ଇଞ୍ଜିନିୟରିଂ ଚାକିରି ଛାଡି ରାଜନୀତିରେ ପାଦ ଥାପିଲେ ଆଦିବାସୀ ଯୁବତୀ

Advertisment
ଇଞ୍ଜିନିୟରିଂ ଚାକିରି ଛାଡି ରାଜନୀତିରେ ପାଦ ଥାପିଲେ ଆଦିବାସୀ ଯୁବତୀ

Sambad

ମାଲକାନଗିରି: ଏବେ ପଞ୍ଚାୟତ ନିର୍ବାଚନର ଋତୁ। ଗାଁଗାଁରେ ନିର୍ବାଚନକୁ ନେଇ ଜୋରସୋରରେ ଚାଲିଛି ଟଣାଓଟରା । କିଏ ଜିତିବ ଆଉ କିଏ ହାରିବ ସେନେଇ ଲୋକଙ୍କ ମଧ୍ୟରେ ଭବିଷ୍ୟତ ଆକଳନ କରାଯାଉଛି। ପଞ୍ଚାୟତ ନିର୍ବାଚନରେ ବହୁ ଆଦିବାସୀ ଯୁବକ ଯୁବତୀ ନିର୍ବାଚନ ମଇଦାନରେ ଓହ୍ଲାଇଛନ୍ତି। ସେମାନଙ୍କ ମଧ୍ୟରୁ ବହୁ ଯୁବକଯୁବତୀ ଉଚ୍ଚ ଶିକ୍ଷିତ ଅଟନ୍ତି। ଏଭଳି ଜଣେ ଉଚ୍ଚ ଶିକ୍ଷିତା ଆଦିବାସୀ ଯୁବତୀ ଯିଏକି ରେଲଵେର ଚାକିରି ଛାଡି ଆଜି ରାଜନୀତିରେ ପଶିଛନ୍ତି। ନିଜ ଗାଁ ସହ ଅଞ୍ଚଳର ଉନ୍ନତି କରିବା ନେଇ ସେ ରାଜନୀତିରେ ଓହ୍ଲାଇଥିବା କହିଛନ୍ତି। କାଲିମେଳା ବ୍ଲକର ଦୁର୍ଗମ ତୁମ୍ବାଗୁଡା ଗ୍ରାମର ରୀନା କାବାସୀ ସିଭିଲ ଇଂଜିନିୟରିଂ କରିଛନ୍ତି।

ନିଜ ଗାଁରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ପରେ ଭଲ ପାଠ ପଢୁଥିବାରୁ ଷ୍ଟାଇପେଣ୍ଡ ପାଇ କୋରାପୁଟର ଏକ ଘରୋଇ କଲେଜରେ ପାଠ ସାରିଥିଲେ। ସେ ରେଲବାଇରେ ଭଲ ଚାକିରିଟିଏ ମଧ୍ୟ ପାଇଥିଲେ। କିନ୍ତୁ ଲୋକଙ୍କ ସେବା କରିବା ପିଲାଟି ଦିନରୁ ଚାହୁଁଥିବାରୁ ସେ ବିଜେପିରେ ଯୋଗ ଦେଇ କାଲିମେଳା ଜୋନ-୨ ପାଇଁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି। ନିଜ ଗାଁର ଅବସ୍ଥା ସେ ଅତି ନିକଟରୁ ଦେଖିଛନ୍ତି। ଗାଁରେ ବିଦ୍ୟୁତ ନାହିଁ, ରାସ୍ତା ନାହିଁ, ପାଣି ନାହିଁ। ଏଭଳି ପରିସ୍ଥିତିରେ ସେ ଏଠାରେ ବଢି ଆଜି ଜଣେ ଉଚ୍ଚ ଶିକ୍ଷିତା ନାରୀ ହୋଇଛନ୍ତି। ସେ ଜଣେ ଆଦିବାସୀ ହୋଇ ଆଦିବାସୀଙ୍କ ଅବସ୍ଥା ଭଲ ଭାବେ ବୁଝିପାରେ। ପିଲାମାନେ ସ୍କୁଲ ନଯାଇ ଏଣେ ତେଣେ ବୁଲୁଛନ୍ତି। ଠିକ୍‌ ଭାବେ ପାଠ ପଢୁନାହାନ୍ତି। ଗାଁକୁ ରାସ୍ତା ନାହିଁ। ଏଣୁ ମୁଁ ରାଜନୀତିରେ ପାଦ ଦେଇ ଅଞ୍ଚଳର ବିକାଶ କରିବା ସହ ଆଦିବାସୀଙ୍କ ଉନ୍ନତି ପାଇଁ କାମ କରିବି ବୋଲି ମନ ବଳାଇଥିବା କହିଥିଲେ। ରୀନା ଅନ୍ୟ ଆଦିବାସୀ ଯୁବକଯୁବତୀଙ୍କ ପାଇଁ ଉଦାହରଣ ହୋଇଛନ୍ତି।ନିର୍ବାଚନର ଫଳାଫଳ ଯାହା ହେଉ ନା କାହିଁକି, ସେ କିନ୍ତୁ ଅଞ୍ଚଳର ବିକାଶ ପାଇଁ ଲଢେଇ ଜାରି ରଖିବେ ବୋଲି ମନକୁ ଦୃଢ କରିଛନ୍ତି। ତାଙ୍କର ଏହି ଯାତ୍ରା ସଫଳ ହେଉ ଏତିକି କାମନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe