ହାଟଡିହି: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ କେ.ବାଲିପାଳ ପଞ୍ଚାୟତର ମଲ୍ଲୀପଶି, ସରମୁଣ୍ଡି, କଅଁଳେଇ ବାଲିପାଳ, ମୟୂରନଚା, ଭଅଁରା ଓ ରାଇଘାଟି ଗ୍ରାମରେ ପାନୀୟଜଳ ସଙ୍କଟ ଉତ୍କଟ ହୋଇଛି। ଖରାଦିନେ ଲୋକେ ଚୁଆପାଣି ପିଇ ଶୋଷ ମେଣ୍ଟାଉଛନ୍ତି। ପାନୀୟଜଳ ସମସ୍ୟା ନେଇ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ।
ମଲ୍ଲୀପଶି, ସରମୁଣ୍ଡି, କେ.ବାଲିପାଳ, ମୟୂରନଚା, ଭଅଁରା, ରାଇଘାଟି-୧, ରାଇଘାଟି-୨, ସିଆଡ଼ିମାଳିଆ ଗ୍ରାମକୁ ନେଇ କେ. ବାଲିପାଳ ପଞ୍ଚାୟତ ଗଠିତ। ଏଠାରେ ୧୧ଟି ୱାର୍ଡ ରହିଛି। କେ. ବାଲିପାଳ ଗ୍ରାମରେ ୬ଟି ସାହି ଥିବାବେଳେ ୧୫୦ ପରିବାରର ୮୦୦ ଲୋକ ବାସ କରୁଛନ୍ତି। ଏଠାରେ ୪ଟି ନଳକୂପ ରହିଛି। ଏପ୍ରିଲ ମାସରୁ ନଳକୂପରୁ ପାଣି ବାହାରୁନି। ଲୋକେ ନିକଟସ୍ଥ ଚୁଆରୁ ପାଣି ଆଣୁଛନ୍ତି। ସେହିପରି ମଲ୍ଲୀପଶି ଗ୍ରାମରେ ୯ ସାହିରେ ୧୮୨ ପରିବାରର ପରିବାର ୧୦୯୨ଜଣ ଲୋକ ବାସ କରୁଛନ୍ତି। ଏଠାରେ ୫ଟି ନଳକୂପ ଥିବାବେଳେ ତାହା ଅଚଳ ହୋଇଯାଇଛି। ସେହିପରି ସରମୁଣ୍ଡି ଗ୍ରାମରେ ୩ଟି ସାହିରେ ୫୫ଟି ପରିବାରର ୨୮୦ ଲୋକଙ୍କ ପାଇଁ ମାତ୍ର ଗୋଟିଏ, ମୟୂରନଚା ଗ୍ରାମର ୫ଟି ସାହିରେ ୧୩୦ ପରିବାରର ୬୬୦ ଲୋକଙ୍କ ପାଇଁ ୫ଟି, ଭଅଁରା ଗ୍ରାମର ୪ଟି ସାହିରେ ୧୨୫ ପରିବାରର ୭୫୦ରୁ ଊର୍ଦ୍ଧ୍ବ ଲୋକ ଲୋକଙ୍କ ପାଇଁ ବେଳେ ୬ଟି ନଳକୂପ ଅଛି। ଭୂତଳ ଜଳସ୍ତର ହ୍ରାସ ପାଉଥିବାରୁ ନଳକୂପ ଗୁଡ଼ିକରୁ ଠିକ୍ରେ ପାଣି ବାହାରୁ ନାହିଁ।
ସେହିପରି ରାଇଘାଟି-୨ ଗ୍ରାମରେ ୭ଟି ସାହିରେ ୩୦୨ଟି ପରିବାରର ୧୮୫୦ରୁ ଊର୍ଦ୍ଧ୍ବ ଲୋକ ବାସ କରୁଥିବା ବେଳେ ଏଠାରେ ଥିବା ଅଧିକାଂଶ ନଳକୂପ ଅଚଳ ହୋଇଯାଇଛି। ରାଇଘାଟି-୧ ଗ୍ରାମରେ ୭୨ଟି ପରିବାର ବାସ କରୁଥିବା ବେଳେ ଲୋକସଂଖ୍ୟା ୩୫୦ରୁ ଊର୍ଦ୍ଧ୍ବ। ଏଠାରେ ଥିବା ୨ଟି ନଳକୂପରୁ ଅଧିକାଂଶ ସମୟରେ ପାଣି ବାହାରୁ ନଥିବା ଲୋକେ ଅଭିଯୋଗ କରିଛନ୍ତି। କେବଳ ସିଆଡ଼ିମାଳିଆ ଗ୍ରାମର ୨ଟି ୱାର୍ଡକୁ ଛାଡ଼ିଦେଲେ ଅନ୍ୟ ୯ଟା ୱାର୍ଡରେ ପାନୀୟଜଳ ସମସ୍ୟା ଦେଖାଦେଇଛି। ଏ ସମ୍ପର୍କରେ ବାରମ୍ବାର ପଞ୍ଚାୟତ ଓ ବ୍ଲକ୍ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନଥିବା ରାଉତ ହୋ, ଜୁରେ ପୂର୍ତ୍ତି, ଶିଙ୍ଗରାଇ ପୂର୍ତ୍ତି, ମୁଚିରାମ ହୋ, ସୁନାରାମ ପୂର୍ତ୍ତି, ଶ୍ରୀରାମ ପୂର୍ତ୍ତି, ରାଉତ ଖାଣ୍ଡିଆନ, ସଂକୀର୍ତ୍ତନ ଶଙ୍ଖୁଆଳ, ରଙ୍କିଆ ବିନିସିଆ, ସାଦ ହୋ, ମିନତି ପୂର୍ତ୍ତି, ଚୁବେ ପୂର୍ତ୍ତି, ରୀତା ସୋରେନ, ରାଧିକା ହୋ, ନାରଣ ହୋ, ଦିବାକର ହୋ, ପାଣ୍ଡବ ନାଇକ, ମୁନା ହୋ, ଗୋରା ହୋ, ଜେନା ମହାକୁଡ଼, ନିଶିକାନ୍ତ ନାଇକ, ରାଜନ ସୋରେନ, ବୁଦ୍ଧିରାମ ପୂର୍ତ୍ତି, ହେମନ୍ତ ମାଝୀ, ରାମଚନ୍ଦ୍ର ଟୁଡ଼ୁ, ସଞ୍ଜୟ ହୋ, ମାଦେଏ ପୂର୍ତ୍ତି, ଗୁରୁବାରୀ ପୂର୍ତ୍ତି, ସାଗି ହେମ୍ବ୍ରମ, ଜାନ ସୋରେନ, ରାମାଏ ପୂର୍ତ୍ତି, ମଞ୍ଜୁଲତା ପୂର୍ତ୍ତି ପ୍ରମୁଖ କହିଛନ୍ତି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।
ନଳକୂଅ ଅଚଳ, ଚୁଆପାଣି ଭରସା
Advertisment
Follow Us