ସିଲାକୋଟାରେ ଅଜଣା ରୋଗରେ ୧୧ ମୃତ୍ୟୁ ଘଟଣା: ମେଡିକାଲ ଟିମ ପହଞ୍ଚି ନମୂନା ସଂଗ୍ରହ ସହ ଆରମ୍ଭ କଲା ଚିକିତ୍ସା

ସିଲାକୋଟାରେ ଅଜଣା ରୋଗରେ ୧୧ ମୃତ୍ୟୁ ଘଟଣା: ମେଡିକାଲ ଟିମ ପହଞ୍ଚି ନମୂନା ସଂଗ୍ରହ ସହ ଆରମ୍ଭ କଲା ଚିକିତ୍ସା

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ପଡିଆ ବ୍ଲକର ସିଲାକୋଟା ଗ୍ରାମରେ ଅଜଣା ରୋଗରେ ଗତ ୬ ମାସରେ ୧୧ ଜଣଙ୍କର ଜୀବନ ଯାଇଥିବା ବେଳେ ଏନେଇ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ନିକଟରେ କୌଣସି ଖବର ନାହିଁ।ଗ୍ରାମବାସୀଙ୍କର ଗୋଡ, ହାତ ଫୁଲିବା ସହ ପେଟ ଫୁଲିବା ସହ କିଛିଦିନ ମଧ୍ୟରେ ମୃତ୍ୟୁ ହୋଇଯାଉଛି। ତେବେ ଲୋକେ ଡାକ୍ତରଖାନା ଯିବା ବଦଳରେ କିନ୍ତୁ ଗୁଣିଆ ଏବଂ ଡିସାରୀ ନିକଟକୁ ଯାଇ ଚିକିତ୍ସା କରାଯାଉଥିବା ଦେଖବାକୁ ମିଳିଛି। ତେବେ ଏତେ ଲୋକ ମରିବା ପରେ ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ଆଜି ଏକ ମେଡିକାଲ ଟିମ ସିଲାକୋଟା ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରାୟ ୩୦ ଲୋକଙ୍କର ନମୂନା ସଂଗ୍ରହ କରି ଏହାର ଯାଞ୍ଚ କରାଯିବ ବୋଲି କୁହାଯାଇଛି। ତେବେ ସିଡିଏମଓ ପ୍ରଫୁଲ କୁମାର ନନ୍ଦଙ୍କୁ ଏନେଇ ପଚାରିବାରୁ ସେ ଛୁଟିରେ ଥିବାରୁ ଏନେଇ କିଛି ଜାଣିନଥିବା କହିଥିଲେ।

publive-image Sambad

ତେବେ ସ୍ଥାନୀୟ ସ୍ବାସ୍ଥ୍ୟକର୍ମୀ, ଆଶାକର୍ମୀ ଏନେଇ କାହିଁକି ବିଭାଗକୁ ସୂଚନା ପ୍ରଦାନ କରିନଥିଲେ ବୋଲି ଗତକାଲି ସିଲାକୋଟା ପରିଦର୍ଶନରେ ଯାଇଥିବା କିଛି ସମାଜସେବୀ ସହ ରାଜନୈତିକ ଦଳର ନେତାମାନେ ପ୍ରଶ୍ନ କରିଛନ୍ତି। ତେବେ ଏହା ପାଣି ଦ୍ବାରା ହିଁ ବ୍ୟାପୁଥିବା ଅନୁମାନ କରାଯାଉଥିବା ବେଳେ ଯାଞ୍ଚ ରିପୋର୍ଟ ଆସିବା ପରେ ହିଁ ସତ୍ୟ ଘଟଣା ଜାଣିହେବ ବୋଲି ବିଭାଗ କହିଛି। ଏହି ଗ୍ରାମ ନକ୍ସଲଙ୍କ ଅଡ୍ଡାସ୍ଥଳୀ ଥିଲା।ଏବେ ଏହି ଗ୍ରାମକୁ ପ୍ରଶାସନ ତରଫରୁ ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯାଇ ନାମକୁ ମାତ୍ର ଛାଡି ଦିଆଯାଇଛି।ଗାଁର ବିକାଶରେ ଆଜି ପ୍ରଶାସନ ଢିଲାପଣ ଦେଖାଇଛି। ଲୋକଙ୍କୁ ପିଇବା ପାଣି ସହ ପକ୍କା ରାସ୍ତା ଟିକିଏ ନାହିଁ।ଲୋକେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି। ତେବେ ଏଭଳି ଅଜଣା ରୋଗ କେବେ ଠାରୁ ହେଉଛି ତାହା ଗ୍ରାମବାସୀ ଠିକ ରୂପେ କହିପାରୁ ନାହାନ୍ତି। ମେଡିକାଲ ଟିମ ପକ୍ଷରୁ ଯେଉଁମାନେ ଏହି ରୋଗରେ ଆକ୍ରାନ୍ତ ହୋଇଥିଲେ ସେମାନଙ୍କୁ ପଡିଆ ମେଡିକାଲରେ ଭର୍ତ୍ତି କରାଯାଇଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe