ବିକ୍ରି ପାଇଁ କରୋନା କଣ୍ଟା: ଘରେ ପଡିଛି ଶାଳ ଓ ସିଆଳି ଖଲି ଚଉପତି

Advertisment

କନ୍ଧମାଳର ୨୦ ହଜାରରୁ ଉର୍ଦ୍ଧ୍ବ ପରିବାରର ଭାତହାଣ୍ଡିରେ ଚଡକ

କନ୍ଧମାଳର ୨୦ ହଜାରରୁ ଉର୍ଦ୍ଧ୍ବ ପରିବାରର ଭାତହାଣ୍ଡିରେ ଚଡକ

ବିକ୍ରି ପାଇଁ କରୋନା କଣ୍ଟା: ଘରେ ପଡିଛି ଶାଳ ଓ ସିଆଳି ଖଲି ଚଉପତି

ଫୁଲବାଣୀ(ବଟକୃଷ୍ଣ ବିହାରୀ): ଜଙ୍ଗଲ ପାହାଡ ଘେରା ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାରେ ବସବାସ କରୁଥିବା ଲୋକଙ୍କ ମଧ୍ୟରୁ ୬୦ ପ୍ରତିଶତଙ୍କ ଜୀବନ ଜୀବିକା ପାଇଁ ଜଙ୍ଗଲ ଉପରେ ନିର୍ଭର କରିଥାଏ। ଜଙ୍ଗଲରୁ ଜାଳେଣି କାଠ, ମହୁ, ଲାଖ ସଂଗ୍ରହ ହୁଏ। ହେଲେ ପରିବାରକୁ ସବୁଠାରୁ ଅଧିକ ଗୁଜୁରାଣ ମେଣ୍ଟାଇବାରେ ସହାୟକ ହୁଏ ଶାଳ ଓ ସିଆଳି ପତ୍ର ତିଆରି ଖଲି ଓ ଚଉପତି। ପୁରୁଷମାନେ ଅନ୍ୟ କାମ କରୁଥିବା ବେଳେ ମହିଳାମାନେ ସବୁ ଏହି କାମ କରିଥାନ୍ତି। ହିସାବରୁ ଜଣା ଯାଏ କନ୍ଧମାଳ‌ରେ ୨୦ ହଜାରରୁ ଉର୍ଦ୍ଧ୍ବ ପରିବାର ଚଳିବା ପାଇଁ ଏହାରି ଉପରେ  ନିର୍ଭରଶୀଳ। ସଂପ୍ରତି ମାସେ ହେଲା କରୋନା କଟକଣା ଲାଗି ରହିଛି। କଟକଣା ଆହୁରି ବି ୧୫ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିଛି।

ଦୋକାନ ବଜାର ବନ୍ଦ। ହୋଟେଲ ସବୁ ବି ବନ୍ଦ ରହିଛି। ଗାଡି ଚଳାଚଳ ହେଉ ନଥିବାରୁ ଖଲି ଓ ଚଉପତି ବି ବାହାରକୁ ବିକ୍ରି ହେବା ପାଇଁ ଯାଇ ପାରୁ ନାହିଁ। ଏଥି ଯୋଗୁ ତିଆରି ହୋଇଥିବା ଖଲି ଓ ଚଉପତି ବିକ୍ରିବଟା ହୋଇ ପାରୁ ନାହିଁ। ଘରେ ଗଦାଗଦା ହୋଇ ପଡି ରହିଛି ଖଲି ଓ ଚଉପତି। କଟକଣା ଉଠିବା ପରେ ବିକ୍ରି ହେବାକୁ ଆଶାବାନ୍ଧି ତଥାପି ଘରେ ଘରେ ଖଲି ଓ ଚଉପତି ତିଆରି ଚାଲିଛି। ରାତି ପାହିଲେ ମହିଳାମାନେ ଜଙ୍ଗଲକୁ ଯାଇ ୫-୬ ଘଣ୍ଟା ପରିଶ୍ରମ କରି ଶାଳ ଓ ସିଆଳି ପତ୍ର ସଂଗ୍ରହ କରିଥାନ୍ତି। ତାପରେ ପତ୍ରରେ ଖଲି ଓ ଚଉପତି ତିଆରି କରି ତାକୁ ୩-୪ ଦିନ ଖରାରେ ଶୁଖାଇବାକୁ ପଡେ।

ଗୋଟିଏ ଖଲି ପାଇଁ ୫ରୁ ୬ ଓ ଗୋଟିଏ ଚଉପତି ପାଇଁ ୨ରୁ ୩ଟି ପତ୍ର ଦରକାର ହୁଏ। ଭଲ ଭାବେ ଶୁ୍ଖିଲା ପରେ ତାକୁ ବିଡା ହୁଏ। ଗୋଟିଏ ବିଡାରେ ୨୫ଟି ଖଲି ଓ ଚଉପତି ବନ୍ଧା ଯାଇଥାଲ। ଯେଉଁ ବିଡାକୁ ମାତ୍ର ୧୦ ଟଙ୍କାରେ ବିକ୍ରି କରା ଯାଇଥାଏ। ମହିଳାମାନେ ସକାଳୁ ସକାଳ ଖଲି ଓ ଚଉପତି ଧରି ବଜାରକୁ ବିକ୍ରି କରିବାକୁ ଆସନ୍ତି। ଆଉ ଖଲି ଓ ଚଉପତି ଲ୍ୟାମ୍ପ ମାଧ୍ୟରେ ବାହାର ରାଜ୍ୟକୁ ବିକ୍ରି ପାଇଁ ଯାଇଥା‌ଏ। ବିଶେଷତଃ ବ୍ରହ୍ମପୁର, କଟକ, ଭୁବନେଶ୍ବର ଏବଂ ବାହାର ରାଜ୍ୟ କହିଲେ ଆନ୍ଧ୍ରପ୍ରଦେଶକୁ ବେଶୀ କନ୍ଧମାଳରୁ ତିଆରି ଖଲି ଓ ଚଉପତି ବିକ୍ର ହେବାକୁ ଯାଏ।

ଖଲି ଓ ଚଉପତି ବିକ୍ରିରୁ ଯାହା ଟଙ୍କା ମିଳେ ସେଥିରେ ବର୍ଷକର ଅଧା ଦିନ ପରିବାର ଚଳିଥାଏ ବୋଲି କହନ୍ତି ଫୁଲବାଣୀ ପୌର ପରିଷଦ ୨ ନମ୍ବର ୱାର୍ଡ ଦାମିଙ୍ଗାର ସାବିତ୍ରୀ କହଁର, ହେମଲତା କହଁର ଓ ପଦ୍ମିନୀ ଭୋଇ। ହେଲେ କରୋନା କଟକଣା ପାଇଁ ଘରେ ଖଲି ଓ ଚଉପତି ଗଦାଗଦା ହୋଇ ପଡି ରହି ଥିଲେ ବି ବିକ୍ରି ହୋଇ ପାରୁ ନାହିଁ ବୋଲି କହିଛନ୍ତି ସୂର୍ଯ୍ୟକାନ୍ତି କହଁର, ସେବତୀ କହଁର ଓ ତପସ୍ବନୀ ଭୋଇ। ବିକ୍ରି ହେଉ ନଥିବାରୁ ମାସେ ହେଲା ପରିବାର ଚଳିବାରେ ଅସୁବିଧା ହେଉଛି ବୋଲି କହନ୍ତି ମଲିଫୁଲ କହଁର।

କରୋନା କଟକଣା ଏମିତି ଯଦି ଆହୁରି ଅଧିକ ଦିନ ଲାଗି ରହେ ତାହା ହେଲେ କେମିତି ଚଳିବୁ ବୋଲି କହନ୍ତି ବିଲାବାଡିର ରେବତୀ ବେହେରା ଓ ତାପସୀ ମଲିକ। ଜିଲ୍ଲା ସଦର ମହକୁମା ଫୁଲବାଣୀ ସମେତ ବାଲିଗୁଡା, କୋଟଗଡ,ତୁମୁଡିବନ୍ଧ, ଦାରିଙ୍ଗବାଡି, ଖଜୁରୀପଡା,ରାଇକିଆ ଅଞ୍ଚଳରେ ମହିଳାମାନେ  ଶାଳ ଓ ସିଆଳି ପତ୍ର ସଂଗ୍ରହ କରି ଖଲି  ଓ ଚଉପତି ତିଆରି କରି ପରିବାର ଚଳିବାରେ ପ୍ରମୁଖ ଦାୟିତ୍ବ ତୁଲାଇଥାନ୍ତି। ସଂପ୍ରତି କରୋନା ଦୁଃଖ ଦେଇଥିବା ବେଳେ କେ‌ବେ ଉଠୁଛି କଟକଣାକୁ ତାକୁ ସେମାନେ ଚାହିଁ ବସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe