ଖୋର୍ଦ୍ଧା: ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଛତ୍ରମା ନିକଟରେ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରୁ ପୋଢ଼, ମଇଁଷି ଆଦି ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ସ୍ଥାନୀୟ ଲୋକ ଧରି ପୁଲିସକୁ ହସ୍ତାନ୍ତର କରିଛନ୍ତି । ପୁଲିସ କଂଟେନରକୁ ଜବତ କରିବା ସହ ଏନେଇ ଏକ ମାମଲା ରୁଜୁ କରିଛି ।
ସୂଚନାନୁସାରେ, ଆନ୍ଧ୍ରପ୍ରଦେଶ ପଂଜୀକୃତ ଏକ କଂଟେନର (ଏପି ୦୩ଟିଇ ୯୦୭୮) ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ବେଗୁନିଆ ବ୍ଲକ ଛତ୍ରମା ନିକଟରୁ ବେଆଇନ ଭାବେ ମଇଁଷି, ପୋଢ଼ ଆଦି ଗୋରୁଙ୍କୁ ନେଇ ଚାଲାଣ କରୁଥିବା ସୂଚନା ପାଇ ଅପରାହ୍ଣ ପ୍ରାୟ ସାଢ଼େ ୧୨ଟା ବେଳେ ଗାଁ ଲୋକ ଅଟକାଇଥିଲେ । କଂଟେନର ମଧ୍ୟରେ ୬୦ରୁ ଊର୍ଦ୍ଧ୍ବ ମଇଁଷି, ପୋଢ଼ ରହିଥିଲେ । ଦୟନୀୟ ଅବସ୍ଥାରେ ପରିବହନ କରିଥିବାରୁ ସେମାନଙ୍କ ମଧ୍ୟରୁ ୩-୪ଟିଙ୍କ ମୃତ୍ୟୁ ଘଟିଥିଲା । ଏହାପରେ ଗ୍ରାମବାସୀ କଂଟେନରର ଚାଳକ ଓ ସହାୟକଙ୍କ ସହ ଖୋର୍ଦ୍ଧା ସଦର ଥାନା ପୁଲିସକୁ ହସ୍ତାନ୍ତର କରିଥିଲେ । ସଦର ଥାନା ପୁଲିସ କଂଟେନର ଓ ମଇଁଷିଗୁଡ଼ିକୁ ଜବତ କରିଥିଲା ।
ଏନେଇ ସଦର ଥାନାର ଭାରପ୍ରାପ୍ତ ଅଧିକାରୀ ବିଦିତା ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ସାଢ଼େ ଗୋଟାଏ ବେଳେ ୧୬ ନମ୍ବର ଜାତୀୟ ରାଜପଥର ପଣ୍ଡିତ ଢାବା ନିକଟରେ ଚାଲାଣ ହେଉଥିବା ଖବର ପାଇ ପୁଲିସ ଚଢ଼ଉ କରିଥିଲା । ପୁଲିସକୁ ଦେଖି କଂଟେନର ଛାଡ଼ି ଚାଳକ ଓ ସହଯୋଗୀ ଫେରାର୍ ହୋଇଯାଇଥିଲେ କଂଟେନରରୁ ୧୭ଟି ପୋଢ଼ ଓ ୩୯ଟି ମଇଁଷି ଉଦ୍ଧାର କରାଯାଇଛି । ଏନେଇ ୧୧୭/୨୦୨୩ରେ ଏକ ମାମଲା ରୁଜୁ କରାଯାଇଛି ।
Follow Us