The Hans India
ପୁରୁଷୋତ୍ତମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଜାମୁନି ଗ୍ରାମରେ ରାଜନୈତିକ ଶତ୍ରୁତା ଓ ବେଆଇନ ବାଲି ଉଠାଣକୁ କେନ୍ଦ୍ର କରି ଗତ ୭ ତାରିଖରେ କେଉଟ ସାହିର ଯୋଗେଶ ବେହେରା (୨୫)ଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାର ତଦନ୍ତକୁ ପୁଲିସ ତ୍ବରାନ୍ବିତ କରିଛି। ୫ ଜଣ ଅଟଙ୍କକୁ ଜେରା ଜାରି ରହିଥିବା ବେଳେ ଫେରାର୍ ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ସ୍ବତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛନ୍ତି। ତେବେ ଯୋଗେଶଙ୍କୁ ଦୁଇଭାଇ ଭଜନ ମହାରଣା ଓ ଝଡ଼ିଆ ମହାରଣା ହିଁ ବୀଭତ୍ସ ଭାବେ ହତ୍ୟା କରିଥିବା ପୁଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି। ସେମାନଙ୍କୁ କାବୁ କରିବାକୁ ପୁଲିସ ପକ୍ଷରୁ ସ୍ବତନ୍ତ୍ର ଅପରେସନ୍ ଜାରି ରହିଛି। ଅନ୍ୟପକ୍ଷରେ ଏହି ସମ୍ବେଦନଶୀଳ ଘଟଣାରେ ବ୍ଲକ୍ର ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ଜଣେ ତୁଙ୍ଗ ନେତାଙ୍କ ସଂପୃକ୍ତି ସାମ୍ନାକୁ ଆସିଛି। ହତ୍ୟାକୁ ନେଇ ଥାନାରେ ଦିଆଯାଇଥିବା ଏତଲାରେ ୮ ଜଣଙ୍କ ନାମ ରହିଥିବା ବେଳେ ସେଥିରେ ଉକ୍ତ ନେତାଙ୍କ ନାମ ବି ଉଲ୍ଲେଖ ରହିଛି। କିନ୍ତୁ ବିବାଦ ଭିତରେ ତାଙ୍କର ଭୂମିକା କଣ ଥିଲା, ହତ୍ୟା ଷଡ଼ଯନ୍ତ୍ରରେ ତାଙ୍କର ସଂପୃକ୍ତି ରହିଛି କି ନାହିଁ, ଏହାକୁ ପୁଲିସ ତଦନ୍ତ ପରିସରଭୁକ୍ତ କରିଛି। ଖୁବ୍ ଶୀଘ୍ର ଅଭିଯୁକ୍ତମାନେ ଗିରଫ ହେବେ ବୋଲି ତଦନ୍ତକାରୀ ଅଧିକାରୀ ତଥା ଥାନାଧିକାରୀ ପ୍ରିୟସ୍ ରଞ୍ଜନ ଛୋଟରାୟ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଗତକାଲି ରାତିରେ ବ୍ରହ୍ମପୁର ବଡ଼ ମେଡିକାଲରୁ ଯୋଗେଶଙ୍କ ଶବ ବ୍ୟବଚ୍ଛେଦ ହୋଇ ଗ୍ରାମରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିଲା। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରିବାରବର୍ଗ ଦାବି କରିଛନ୍ତି। ତେବେ ଘଟଣା ପରେ ଜାମୁନି ଗ୍ରାମରେ ଏବେ ବି କୋକୁଆ ଭୟ ଲାଗି ରହିଛି। ଆକ୍ରମଣରେ ଆହତ ଅଜିତ୍ ପାଣିଗ୍ରାହୀଙ୍କ ଏତଲା କ୍ରମେ ପୁରୁଷୋତ୍ତମପୁର ଥାନାରେ କେସ୍ ନମ୍ବର ୩୧୪ ଅନୁସାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।
Follow Us