଆ ହୋଇ ପଡ଼ି ରହିଥିବାରୁ ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଥିଲେ। ତେଣୁ ରାସ୍ତାକୁ ଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ଶନିବାର ସକାଳେ ରାସ୍ତାରୋକ କରାଯାଇଥିଲା। ସୂଚନାନୁସାରେ ଶୁକ୍ରବାର ପୁରୀ ଜିଲ୍ଲା ଚାରିଛକ ଭିଲିଗ୍ରାମ ଅଞ୍ଚଳର ଏକ କାର୍ ଜଗତସିଂହପୁରରୁ ନିଆଳି ଆସୁଥିଲା। ରାତି ପ୍ରାୟ ୧୧ଟାରେ ଉକ୍ତ ସ୍ଥାନରେ କାର୍ଟି ଭାରସାମ୍ୟ ହରାଇ କେନାଲ୍ ତଳକୁ ଖସି ପଡ଼ିଥିଲା।
ସ୍ଥାନୀୟ ଲୋକେ ଦୁର୍ଘଟଣାର ଶବ୍ଦ ଶୁଣି ସେଠାରେ ପହଞ୍ଚି ଚାଳକଙ୍କ ସମେତ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିଆଳି ସିଏଚ୍ସିରେ ଭର୍ତ୍ତି କରିଥିଲେ। ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ରାସ୍ତା ସମ୍ପୂର୍ଣ୍ଣ ହୋଇପାରିନଥିବାରୁ ଏହି ଦୁର୍ଘଟଣା ଘଟୁଥିବା ଅଭିଯୋଗ କରି ସାମାଜିକ କର୍ମୀ ନାରାୟଣ ଡାଳୁଆ, ରାଜକିଶୋର ମହାନ୍ତି, ଗଣେଶ ଦାସ, ଏକନ ବାରିକ, କବିଚନ୍ଦ୍ର ବେହେରା, ଭାଗୀରଥି ଦାସ, ମାର୍କଣ୍ତ ଜେନାଙ୍କ ସମେତ ଶତାଧିକ ଗ୍ରାମବାସୀ ବିଳାଶୁଣୀ-କୁଣ୍ତିମୁହଁ ରାସ୍ତା ଅବରୋଧ କରିଥିଲେ। ଦେଢଘଣ୍ଟା ପରେ ନିଆଳି ପୁଲିସ୍ ଧାରଣାସ୍ଥଳରେ ପହଞ୍ଚି ସେମାନଙ୍କୁ ବୁଝାଶୁଝା କରିବା ପରେ ଧାରଣା ପ୍ରତ୍ୟାହାର କରାଯାଇଥିଲା।
Follow Us