ମଳରେ ପୋତି ହୋଇଗଲାଣି ଫୁଲବାଣୀର ଜୀବନରେଖା ସାଲୁଙ୍କି ନଦୀ

Advertisment

'ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ' ପ୍ରତିଷ୍ଠା ପାଇଁ ସ୍ଥାୟୀ ଲୋକ ଅଦାଲତଙ୍କ ନିର୍ଦ୍ଦେଶ

'ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ' ପ୍ରତିଷ୍ଠା ପାଇଁ ସ୍ଥାୟୀ ଲୋକ ଅଦାଲତଙ୍କ ନିର୍ଦ୍ଦେଶ

ମଳରେ ପୋତି ହୋଇଗଲାଣି ଫୁଲବାଣୀର ଜୀବନରେଖା ସାଲୁଙ୍କି ନଦୀ
ଫୁଲବାଣୀ : ଫୁଲବାଣୀ ସହରର ଜୀବନରେଖା କୁହାଯାଉଥିବା ସାଲୁଙ୍କି ନଦୀ ଉତ୍କଟ ଭାବେ ପ୍ରଦୂଷିତ ହୋଇଚାଲିଛି। ଏହାକୁ ନେଇ ଫୁଲବାଣୀ ସ୍ଥାୟୀ ଲୋକ ଅଦାଲତ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଫୁଲବାଣୀ ସହରର ପ୍ରତି ପରିବାରର ପାଇଖାନାରୁ ନିର୍ଗତ ମଇଳା ପାଣି ସିଧାସଳଖ ନଦୀକୁ ଛଡ଼ାଯାଉଛି। ସାଧାରଣ ଲୋକେ କିଭଳି ଏଥିରୁ ନିବୃତ୍ତ ରହିବେ ସେ ନେଇ ଉଚିତ୍‌ ପଦକ୍ଷେପ ଗ୍ରହଣ କରିବାକୁ କୋର୍ଟ ଫୁଲବାଣୀ ପୌରପାଳିକା ଏବଂ ଜିଲ୍ଲା ପ୍ରଶାସନକୁ କଡ଼ା ନିର୍ଦ୍ଦେଶ ଦେବା ସହ ମିଳିତ ଭାବେ ଏନେଇ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇଛନ୍ତି। ଏହାସର ଫୁଲବାଣୀରେ ସ୍ବେରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ(ଏସ୍‌ଟିପି) ପ୍ରତିଷ୍ଠା କରି ସହରର ସମସ୍ତ ମଇଳା ପାଣିକୁ ବୈଜ୍ଞାନିକ ପଦ୍ଧତିରେ ଉପଯୁକ୍ତ ଶୋଧନ କରି ତାକୁ ନଦୀକୁ ଛାଡ଼ିବାକୁ କୋର୍ଟ କହିଛନ୍ତି। କଲେଜ ଛକଠାରୁ ପିଅନପଡ଼ା, ଫୁଲବାଣୀ ସାହି ପର୍ଯ୍ୟନ୍ତ ସାଲୁଙ୍କି ନଦୀ କୂଳେ କୂଳେ ଡ୍ରେନ୍‌ ନିର୍ମାଣ କରି ଏହାକୁ ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟକୁ ପଠାଇବା ବ୍ୟବସ୍ଥା କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୫ ଦିନ ମଧ୍ୟରେ ସ୍ବେରେଜ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ୍‌ ପ୍ରତିଷ୍ଠା ନେଇ ନିଜର ପକ୍ଷ ରଖିବାକୁ ମଧ୍ୟ କୋର୍ଟ କହିଛନ୍ତି।
publive-image
ସୂଚନାଯୋଗ୍ୟ, ଫୁଲବାଣୀ ସହରର ‌ସ୍ବେଚ୍ଛାସେବୀ ଅଶୋକ ପରିଡ଼ା ଫୁଲବାଣୀ ସ୍ଥାୟୀ ଲୋକ ଅଦାଲତରେ ଏକ ଅଭିଯୋଗ ଦାଖଲ କରିଥିଲେ। ପିଟିସନ୍‌ର ବିଚାର କରି ସ୍ଥାୟୀ ଲୋକ ଅଦାଲତ ଫୁଲବାଣୀ ପୌରପାଳିକା ଏବଂ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଛନ୍ତି। ସଚେତନତାର ଘୋର ଅଭାବ ଯୋଗୁଁ ଫୁଲବାଣୀ ସହରବାସୀ ନିର୍ବିକାର ଭାବେ ନିଜ ଘରର ପାଇଖାନାର ମଇଳା ପାଣିକୁ ସିଧାସଳଖ ସାଲୁଙ୍କି ନଦୀକୁ ଛାଡ଼ୁଛନ୍ତି। ସେହିପରି ସହରରେ ଥିବା ବିଭିନ୍ନ ‌ହୋଟେଲ୍‌, ଲଜ୍‌ ଓ ଶୌଚାଳୟର ମଇଳା ପାଣିକୁ ମଧ୍ୟ ସାଲୁଙ୍କି ନଦୀକୁ ଛାଡ଼ାଯାଉଛି। ସବୁ ଦେଖି ବର୍ଷ ବର୍ଷ ଧରି ପୌର ପ୍ରଶାସନ ଚୁପ୍‌ ବସିଛି। ବିଶେଷ କରି ପାଇଖାନାରୁ ଛଡ଼ା ଯାଉଥିବା ମଳଯୁକ୍ତ ପାଣି ସହ ସାବୁନ, ଡିଟରଜେଣ୍ଟ ଓ ଅନ୍ୟାନ୍ୟ ରାସାୟନିକ ପଦାର୍ଥ ନଦୀ ପାଣିକୁ ଦୂଷିତ କରିବା ସହ ବିଷାକ୍ତ ମଧ୍ୟ କରିଚାଲିଛି। କଠିନ ବର୍ଜ୍ୟବସ୍ତୁ ପ୍ଲାଷ୍ଟିକ୍‌, ପଲିଥିନ୍‌, ଲୁହା ଓ ଆଲୁମିନିୟମ ଭଳି ଧାତବ ପଦାର୍ଥ ସାଲୁଙ୍କି ପାଇଁ ବିପଦ ସାଜିଛି। ସାଲୁଙ୍କି ନଦୀରେ କ୍ଲୋରିନ୍‌, ଫସଫରସ୍‌, ଜିଙ୍କ୍‌, ନାଇଟ୍ରୋଜେନ୍‌, ଆମୋନିଆ, ମର୍କ୍ୟୁରି, ଲିଡ୍‌, କାଡ୍‌ମିୟମ୍‌, କ୍ରୋମିୟମ, ଆର୍ସେନିକ ଓ ୟୁରିଆ ଭଳି ବିଷାକ୍ତ ପଦାର୍ଥର ମାତ୍ରା ଅହେତୁକ ଭାବେ ବଢ଼ି ଚାଲିଛି। ଯାହା ଜଳଚର ଜୀବ ଏବଂ ଉଦ୍ଭିଦଙ୍କ ପ୍ରତି ବିପଦ ସୃଷ୍ଟି କରୁଛି। ସେହିପରି ନଦୀର ପାଣି ଚାଷ ପାଇଁ ମଧ୍ୟ ଅନୁପଯୋଗୀ ପାଲଟିଛି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ କନ୍ଧମାଳ ଜିଲ୍ଲା ପ୍ରଶାସନ ଏବଂ ଫୁଲବାଣୀ ପୌର ପ୍ରଶାସନ କିପରି ନିରବ ରହିଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିବା ସହ ତୁରନ୍ତ ଏ ଦିଗରେ ମିଳିତ ଭାବେ ସଚେତନତା ସୃଷ୍ଟି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe