Sambad
ବିରିଡ଼ି: କଟକ- ନୂଆଗାଁ ୫୫ ନମ୍ବର ଜାତୀୟ ରାଜପଥ ନିମନ୍ତେ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ରାସ୍ତା ସଂପ୍ରସାରଣର ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ବିରିଡ଼ି ଠାରୁ ଜଗତସିଂହପୁର ରାସ୍ତାର ଉଭୟ ପାର୍ଶ୍ବରୁ ହଜାରରୁ ଅଧିକ ଗଛ କଟା ସରିଲାଣି। ଆଉ ଢେର ଅଧିକ ସଂଖ୍ୟାରେ ଗଛ କଟାଯିବ। କିଛି ବର୍ଷ ଭିତରେ ରାସ୍ତାର ଉଭୟ ପାର୍ଶ୍ବରେ ବ୍ୟାପକ ବୃକ୍ଷରୋପଣ କରାଯିବା ସହ ଏକ ସବୁଜ ବଳୟ ସୃଷ୍ଟି କରାଯାଇଥିଲା। ଏବେ ନୂଆ ଓ ପୁରୁଣା ସବୁ ଗଛ କଟା ଆରମ୍ଭ ହୋଇଛି। ରାସ୍ତା ପାର୍ଶ୍ବରେ ଗଛ ଗଣ୍ଡିଗୁଡ଼ିକ ଧାଡ଼ିରେ ଗଦା କରାଯାଇଛି। ଏହି ରାସ୍ତା ସମ୍ପ୍ରସାରଣରେ କନ୍ଦରପୁର ଠାରୁ ମାଛଗାଁ ପର୍ଯ୍ୟନ୍ତ ମୋଟ ୫୭୧୫ ଗଛ କଟାଯିବ। ସେଥିରୁ କେବଳ ବିରିଡ଼ି ଅଞ୍ଚଳରେ ୨୪୯୮ ଗଛ କଟାଯିବ। କନ୍ଦରପୁର ଠାରୁ ବସନ୍ତପୁର ରାସ୍ତାର ବାମ ପାର୍ଶ୍ୱରେ ୧୩୫୭ ଟି ଗଛ ରହିଥିବା ବେଳେ ଡାହାଣ ପାର୍ଶ୍ବରେ ୧୧୪୧ ଟି ଗଛ ଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି। ବନବିଭାଗ, ବିଦ୍ୟୁତ ବିଭାଗ କର୍ମଚାରୀ ଓ ପୁଲିସ୍ ଉପସ୍ଥିତିରେ ଦୈନିକ ଗଛକଟା ଚାଲିଛି। ବିକାଶ ପାଇଁ ବୃକ୍ଷରାଜିର ବିନାଶ କରାଯାଉଛି ବୋଲି ପରିବେଶବିତ୍ମାନେ ଉଦ୍ବେଗ ପ୍ରକାଶ କରିଥିବା ବେଳେ ଜଗତସିଂହପୁର ଭଳି ଜିଲ୍ଲଶ ସଦର ମହକୁମାକୁ ରାସ୍ତା ସଂପ୍ରସାରଣ ଅପରିହାର୍ଯ୍ୟ ହୋଇ ପଡ଼ିଛି। ପରବର୍ତ୍ତୀ ସମୟରେ ରାସ୍ତାର ଦୁଇ ପାର୍ଶ୍ବରେ ପୁଣି ବ୍ୟାପକ ବୃକ୍ଷରୋପଣ କରାଯାଇ ସବୁଜ ବଳୟ ସୃଷ୍ଟି କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।
ଭାଙ୍ଗିଯିବ ନୀଡ଼, ଉଡ଼ିଯିବେ ପକ୍ଷୀ ?
ଏହି ରାସ୍ତା ସଂପ୍ରସାରଣ ଦ୍ବାରା ମଣିଷ ଯେତିକି ଉପକୃତ ହେବେ ତାଠୁ ଅଧିକ କ୍ଷତିଗ୍ରସ୍ତ ହେବେ ରାସ୍ତା କଡ଼ ଗଛଗୁଡ଼ିକରେ ଆଶ୍ରୟ ନେଇଥିବା ହଜାର ହଜାର ବାଦୁଡ଼ି, ବଗ, ପାଣିକୁଆ, ଡାହୁକ, କଜଳପାତି, ହଳଦୀବସନ୍ତ ପ୍ରଭୃତି ପକ୍ଷୀ। ସେମାନଙ୍କ ବସା ଭାଙ୍ଗି ଯିବ। ଏହି ପକ୍ଷୀମାନେ ପ୍ରାକୃତିକ ଭାରସାମ୍ୟ ରକ୍ଷା କରିବାରେ ଭୂମିକା ନିଭାଇଥାନ୍ତି। କିନ୍ତୁ ଗଛ କଟା ଯିବାଦ୍ୱାରା କଇଜଙ୍ଗା, ବଗୁଲା, ହାଜିପୁର, ବିରିଡ଼ି ଛକ, ଦୋଗଛିଆ, ବାଲିଆ, ବାଲିଆଷ୍ଟୋର, ଅଣଖିଆ, ବସନ୍ତପୁର ଆଦି ସ୍ଥାନରେ ବହୁ ବର୍ଷ ହେଲା ଗଛ ଡାଳରେ ବସାବାନ୍ଧିଥିବା ପକ୍ଷୀମାନେ ଏବେ ଆଶ୍ରା ହରାଇବେ। ପୁରୁଣା ଗଛ ସନ୍ଧାନରେ ଚାଲିଯିବେ। ଅନେକ ପକ୍ଷୀ ମୃତ୍ୟୁ ମୁଖରେ ପଡ଼ିବେ। ଯାହା ଚିନ୍ତାର କାରଣ ହୋଇଛି। ସନ୍ଧ୍ୟା ବେଳା ଏହି ପକ୍ଷୀମାନଙ୍କର କୋଳାହଳ ଆଉ ଶୁଣିବାକୁ ମିଳିବ ନାହିଁ। ଅଞ୍ଚଳଟି ନଦୀ କୂଳିଆ ହୋଇଥିବାରୁ ପ୍ରତି ବର୍ଷ ନୂଆ ନୂଆ ପକ୍ଷୀଙ୍କର୍ ଏଠାରେ ସମାଗମ ଦେଖିବାକୁ ମିଳେ।
Follow Us