କରୋନା ସ୍ବାବ ଟେଷ୍ଟିଂକୁ ଡଙ୍ଗରିଆଙ୍କ ବିରୋଧ, ପାର୍ସାଲିରେ କଣ୍ଟେନମେଣ୍ଟ ଜୋନକୁ ଭାଙ୍ଗିଦେଲେ 

Advertisment
କରୋନା ସ୍ବାବ ଟେଷ୍ଟିଂକୁ ଡଙ୍ଗରିଆଙ୍କ ବିରୋଧ, ପାର୍ସାଲିରେ କଣ୍ଟେନମେଣ୍ଟ ଜୋନକୁ ଭାଙ୍ଗିଦେଲେ 

ଟୁଇଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କଲେ କୋରାପୁଟ ସାଂସଦ

କଲ୍ୟାଣସିଂହପୁର : ‘‘ନିୟମଗିରି ରାଜାକୁ ପୂଜା କରୁଛୁ, ଆମର କିଛି ଅସୁବିଧା ହେବନି। କରୋନା କିଛି କରିପାରିବନି, ନିୟମରାଜାଙ୍କ ନିର୍ଦେଶ ନ ଆସିବା ପର୍ୟ୍ୟନ୍ତ କରୋନା ସ୍ବାବ ଟେଷ୍ଟିଂ ହୋଇପାରିବନିଟ୍ଟ’’।

ସ୍ବାବ ଟେଷ୍ଟିଂ ପାଇଁ ଯାଇଥିବା ମେଡ଼ିକାଲ୍ ଟିମକୁ ଆଜି ଏପରି ରୋକଠୋକ୍ ଭାବେ ଶୁଣାଇ ଦେଇଛନ୍ତି ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ଶିକକା। ଫଳରେ ମେଡ଼ିକାଲ୍ ଟିମ୍ ଆଜି ନିରାଶ ହୋଇ ଫେରିଛନ୍ତି। ଏଥି ସହିତ ପାର୍ସାଲିରେ ହୋଇଥିବା ମିନି କଣ୍ଟେନମେଣ୍ଟ୍ ଜୋନକୁ ଭାଙ୍ଗି ଦେଇଛନ୍ତି ଡଙ୍ଗରିଆ। ସଂଧ୍ୟାରେ ଗାଁ ମୁଖିଆଙ୍କୁ ବୁଝାଶୁଝା କରି ଆସନ୍ତାକାଲି ମେଡ଼ିକାଲ୍ ଟିମ୍ ପୁଣି ଥରେ ଡଙ୍ଗରିଆ ଗାଁକୁ ଯିବ ବୋଲି କହିଛନ୍ତି ବିଡ଼ିଓ କାଳୁ ଚରଣ ନାୟକ।

ନିୟମଗିରିକୁ କରୋନା ଛୁଇଁବା ପରେ ଗତ ସପ୍ତାହକ ମଧ୍ୟରେ ପାର୍ସାଲି ଓ ସୁନାଖଣ୍ଡି ପଞ୍ଚାୟତ ୪ଟି ଗ୍ରାମର ୨୦ ଡଙ୍ଗରିଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତକାଲି ପାର୍ସାଲି ପଞ୍ଚାୟତର ଫାକେରି ଗାଁରୁ ୧୩ ପଜିଟିଭ ଚିହ୍ନଟ ହେବା ପରେ ପ୍ରଶାସନ ଏହାକୁ ଗୁରୁତର ସହ ନେଇଛି। ଗତକାଲି ସଂଧ୍ୟାରେ ପ୍ରଶାସନ ପାର୍ସାଲି ସରପଞ୍ଚଙ୍କ ସମେତ ଗାଁ ମୁଖିଆକୁ ବୁଝାଶୁଝା କରିବା ପରେ ପାର୍ସାଲି, ଫାକେରି, ନିର୍ଗୁଣ୍ଡି, ସାନଡେଙ୍ଗଲେଲି, ଗୁମା ଓ ଅନୟ ଗାଁ ଲୋକ ଆଜି ଆସିଥିଲେ। କିନ୍ତୁ ମାତ୍ର ୩ ଜଣ ହିଁ ସ୍ବାବ ଟେଷ୍ଟିଂ ପାଇଁ ରାଜି ହୋଇଥିଲେ। ଅନ୍ୟମାନେ ନିୟମରାଜା ଉପରେ ଭରସା କରି ସ୍ବାବ ଟେଷ୍ଟିଂ ପାଇଁ ମନା କରି ଦେଇଥିଲେ। ବହୁ ବୁଝାଶୁଝା ପରେ ମଧ୍ୟ ଡଙ୍ଗରିଆ ରାଜି ନ ହେବାରୁ ଚିନ୍ତାରେ ପଡ଼ିଥିଲେ ମେଡ଼ିକାଲ୍ ଟିମ୍ ଓ ବ୍ଲକ୍ କର୍ତ୍ତୃପକ୍ଷ। ଅନ୍ୟପକ୍ଷରେ ମହୁଲ ଓ ଆମ୍ବ ସଂଗ୍ରହ ପାଇଁ ଅଧିକାଂଶ ଡଙ୍ଗରିଆ ସକାଳୁ ଜଙ୍ଗଲକୁ ଚାଲି ଯାଉଥିବାରୁ ସ୍ବାବ ଟେଷ୍ଟିଂ କ୍ଷେତ୍ରରେ ପ୍ରଶାସନକୁ ଆଶାତୀତ ସଫଳତା ମିଳିପାରୁନି। ଅପରାହଣରେ ନିୟମଗରି ସୁରକ୍ଷା ସମିତର ସଭାପତି ଲଦ ଶିକକା, କୃଷ୍ଣ ଶିକକା, ବିଡିଓ କାଳୁ ଚରଣ ନାୟକ, ଡିକେଡିଏ ସ୍ବତନ୍ତ୍ର ଅଧିକାରୀ ମଦନ ମୋହନ ଦଳବେହେରା, ଓପିଲିପି ପରିଚାଳକ ନିରଞ୍ଜନ ସ୍ବାଇଁ ମିଶି ଫାକେରି ଯାଇ ଲୋକଙ୍କୁ ବୁଝାଶୁଝା କରିଥିଲେ। ଅନ୍ୟପକ୍ଷରେ ନିୟମଗିରିରେ କରୋନା ବ୍ୟାପିବା ପରେ ନିୟନ୍ତ୍ରଣ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍ କରି ଅବଗତ କରିଛନ୍ତି କୋରାପୁଟ ସାଂସଦ ଇଂ. ସପ୍ତଗିରି ଶଙ୍କର ଉଲାକା। ସେହିପରି ବିଶିଷ୍ଟ ପରିବେଶବିତ୍ ତଥା ଲୋକ ଶକ୍ତି ଅଭିଯାନର ଅଧ୍ୟକ୍ଷ ପ୍ରଫୁଲ୍ଲ ସାମନ୍ତରା ଡଙ୍ଗରିଆଙ୍କ ସୁରକ୍ଷା ପାଇଁ ରାୟଗଡ଼ା ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ନିୟମଗିରିରେ କରୋନା ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ସମସ୍ତ ପ୍ରକାର ପଦକ୍ଷେପ ନେଇଥିବା ଜିଲ୍ଲାପାଳ ସରୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି। ଆଜି କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତ ନାରିଙ୍ଗତୋଳା ଗ୍ରାମରେ ୯ ଜଣଙ୍କ ସ୍ବାବ ପରୀକ୍ଷା କରିବା ପରେ ୩ ଜଣଙ୍କ ରିପୋର୍ଟ ପଜିଟିଭ୍ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe