ମାଗଣା ଟ୍ରେନ ସତ୍ତ୍ୱେ ଟିକେଟ ଦଲାଲି: ସୁରତରେ ୨୫୦ ପ୍ରବାସୀ ଶୋଷଣର ଶିକାର, ପୁଲିସକୁ ବୁଝାଇ ଟ୍ରେନରେ ଆସିଲେ

Advertisment
ଶ୍ରମିକ ଟ୍ରେନ୍‌ରେ ଫେରିଲେଣି ୩ ଲକ୍ଷରୁ ଅଧିକ

Jansatta

ବ୍ରହ୍ମପୁର: ଲକ୍‌ଡାଉନ୍‌ କଟକଣା କୋହଳ ପରେ ସୁରତରୁ ପ୍ରବାସୀ ଓଡ଼ିଆମାନେ ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌ ଯୋଗେ ଫେରୁଛନ୍ତି। ଟ୍ରେନ୍‌ ଟିକେଟକୁ‌ ନେଇ ଜୁଲମ୍‌ର ଶିକାର ହେବା ପରେ ସୁରତର ପ୍ରବାସୀ ଓଡ଼ିଆଙ୍କ ଲାଗି ଓଡ଼ିଶା ସରକାର ମାଗଣା ଟିକେଟ ବ୍ୟବସ୍ଥା କରିଛନ୍ତି। ଏସବୁ ସତ୍ତ୍ୱେ ପ୍ରବାସୀଙ୍କ ଦୁଃଖ ସରୁନି। ମାଗଣା ଟ୍ରେନ୍‌ ଯାତ୍ରା ଘୋଷଣା ପରେ ବି ଟିକେଟ୍‌ ନାଁରେ ଦଲାଲ୍‌ଙ୍କ ଠକେଇ ଚାଲିଛି। ପ୍ରବାସୀ ୫ ଶହରୁ ୬ଶହ ଟଙ୍କା ଦଲାଲ୍‌ଙ୍କୁ ଦେଇ ଠକି ହେଉଛନ୍ତି। ଗତକାଲି ସୁରତର ୨୫୦ ଜଣ ପ୍ରବାସୀ ଓଡ଼ିଆ ଶୋଷଣ ଶିକାର ହୋଇଛନ୍ତି। ଦଲାଲ୍‌ ପଇସା ନେଇ ସେମାନଙ୍କୁ ଟିକେଟ ଦେଇନାହିଁ। ଘରଛାଡ଼ି ଷ୍ଟେସନ ପଳାଇ ଆସିଥିବା ପ୍ରବାସୀମାନେ ସେମାନଙ୍କ ଅଟକାଇଥିବା ପୁଲିସକୁ ବୁଝାସୁଝା କରି ଶେଷରେ ବିନା ଟିକେଟରେ ଓଡ଼ିଶା ଆସୁଥିବା ଏକ ଟ୍ରେନ୍‌ରେ ଭିଟାମାଟି ଅଭିମୁଖେ ବାହାରିଛନ୍ତି।
ଗତକାଲି ସୁରତର ଅମରୋଲି ଠାରୁ ଗୋଟିଏ ଟ୍ରେନ୍‌ ବାହାରିଥିଲା। ମାଗଣା ଟିକଟ ଥିବା ସତ୍ତ୍ବେ ଜଣେ ଦଲାଲ୍‌ ୨୫୦ଜଣ ପ୍ରବାସୀଙ୍କୁ ଟିକେଟ ଦେବେ ବୋଲି ଅର୍ଥ ଆଦାୟ କରି ନେଇଥିଲେ। କିନ୍ତୁ ଟ୍ରେନ୍‌ ଛାଡ଼ିବା ସମୟକୁ ଅର୍ଥ ନେଇଥିବା ଦଲାଲ୍‌ଙ୍କ ଦେଖା ମିଳି ନଥିଲା। ସୁରତରେ ଭଡ଼ାଘର ଛାଡ଼ି ଭିଟାମାଟିକୁ ଯିବାକୁ ବାହାରିଥିବା ଯୁବକମାନଙ୍କ ଚିନ୍ତା ବଢ଼ିଥିଲା। ଉକ୍ତ ପ୍ରବାସୀ ଯୁବକମାନେ ସୁରତ କଂଗ୍ରେସ ପାର୍ଟିର ଉପସଭାପତି ହରିଶ ଭାଇ ସୂର୍ଯ୍ୟବଂଶୀ, ଓଡ଼ିଆ ବେଲମା ସମାଜର ସଭାପତି ଅଜୟ ନାୟକ ଓ ଶ୍ରମିକ ସେବା ସଂଘ ସଭାପତି ପିତାମ୍ବର ପ୍ରଧାନଙ୍କ ସହଯୋଗ ଲୋଡ଼ିଥିଲେ। ଗଞ୍ଜାମ ଜିଲ୍ଲା ବୋଲସର ଗାଁର ଗଣେଶ ବେହେରା ପ୍ରାୟ ୨୫୦ଜଣ ପ୍ରାବାସୀଙ୍କୁ ଧରି ଟ୍ରେନ୍‌ରେ ଚଢ଼ିଥିଲେ। ସେଠାରେ ଡ୍ୟୁଟିରେ ଥିବା ଆର୍‌ପିଏଫ ବାହିନୀ ଏବଂ ଟିଟିଇ ସେମାନଙ୍କୁ ଅଟକାଇଥିଲେ। ଆରପିଏଫ୍‌ ସହ ପ୍ରବାସୀଙ୍କ ଯୁକ୍ତିତର୍କ ହୋଇଥିଲା। ଗଣେଶ ଆରପିଏଫ‌୍ ଅଧିକାରୀଙ୍କୁ ଠକେଇର ଶିକାର ହୋଇଥିବା ପ୍ରବାସୀ ଓଡ଼ିଆଙ୍କ ଅବସ୍ଥା ବିଷୟରେ ବୁଝାଇଥିଲେ। ଟଙ୍କା ଦେଇ ଟିକେଟ ହୋଇଥିଲା, କିନ୍ତୁ ଦଲାଲ୍‌ ଟିକେଟ ଦେଇ ନଥିବାରୁ ଆମେ ବାଧ୍ୟ ହୋଇ ଗାଡ଼ିରେ ଚଢିଛୁ। ଟ୍ରେନ୍‌ରେ ଯିବାକୁ ନ ଛାଡ଼ିଲେ ଗିରଫ କରି ଖାଇବାକୁ ଦେଇ ଯେଉଁଠି ରଖିବ ରଖ ବୋଲି କହିଥିଲେ। ଏହାପରେ ଆରପିଏଫ୍‌ ବାଧ୍ୟ ହୋଇ ସମସ୍ତକୁ ମାଗଣାରେ ଟ୍ରେନ୍‌ରେ ଯାତ୍ରା କରିବାକୁ ଅନୁମତି ଦେବା ପରେ ସମସ୍ତେ ଟ୍ରେନ୍‌ରେ ଚଢ଼ିଛନ୍ତି।
ଶ୍ରମିକ ସେବା ସଂଘର ସଭାପତି ପିତାମ୍ବର ପ୍ରଧାନ କହିଛନ୍ତି, ଟ୍ରେନ୍‌ରେ ଯିବା ପାଇଁ ଅଧିକାଂଶ ଶ୍ରମିକ ଏବେ ଇଛୁକ ନାହାନ୍ତି। ସୁରତରେ ୩୦ ପ୍ରତିଶତ ସୂତାକଳ ପ୍ରତ୍ୟେହ ୮ଘଣ୍ଟା ଲେଖାଏଁ ଚାଲୁଛି। ସୂତାକଳ ମାଲିକ ମାନେ ସୁରତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି, ଶ୍ରମିକ ମାନଙ୍କୁ ନିଜ ଭିଟାମାଟିକୁ ଫେରିବାକୁ ଆଉ ଟ୍ରେନ୍‌ ଟିକଟ କିମ୍ବା ପାସ୍‌ ଦିଅନ୍ତୁ ନାହିଁ। ସବୁ ଶ୍ରମିକ ଚାଲିଗଲେ ସୂତାକଳ ପୁଣି ବନ୍ଦ ହୋଇଯିବ। ଏଭଳି ଖବର ଆଜି ସୁରତର ବିଭିନ୍ନ ଗୁଜୁରାଟି ସମ୍ବାଦପତ୍ରରେ ପ୍ରକାଶ ପାଇଛି। ରାଜ୍ୟର ସମସ୍ତ ଓଡ଼ିଆ ଶ୍ରମିକ ପଞ୍ଜୀକରଣ କରନ୍ତୁ ଏବଂ ଆନ୍ତଃରାଜ୍ୟ ଦାଦନ ଶ୍ରମିକ ଆଇନକୁ କଡ଼ାକଡି ଭାବ କାର୍ଯ୍ୟକାରୀ କରିବାକୁ ପିତାମ୍ବର ଦାବି କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe