Sambad
ବନ୍ତଳା: ଅନୁଗୁଳ ବ୍ଲକ ବନ୍ତଳା ଅଞ୍ଚଳରେ ଦୁଇଦିନ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ଫଳରେ ଲୋକମାନେ ଘରୁ ବାହାରିବା ଅସମ୍ଭବ ହୋଇପଡିଛି। ଜନଜୀବନ ଏକ ପ୍ରକାର ପ୍ରଭାବିତ ହୋଇଛି। ତେବେ ଏହି ଲଗାଣ ବର୍ଷା ଗରିବ ଲୋକଙ୍କ ପାଇଁ ଅଭିଶପ୍ତ ପାଲଟିଛି। ବର୍ଷାରେ ବଡ଼କନ୍ତକୁଳ ପଞ୍ଚାୟତର ପ୍ରାୟ ୨୦ରୁ ଅଧିକ ଘର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଫଳରେ ଲୋକମାନେ ବାସହରା ହୋଇପଡିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ସରକାର ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇ ଦେବାକୁ ଯୋଜନା କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ମାଧ୍ୟମରେ ଗରିବ ଲୋକମାନେ ପକ୍କା ଘର ପାଉଛନ୍ତି। ତେବେ ବଡ଼କନ୍ତକୁଳ ପଞ୍ଚାୟତରେ ଅନେକ ଗରିବ ଲୋକଙ୍କୁ ଏପର୍ଯ୍ୟନ୍ତ ପକ୍କା ଘର ମିଳିପାରିନାହିଁ।
ଫଳରେ ଲଗାଣ ବର୍ଷାରେ ପ୍ରାୟ ୨୦ଟି ଘର ଭାଙ୍ଗିଥିବା ଜଣାପଡିଛି। ବଡ଼କନ୍ତକୁଳ ପଞ୍ଚାୟତ ନୁଆକ୍ଷେତା ଗ୍ରାମର ବିଜୟ ପ୍ରଧାନ, ବିରଞ୍ଚି ଭୋଇ, ରାଜୁ ଭୋଇ, ବ୍ରହ୍ମାନନ୍ଦ ନାୟକ, ଅରୁଣ ନାୟକଙ୍କ ମାଟି ଘର ଭାଙ୍ଗିଥିବା ବେଳେ କଞ୍ଜକ୍ଷ ଗ୍ରାମର ବାରି ମହାଳିକ, ତଳବେରେଣା ଗ୍ରାମର ହର୍ଷ ନାୟକ, ସୁରେଶ ବାଡ଼ିଆ, ବଡ଼କନ୍ତକୁଳ ଗ୍ରାମର ସୁଜନ ବେହେରା, ବିଶ୍ୱନାଥ ସାହୁ, ଜାମୁଗାଡିଆ ଗ୍ରାମର ପ୍ରମିଳା ପ୍ରଧାନ, ଟଙ୍କଧର ପ୍ରଧାନ, ସୁରେଶ ପ୍ରଧାନ, ଭାସ୍କର ପ୍ରଧାନ, ଅକ୍ଷୟ ବେହେରା, ସବିତା ସାହୁ, ନୂଆଁଗାଁ ଗ୍ରାମର ନବଘନ ନାୟକ, ସାନକନ୍ତକୁଳ ଗ୍ରାମର ଶ୍ରୀକାନ୍ତ ସାହୁଙ୍କ ମାଟି କାନ୍ଥ ଭୁଶୁଡି ପଡିଛି। ଏହି ଘଟଣାରେ କେହି ମୃତାହତ ହୋଇଥିବାର ସୂଚନା ନାହିଁ। ତେବେ ବାସହରା ହୋଇପଡିଥିବା ଏହି ଗରିବ ଲୋକ ମାନଙ୍କ ପାଖରେ ଘର ସଜାଡିବାକୁ ମଧ୍ୟ ଟଙ୍କା ନାହିଁ। ଏଭଳି ସ୍ଥିତିରେ ସେମାନଙ୍କୁ ସରକାରୀ ସ୍ତରରେ ଖାଦ୍ୟ ସାମଗ୍ରୀ ଓ ପକ୍କା ଘର ଯୋଗାଇ ଦେବାକୁ ଦାବି ହୋଇଛି।
Follow Us