ଶାରଳାପୀଠର ସୌନ୍ଦର୍ଯ୍ୟକରଣ ନେଇ ଜିଲ୍ଲା ପ୍ରଶାସନର ବୈଠକ ଆଜି, ୧୫ ଦିନ ପରେ ବି ଚୂଡ଼ାନ୍ତ ହୋଇନି ମାଷ୍ଟର୍‌ ପ୍ଲାନ୍‌

Advertisment
ଶାରଳାପୀଠର ସୌନ୍ଦର୍ଯ୍ୟକରଣ ନେଇ ଜିଲ୍ଲା ପ୍ରଶାସନର ବୈଠକ ଆଜି, ୧୫ ଦିନ ପରେ ବି ଚୂଡ଼ାନ୍ତ ହୋଇନି ମାଷ୍ଟର୍‌ ପ୍ଲାନ୍‌

Sambad

ଜଗତସିଂହପୁର: ଶାରଳା ମନ୍ଦିରରେ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ଗସ୍ତର ୧୫ ଦିନ ବିତିଲା। ତାଙ୍କ ନିର୍ଦ୍ଦେଶମତେ ଏପର୍ଯ୍ୟନ୍ତ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ମାଷ୍ଟର୍‌ ପ୍ଲାନ୍‌ ଚୂଡ଼ାନ୍ତ ହୋଇ ପାରିଲା ନାହିଁ। ସଚିବ ଏହି ଗସ୍ତକ୍ରମରେ ମନ୍ଦିରର ବିକାଶ ନକ୍ସା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇ ଯାଇଥିଲେ ହେଁ ବିଭିନ୍ନ କାରଣରୁ ଏହା ସମ୍ଭବ ହୋଇପାରିନି। ଏଭଳି ସ୍ଥିତିରେ ଆସନ୍ତା କାଲି ଜିଲ୍ଲାପାଳ ପାରୁଲ ପଟୱାରୀ ଅପରାହ୍ନ ୪ଟାରେ ଦୁଇ ଜଣ ଲେଖାଁ ପଣ୍ଡା ଓ ରାଉଳଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି। ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଏହି ବୈଠକ ବସୁଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏହି ବୈଠକ ବାଦ୍‌ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଭଳି କନକପୁରର ଆଖପାଖ ଅଞ୍ଚଳ ଓ ବୁଦ୍ଧିଜୀବୀଙ୍କୁ ନେଇ ଅନ୍ୟ ଏକ ବୈଠକ ଡାକି ବିକାଶ ନକ୍ସା ଚୂଡ଼ାନ୍ତ କରି ପାରନ୍ତି।

ତେବେ ଓଡ଼ିଶା ସେତୁନିର୍ମାଣ ନିଗମ ପକ୍ଷରୁ ପୂର୍ତ ବିଭାଗ ସହଯୋଗରେ ଏକାଧିକ ପ୍ରାରମ୍ଭିକ ସର୍ଭେ ପରେ ଏକ ମାଷ୍ଟର୍‌ ପ୍ଲାନ୍‌ ପ୍ରସ୍ତୁତ ହୋଇଛି। ଏହି ମାଷ୍ଟର ପ୍ଲାନ୍‌ ବାବଦରେ ସରକାରୀ ଭାବେ କିଛି ସ୍ପଷ୍ଟ କରାଯାଇ ନଥିଲେ ହେଁ ଏପରି ଏକାଧିକ ନକ୍ସା ପ୍ରସ୍ତୁତ କରାଯିବ। ବିଚାର ବିମର୍ଶ ପରେ ଏକ ମାଷ୍ଟର ପ୍ଲାନ୍‌ ଚୂଡ଼ାନ୍ତ କରାଯିବ। ଏହି ପୀଠକୁ ସଂଯୋଗ କରୁଥିବା ପ୍ରଶସ୍ତ ରାସ୍ତା, ଯାତ୍ରୀଙ୍କ ପ୍ରତୀକ୍ଷା ସ୍ଥଳ, ସୁନ୍ଦର ପାର୍କ, କୀର୍ତିରାଜିର ସୁରକ୍ଷା ସ୍ତମ୍ଭ, ପୌରାଣିକ ତଥ୍ୟ ସମ୍ବଳିତ ଏକ ପ୍ରଦର୍ଶନୀ କକ୍ଷ, ସମ୍ଭାବ୍ୟ ଚନ୍ଦନପୋଖରୀ ସ୍ଥାନାନ୍ତର ପ୍ରସ୍ତାବ, ପାର୍କିଂସ୍ଥଳ, ବଜାର କମ୍ପ୍ଲେକ୍ସ, ସମ୍ମିଳନୀକକ୍ଷ , ମନ୍ଦିରର ସିଂହଦ୍ବାର, ପ୍ରଶାସନିକ ଭବନର ପୁନରୁଦ୍ଧାର ଆଦି ଏହି ମାଷ୍ଟର୍‌ ପ୍ଲାନ୍‌ରେ ସ୍ଥାନ ପାଇବା ଆଶା ରହିଛି। ଉଲ୍ଲେଖଯୋଗ୍ୟ ଗତ ୫ ତାରିଖରେ ପ୍ରଥମ ବୈଠକ ପାଇଁ ଜିଲ୍ଲାପାଳ ମନ୍ଦିର ପ୍ରଶାସନକୁ ଜଣାଇଥିଲେ। କିନ୍ତୁ ଧାର୍ଯ୍ୟ ସମୟରେ ଚନ୍ଦନ ଯାତ୍ରା ଚାଲୁ ରହୁଥିବାରୁ ସେସମୟରେ ପଣ୍ଡାସେବକ ଉପସ୍ଥିତ ରହିପାରିବେ ନାହିଁ ବୋଲି ଅବଗତ କରାଯିବା ପରେ ବୈଠକ ସ୍ଥଗିତ ରହିଥିଲା। ମନ୍ଦିରରେ ରହିଥିବା ଦୀର୍ଘ ଦିନ ସମସ୍ୟା, ନିର୍ଦ୍ଦିଷ୍ଟ ନୀତି ଓ ନିୟମ, ଲୁପ୍ତ ପରମ୍ପରାର ସୁରକ୍ଷା ଓ ଉନ୍ନତି ପାଇଁ ବୈଠକରେ ଆଲୋଚନା ହୋଇପାରେ। ଏନେଇ ଏକ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ। ଫଳରେ ଆସନ୍ତାକାଲିର ବୈଠକ ବେଶ୍ ଗୁରୁତ୍ବପୂର୍ଣ୍ଣ ବୋଲି ଜଣାପଡ଼ିଛି।

ମୋବାଇଲ ନିଷିଦ୍ଧ ହେଉ

ଏହାସହ ମନ୍ଦିର ମଧ୍ୟରେ ମୋବାଇଲ ବ୍ୟବହାରକୁ ନେଇ ପଣ୍ଡା ଓ ରାଉଳମାନେ ଆପତ୍ତି ଉଠାଇଛନ୍ତି। ମା'ଙ୍କର ବିଭିନ୍ନ ରୀତିନୀତିକୁ ଶ୍ରଦ୍ଧାଳୁମାନେ ମୋବାଇଲରେ ଉତ୍ତୋଳନ କରି ଭାଇରାଲ କରୁଛନ୍ତି। ଏହାଦ୍ବାରା ଧାର୍ମିକ ଭାବନା ନଷ୍ଟ ହେଉଥିବା ବେଳେ ସୁରକ୍ଷା ବ୍ୟବସ୍ଥା ପ୍ରତି ମଧ୍ୟ ଅଙ୍ଗୁଳି ଉଠୁଛି। ଏଣୁ ପୁରୀ ଶ୍ରୀମନ୍ଦିର ଓ ଅନ୍ୟାନ୍ୟ ପ୍ରସିଦ୍ଧ ମନ୍ଦିର ପରି ଏଠାରେ ମଧ୍ୟ ମୋବାଇଲ ବ୍ୟବହାରକୁ ନିଷିଦ୍ଧ କରିବାକୁ ଦାବି ହୋଇଛି। ଏ ସଂକ୍ରାନ୍ତରେ ଆସନ୍ତାକାଲି ବୈଠକରେ ଆଲୋଚନା ହେବ ବୋଲି ଆଶା କରାଯାଉଛି। ଯେତେ‌ ଶୀଘ୍ର ଜିଲ୍ଲା ପ୍ରଶାସନ ରିପୋର୍ଟ ପ୍ରଦାନ କରିବ, ସେତେଶୀଘ୍ର ନିର୍ମାଣ କାମ ଆରମ୍ଭ ହେବ। ଏଣୁ ଆସନ୍ତକାଲି ବୈଠକରେ ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe