new indian express
ଆଳି: ପୃଥକ ପୃଥକ ଦୁଇଟି ନାବାଳିକା ଅପହରଣ ଅଭିଯୋଗ ମାମଲାରେ ବୁଧବାର ଦିନ ୨ ଜଣ ଯୁବକଙ୍କୁ ଆଳି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଆଳିଥାନା ନିଆଳ ଗ୍ରାମ ନିବାସୀ ଯୁବକ ଅରୁଣ ମଳିକ ଓରଫ ସୁକାନ୍ତ ନିକଟସ୍ଥ ଗ୍ରାମରେ ଭଡ଼ା ଘରେ ରହୁଥିବା ରାଜକନିକା ଅଞ୍ଚଳର ଜନୈକା ୧୭ ବର୍ଷୀୟା ନାବାଳିକାକୁ ଗତ ୭ ଦିନ ତଳେ ଅପହରଣ କରିନେଇ ଫେରାର ହୋଇ ଯାଇଥିଲା।
ଏନେଇ ନାବାଳିକାର ମା' ଆଳି ଥାନାରେ ଅଭିଯୋଗ କରିଥିଲେ। ଆଳି ପୁଲିସ ୪୩୮/୨୪ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲେ। ତଦନ୍ତ ଆଧାରରେ କୌଣସି ସୂତ୍ରରୁ ଖବର ପାଇ ବେଙ୍ଗାଲୁରୁରୁ ଅରୁଣକୁ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରି ଆଳି ଥାନାକୁ ଆଣିଥିଲେ। ସଂପୃକ୍ତ ନାବାଳିକାକୁ ତାର ପରିବାରକୁ ହସ୍ତାନ୍ତର କରି ପୁଲିସ ଅଭିଯୁକ୍ତ ଅରୁଣକୁ କୋର୍ଟ ଚାଲାଣ କରିଛନ୍ତି।
ସେହିପରି ଆଳିଥାନା ବିଲିକଣା ଗ୍ରାମର ଯୁବକ ମାନସ ମଳିକ ସେହି ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକାକୁ ମାସେ ତଳେ ଅପହରଣ କରି ଫେରାର ହୋଇ ଯାଇଥିଲେ। ଥାନାରେ ଅଭିଯୋଗ ହେବା ପରେ ପୁଲିସ ୩୪୭/୨୪ ରେ କେସ ରୁଜୁ କରି ବିଭିନ୍ନ ସ୍ଥାନରେ ଚଢାଉ କରି ମାନସକୁ ଗିରଫ କରିବା ସହ ନାବାଳିକାକୁ ଉଦ୍ଧାର କରିଥିଲା।ଏହି ମାମଲାରେ ମଧ୍ୟ ନାବାଳିକାକୁ ତାର ପରିବାରକୁ ହସ୍ତାନ୍ତର କରିବା ସହ ଅଭିଯୁକ୍ତକୁ କେନ୍ଦ୍ରାପଡା କୋର୍ଟକୁ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ଉଭୟ ଅଭିଯୁକ୍ତଙ୍କୁ ବାରିମୂଳ ଜେଲକୁ ପଠାଇ ଦିଆ ଯାଇଛି।
Follow Us