Representative Image
ରାଇରଙ୍ଗପୁର/ତେନ୍ତୁଳିଖୁଣ୍ଟି/ନନ୍ଦାହାଣ୍ଡି: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବଜ୍ରପାତ ହୋଇଛି। ଏଥିରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଗୁରୁତର ଅଛନ୍ତି। ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକମାନେ ହେଲେ ସୁଶାନ୍ତ ଗିରି, ଜାଲେ ପିଙ୍ଗୁଆ ଓ ଦ୍ଵିତୀକା ନାୟକ।
ସୂଚନା ଅନୁସାରେ ମୟୂରଭଂଜ ଜିଲ୍ଲାର ବିଶୋଇ ଥାନା ତଥା ମଣଦା ଫାଣ୍ଡି ଅଧିନସ୍ଥ ମଣଦା ଗ୍ରାମରେ ଆଜି ଖରାବେଳେ ବଜ୍ରପାତରେ ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ଗ୍ରାମର ସୁଶାନ୍ତ ଗିରି ପୋଖରୀରୁ ଗାଧୋଇ ଫେରୁଥିବା ବେଳେ ବାଟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ଟଳି ପଡ଼ିଥିଲେ । ସେହିଭଳି ସେହି ଗ୍ରାମର ଜାଲେ ପିଙ୍ଗୁଆ ଜଙ୍ଗଲ ପାଖ ବିଲକୁ କାମରେ କରୁଥିବା ବେଳେ ବଜ୍ରପାତ ଘଟିବାରୁ ତଳେ ପଡ଼ିଯାଇଥିଲେ। ସେମାନଙ୍କୁ ମଣଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
ସେହିପରି ନବରଂଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଜଗନ୍ନାଥପୁର ପଂଚାୟତ ଅନ୍ତର୍ଗତ ଗୌଡ଼ କଷ୍ଟିଗୁଡା ଗ୍ରାମରେ ଧାନ ଜମିରେ କାମ କରୁଥୁବା ସମୟରେ ବଜ୍ରାଘାତ ହୋଇଥିଲା। ଗ୍ରାମର ଚନ୍ଦ୍ରଶେଖର ନାୟକ (୪୦) ଏବଂ ସ୍ତ୍ରୀ ଦ୍ଵିତୀକା ନାୟକ(୩୫) ଗୌଡ଼ କଷ୍ଟିଗୁଡା ଗ୍ରାମ ନିକଟରେ ଥିବା ନିଜ ଧାନ ଜମିକୁ ତଳି ପକେଇବା ନିମନ୍ତେ ଯାଇଥିଲେ। ଉଭୟ ସ୍ୱାମୀ ସ୍ତ୍ରୀ ଜମିରେ କାମ କରୁଥୁବା ସମୟରେ ଆଜି ଅପରାହ୍ନରେ ଘଡଘଡି ବିଜୁଳି ସହ ବର୍ଷା ଆରମ୍ଭ ହୋଇଥିଲା। ବଜ୍ରାଘାତରେ ଉଭୟ ସ୍ୱାମୀ-ସ୍ତ୍ରୀ ଗୁରୁତର ହୋଇ ତଳେ ପଡିଯାଇଥିଲେ। ଏହା ଦେଖି ନିକଟରେ ଥୁବା କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ। ପ୍ରାୟ ଏକ ଘଣ୍ଟା ବିଳମ୍ବରେ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟକୁ ନେବା ସମୟରେ ଦ୍ଵିତୀକାଙ୍କ ମୃତ୍ୟୁ ହୋଇଥିଲା।
Follow Us