ଇବ୍ଥର୍ମାଲ/ବେଲପାହାଡ଼: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଶୁକ ପଟ୍ଟନାୟକ ଛକ ଲେଭଲ୍ କ୍ରସିଂ ନିକଟରେ ଶୁକ୍ରବାର ଛିଡ଼ା ହୋଇଥିବା ଏକ ୧୦ ଚକିଆ ଟ୍ରକ୍ (ଓଆର୍ ୨୩ଡି- ୪୧୪୪) ନିଆଁ ଲାଗି ଜଳିଯାଇଛି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡ଼ି ନଥିଲେ ହେଁ ସର୍ଟ ସର୍କିଟ୍ରୁ ଏହା ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଇଛି। ମିଳିଥିବା ସୂଚନାନୁସାରେ ଚାଳକ ଉଦଲ ସିଂହ ସନ୍ଧ୍ୟା ପ୍ରାୟ ୫ଟା ବେଳେ ଗାଡ଼ିଟିକୁ ଛକ ନିକଟରେ ଠିଆ କରି ନିକଟସ୍ଥ ପଟ୍ରୋଲ୍ ପମ୍ପ୍କୁ ପାଣି ଆଣିବାକୁ ଯାଇଥିଲେ।
ଏହି ସମୟରେ ଟ୍ରକ୍ କ୍ୟାବିନ୍ରେ ନିଆଁ ଲାଗିଥିବା ଦେଖି ଅନ୍ୟ ଡ୍ରାଇଭର୍ମାନେ ପାଟି କରିବାରେ ଶ୍ରୀ ସିଂହ ପାଖକୁ ଆସି ଜଳୁଥିବା ଦେଖିଥିଲେ। ପରେ ଏ ନେଇ ସେ ମାଲିକ ଗୁମାଡେରା ନିବାସୀ ପ୍ରବୀଣ ଡାଲମିଆଙ୍କ ସହ ବେଲପାଡ଼ ଥାନା ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ। ଟିଆର୍ଏଲ୍ କ୍ରୋସାକିର ଏକ ଦମକଳ ପହଞ୍ଚି ଲିଭାଇବାକୁ ଉଦ୍ୟମ କରୁଥିବା ବେଳେ ଲଖନପୁର ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ଗାଡ଼ିର କ୍ୟାବିନ୍ଟି ସଂପୂର୍ଣ୍ଣ ପୋଡ଼ି ସାରିଥିଲା। ବେଲପାହାଡ଼ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
Follow Us