ବନ୍ଧୁକ ଦେଖାଇ ଠିକା କ୍ୟାମ୍ପରୁ ଲୁଟ୍, ୩ ଗିରଫ

Advertisment
ବନ୍ଧୁକ ଦେଖାଇ ଠିକା କ୍ୟାମ୍ପରୁ ଲୁଟ୍, ୩ ଗିରଫ

ବେଲଗୁଣ୍ଠା: ଏକ କନଷ୍ଟ୍ରକ୍ସନ୍ କମ୍ପାନି କ୍ୟାମ୍ପ୍‌ର କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଦାଦାବଟି ମାଗିବା ଓ ଲୁଟ୍ ମାମଲାରେ ଗାଙ୍ଗପୁର ପୁଲିସ ଆଜି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେ‌ଲେ, ଗାଙ୍ଗପୁର ଥାନା ଅନ୍ତର୍ଗତ ଷଡ଼ଙ୍ଗୀପଲ୍ଲୀର ମିଥୁନ ନାଇକ, ସଞ୍ଜୟ ନାଇକ ଏବଂ ବୁଗୁଡ଼ା ଥାନା ଅନ୍ତର୍ଗତ କୁଶପଲ୍ଲୀ ଗ୍ରାମର ରାକେଶ ବିଷୋୟୀ। ସେମାନଙ୍କଠୁ ଗୋଟିଏ ବନ୍ଧୁକ, ୧୦ ହଜାର ୪୦୦ ଟଙ୍କା ଓ ଗୋଟିଏ ବାଇକ୍ ଜବତ ହୋଇଛି। ଏ ନେଇ ଥାନାଧିକାରୀ ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି।

ଅଭିଯୋଗକାରୀ ତଥା ସୋମନାଥପଲ୍ଲୀ ଗ୍ରାମର ଟୁନା ନାଇକ ଜଣେ ଠିକାଦାରଙ୍କ ପାଖରେ କାମ କରୁଛନ୍ତି। ବର୍ତ୍ତମାନ ବ୍ରହ୍ମପୁର-ଭଞ୍ଜନଗର ପର୍ଯ୍ୟନ୍ତ ଦୁଇଥାକିଆ ରାସ୍ତା କାମ ଚାଲିଥିବାରୁ ଟୁନା କଣ୍ଟେଇପଲ୍ଲୀ ନିକଟ ଗୋଦାମରେ ଜଗୁଆଳି ଭାବେ ନିୟୋଜିତ ଅଛନ୍ତି। ଗତ ରବିବାର ଅପରାହ୍‌ଣ ୩ଟାରେ ଉପରୋକ୍ତ ୩ ଜଣ ଅଭିଯୁକ୍ତ ଏକ ବାଇକ୍‌ରେ ଟୁନାଙ୍କ ପାଖକୁ ଆସି ‘‌ତୋ ମାଲିକ କୁଆଡ଼େ ଯାଇଛି’ ବୋଲି ପଚାରିଥିଲେ। ଆମକୁ ନ ଜଣାଇ କେମିତି କୋଟି କୋଟି ଟଙ୍କାର କାମ କରୁଛ ବୋଲି କହିବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏହାସହ ଧମକଚମକ ଦେଇ ୨୦ହଜାର ଟଙ୍କା ଦାଦାବଟି ମାଗିଥିଲେ।

କିନ୍ତୁ ମାଲିକ ଏଠାରେ ରହୁ ନଥିବା ଟୁନା କହିବା ପରେ ସେମାନେ ପଳାଇଥିଲେ। କିଛି ସମୟ ପରେ ମଦ ପିଇ ପୁଣି ଆସି ଟୁନାଙ୍କୁ ଗାଳିଗୁଲଜ କରିବା ସହ ଟଙ୍କା ମାଗିଥିଲେ। ଟଙ୍କା ନାହିଁ ବୋଲି କହିବାରୁ ସେମାନେ ଟୁନାଙ୍କୁ ଗଳାଧକ୍କା ଦେବା ସହ ବନ୍ଧୁକ ଦେଖାଇ ତାଙ୍କ ପକେଟ୍‌ରୁ ୧୨ହଜାର ୬୦୦ ଟଙ୍କା ଓ ମୋବାଇଲ୍‌ ଫୋନ୍‌ ଛଡ଼ାଇ ନେଇଥିଲେ। ଘଟଣା ବିଷୟ‌ରେ କାହାକୁ ଜଣାଇଲେ ଜୀବନରେ ମାରିଦେବାକୁ ଧମକ ଦେଇ ଚମ୍ପଟ୍ ମାରିଥିଲେ। ଟୁନାଙ୍କ ଏତଲା କ୍ରମେ ଗାଙ୍ଗପୁର ଥାନାରେ କେସ୍ ନମ୍ବର ୩୭୦ ଅନୁସାରେ ମାମଲା ରୁଜୁ ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe