ପାରାଦୀପରେ କେମିତି ସମୃଦ୍ଧ ହେବ ପର୍ଯ୍ୟଟନ କ୍ଷେତ୍ର?

Advertisment

ଫାଇଲ୍‌ରେ ରହିଗଲା ଇକୋ-ରିଟ୍ରିଟ୍ ଯୋଜନା!

ଫାଇଲ୍‌ରେ ରହିଗଲା ଇକୋ-ରିଟ୍ରିଟ୍ ଯୋଜନା!

ପାରାଦୀପରେ କେମିତି ସମୃଦ୍ଧ ହେବ ପର୍ଯ୍ୟଟନ କ୍ଷେତ୍ର?

Sambad

ଜଗତସିଂହପୁର: ବନ୍ଦର ନଗରୀ ପାରାଦୀପ। ବର୍ଷତମାମ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟେ। ପୂର୍ବରୁ ବେଳାଭୂମି ହେଉ ଅବା ନେହରୁ ବଙ୍ଗଳା ନିକଟ ପଥରବନ୍ଧ, ସବୁଠି ପର୍ଯ୍ୟଟକମାନଙ୍କ ଭିଡ଼ ଦେଖିବାକୁ ମିଳେ। ମାତ୍ର ଧୀରେ ଧୀରେ ପରିସ୍ଥିତି ଏପରି ହେଲାଣି ଯେ, ଏବେ ପାରାଦୀପ ଆସିବା ପାଇଁ ସମସ୍ତେ ନାକ ଟେକିବା ଆରମ୍ଭ କଲେଣି। ବିପର୍ଯ୍ୟସ୍ତ ରାସ୍ତା ସାଙ୍ଗକୁ ଅହରହ ଧୂଳିଧୂଆଁ ମାଡ଼ରେ ଲୋକମାନେ ଅସ୍ତବ୍ୟସ୍ତ ହେଉଛନ୍ତି। ସେପଟେ ପାରାଦୀପରେ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଉଭୟ ପାରାଦୀପ ବନ୍ଦର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ କରିଥିବା ଯୋଜନାଗୁଡ଼ିକ ଫାଇଲ୍‌ରେ ସୀମିତ ରହିଯାଇଛି। ପାରାଦୀପରେ ପର୍ଯ୍ୟଟନର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି ବୋଲି ଯାହା ଘୋଷଣା କରାଯାଉଛି, ଏହା ଧୂଆଁ ବାଣ ସଦୃଶ ବୋଲି ପ୍ରମାଣିତ ହୋଇଛି। ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ଭଳି କୌଣସି ବ୍ୟବସ୍ଥା ଆରମ୍ଭ ହୋଇପାରି ନାହିଁ। ଏଠାରେ ପର୍ଯ୍ୟଟକମାନଙ୍କ ରହିବା ପାଇଁ ସେମିତି କୌଣସି ବ୍ୟବସ୍ଥା ନାହିଁ। ସରକାରୀ ସର୍କିଟ୍‌ ହାଉସରେ ହାତଗଣତି କେତୋଟି କୋଠରି ରହିଛି। ସେଠାରେ ରହିବା ପାଇଁ ଅନୁମତି ମିଳିବା ବହୁତ କଷ୍ଟ। ବାକି ଥିବା ୩-୪ ହୋଟେ୍‌ଲରେ ବ୍ୟୟ ଅଧିକ କରିବାକୁ ପଡ଼ୁଥିବାରୁ ସେଠାରେ ରହିବା ମଧ୍ୟ କଷ୍ଟସାଧ୍ୟ। ବାକି ରହିଲା ପାନ୍ଥ ନିବାସ, ଦୀର୍ଘ ୧୮ବର୍ଷ ହେଲା ପର୍ଯ୍ୟଟକଙ୍କୁ ଏହା ସେବା ଯୋଗାଇ ଆସୁଥିଲା।

ଏବେ ମାତ୍ର ୩୦ ବର୍ଷିଆ ଲିଜ୍‌ରେ ଏହାକୁ ଘରୋଇକରଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ପାନ୍ଥ ନିବାସରେ ୧୨ଟି କୋଠରି ରହିଥିବା ବେଳେ ବର୍ଷତମାମ ଏହା ବୁକିଂ ରହିଥାଏ। ପ୍ରତିବର୍ଷ ପ୍ରାୟ ୭୦ ରୁ ୮୦ ଲକ୍ଷ ଟଙ୍କାର ଏଠାରେ ବ୍ୟବସାୟ ହୋଇଥାଏ। ମାତ୍ର ଏହାକୁ ଘରୋଇକରଣ ପାଇଁ ନିଷ୍ପତ୍ତି ନିଆଯିବା ପରେ ଏଠାରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା ୧୧ଜଣ କର୍ମଚାରୀଙ୍କ ଚିନ୍ତା ବଢ଼ିଯାଇଛି। ଘରୋଇକରଣ ପରେ ନୂଆ ସଂସ୍ଥାଟି ଏମାନଙ୍କୁ ଚାକିରିରେ ରଖିବ କି ନାହିଁ, ସେମାନେ ଆଶଙ୍କାରେ ରହିଛନ୍ତି। କୋଭିଡ୍‌ ମହାମାରି ସମୟରେ ଏହା ନିକଟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ହସ୍‌ପିଟାଲ୍‌ ଖୋଲାଯାଇଥିଲା। ଯେହେତୁ ଏହା ପାନ୍ଥ ନିବାସ ପାଖରେ ରହିଥିଲା, ସେଥିପାଇଁ ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀମାନେ ସେଠାରେ ରହୁଥିଲେ। ଜୀବନକୁ ବାଜିରେ ଲଗାଇ କାମ କରୁଥିବା ଏହି କର୍ମଚାରୀମାନଙ୍କ ଭାଗ୍ୟ ଭବିଷ୍ୟତ ବର୍ତ୍ତମାନ ଅନ୍ଧାର ମଧ୍ୟକୁ ଠେଲି ହୋଇଯାଇଛି। ଅନ୍ୟପକ୍ଷେ ଇକୋ-ରିଟ୍ରିଟ୍ ଯୋଜନାରେ ବେଳାଭୂମିକୁ ନୂଆ ରୂପ ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଘୋଷଣା କରାଯାଇଥିଲା। ତିନି-ଚାରିଟା ତମ୍ବୁ ସଦୃଶ ଘର ତିଆରି କରାଯିବ, ବାର୍ ଖୋଲିବ। ଗୋଆରେ ପର୍ଯ୍ୟଟକମାନେ ଯେମିତି ମଜା ଉଠାଉଛନ୍ତି, ସମସ୍ତ ବନ୍ଦୋବସ୍ତ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଗଲା। ମାତ୍ର ଏହି ଯୋଜନା କେବେ ବାସ୍ତବ ରୂପ ନେବ ତାହାର ଉତ୍ତର କାହା ପାଖରେ ନାହିଁ। ଏମିତି ଏକ ଯୋଜନାକୁ ଦେଖିବା ପାଇଁ ପାରାଦୀପବାସୀ ଚାହିଁ ରହିଥିବା ବେଳେ, ଏହାର ରୂପରେଖ କ’ଣ ତାହା ଜଣାପଡ଼ୁ ନାହିଁ। ଏଣୁ ଏଦିଗରେ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି ସାଧାରଣରେ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe