ରାୟଗଡା: ଗତ କିଛି ଦିନ ହେଲା ଗଜପତି ଅଂଚଳରୁ ରାୟଗଡା ସୀମାରେ ମହାବଳ ବାଘ ପଶି ଆସିଥିବାରୁ ସୀମାନ୍ତ ଅଂଚଳରେ ବାସ କରୁଥିବା ଲୋକେ ଏବେ ଆତଙ୍କିତ ହୋଇପଡିଛନ୍ତି। ପ୍ରଥମେ ପଦ୍ମପୁର ବ୍ଲକରେ ବାଘ ବୁଲୁଥିବା ଖବର ପ୍ରଚାର ହେବା ପରେ ଲୋକେ ଘରୁ ପଦାକୁ ବାହାରିବାକୁ ଭୟ କଲେ। ଏବେ ମୁନିଗୁଡା ଅଂଚଳରେ ବାଘ ବୁଲୁଥିବା ତାର ପାଦ ଚିହ୍ନରୁ ବନ ବିଭାଗ ଜାଣିପାରିଛି। ଗତ ଦୁଇ ଦିନ ତଳେ ମୁନିଗୁଡା ବ୍ଲକର ବନ୍ଧଗୁଡାରେ ଗୋଟିଏ ମଇଁଷି ଛୁଆକୁ ମାରି ଖାଇବା ପରେ ଲୋକେ ଆହୁରି ଭୟଭିତ ହୋଇପଡିଛନ୍ତି। ବନ ବିଭାଗ ପକ୍ଷରୁ ବାରମ୍ବାର ଡାକବାଜି ଯନ୍ତ୍ର ସାହାଯ୍ୟରେ ବାଘ ବୁଲୁଥିବା ଗାଁଗୁଡିକରେ ସତର୍କ ଚେତାବନୀ ଦେଉଛନ୍ତି। ରାତିରେ ଘରୁ ପଦାକୁ ନବାହାରିବା ସହ ଜଂଗଲକୁ କିଛି ଦିନ ପର୍ଯ୍ୟନ୍ତ ନଯିବାକୁ ବନ ବିଭାଗ ପକ୍ଷରୁ କୁହାଯାଇଛି। କୌଣସି ମୁହର୍ତ୍ତରେ ବାଘ ଆକ୍ରମଣ କରିବାର ଆଶଂକା ରହିଥିବାରୁ ବନ ବିଭାଗର ପରବର୍ତ୍ତୀ ନିର୍ଦେଶ ନଆସିବା ପର୍ଯ୍ୟନ୍ତ କେହି ଏକାକୀ ବୁଲିବେ ନାହିଁ କିମ୍ବା ହାଟ ବଜାରକୁ ଗଲାବେଳେ ସତର୍କତା ଅବଲମ୍ବନ କରିବେ।
ତେବେ ଗତକାଲି ମୁନିଗୁଡା ବ୍ଲକର ନଗଲୁ ଗ୍ରାମପଞ୍ଚାୟତର ଘଟନା ଗାଁରେ ଜଣେ ମହିଳା ଜମିରେ ରାଶି କାଟୁଥିବା ବେଳେ ବାଘକୁ ଦେଖିବା ପରେ ତୁରନ୍ତ ଏକ ବଡ ଗଛ ଉପରେ ଚଢିଯାଇଥିଲେ। ଅଳ୍ପକେ ସେ ବାଘ ଆକ୍ରମଣରୁ ବର୍ତ୍ତିଯାଇଥିବା ଜଣାପଡିଛି। ପରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ବନ ବିଭାଗ ବାଘକୁ ଆଜି ପର୍ଯ୍ୟନ୍ତ ଠାବ କରିପାରିନଥିବା ବେଳେ ବିଭିନ୍ନ ସ୍ଥାନରେ କ୍ୟାମେରା ଲଗାଯିବା ନେଇ ସୂଚନା ମିଳିଛି। ତେବେ ବାଘ ବର୍ତ୍ତମାନ କେଉଁ ଆଡେ ଯାଉଛି ବନ ବିଭାଗ ତାର ଟେର ପାଇପାରୁ ନାହିଁ। ଜଂଗଲରେ ଯେଉଁ ପାଦ ଚିହ୍ନ ମିଳିଛି ତାହା ମହାବଳ ବାଘର ବୋଲି ଜଣାପଡିଛି। ତେବେ ରାତି ହେଲେ ତାଟିକବାଟ ପଡିଯାଉଥିବା ଦେଖିବାକୁ ମିଳିଛି। ଲୋକେ ଗାଈଗୋରୁଙ୍କୁ ମଧ୍ୟ ପଦାରେ ବାନ୍ଧୁଥିଲେ ଏବେ ଘରେ ନେଇ ରଖୁଥିବା କୁହାଯାଇଛି। ଗାଁ ଗୁଡିକରେ ବାହାରେ ଲୋକେ ଶୋଇବାର ଅଭ୍ୟାସ ଥିବାରୁ ଘରେ ଶୋଇବାକୁ ବାଧ୍ୟ କରାଯାଇଛି। ବନ ବିଭାଗ ତୁରନ୍ତ ବାଘକୁ ଠାବ କରି ଜଂଗଲରେ ଛାଡିବ ବୋଲି କହିଛି।
Follow Us