image source-nayalook.com
ସମ୍ବଲପୁର: ଓ୍ବେସ୍କୋ ୟୁଟିଲିଟି ନାମରେ ନକଲି ଓ୍ବେବ୍ସାଇଟ ପ୍ରସ୍ତୁତ କରି ସେଥିରେ ଚାକିରି ବିଜ୍ଞାପନ ଦେଇ ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗରେ ପୂର୍ବତନ ଭିସୁଟ ଛାତ୍ରଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି ସମ୍ବଲପୁର ସାଇବର ଥାନା ପୁଲିସ। ସେମାନେ ହେଲେ ୨୦୧୮ ମସିହାରେ ଭିସୁଟ୍ରୁ ଉତ୍ତୀର୍ଣ୍ଣ ହୋଇଥିବା ରାଉରକେଲା ସେଲ୍ଟ୍ୟାକ୍ସ କଲୋନିର ସୁନୀଲ ମିଶ୍ର(୨୫) ଏବଂ ସିମ୍କାର୍ଡ ବିକ୍ରି କରୁଥିବା କର ତାପସ ମହାପାତ୍ର(୨୭)। ଏଥିରେ ଆଉ କିଛି ବ୍ୟକ୍ତି ମଧ୍ୟ ସଂପୃକ୍ତ ଅଛନ୍ତି। ଏଥିସଂକ୍ରାନ୍ତରେ ପୁଲିସ ତଦନ୍ତ ଜାରି ରହିଛି।
ସାଇବର ଥାନା ଅଧିକାରୀ ତାରାବତୀ ପ୍ରଧାନଙ୍କ ସୂଚନା ଅନୁଯାୟୀ, ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଓ୍ବେସ୍କୋ ଓଡ଼ିଶା.କୋ.ଇନ୍ ନାମରେ ୨୦୧୯ ମସିହାରେ ପ୍ରସ୍ତୁତ ହୋଇଥିଲା ନକଲି ଓ୍ବେବ୍ସାଇଟ। ଏଥିରେ ଓ୍ବେସ୍କୋର ଅବିକଳ ହୋମ୍ ପେଜ୍ ରହିଥିଲା। ଜୁନ ମାସ ୨୬ ତାରିଖରେ ଲକଡାଉନ୍ ସମୟରେ ଏଥିରେ ନିଯୁକ୍ତି ବିଜ୍ଞାପନ ପ୍ରକାଶିତ ହୋଇଥିଲା। ଏଥିରେ ଚାଳକ, ପିଅନ ଠାରୁ ଆରମ୍ଭ କରି ସମସ୍ତ ଚାକିରି ରହିଥିଲା।
ଆବେଦକମାନଙ୍କୁ ୫୦୦ ଟଙ୍କା ଜମା କରିବାକୁ ଓ୍ବେବ୍ସାଇଟ୍ରେ ଉଲ୍ଲେଖ ରହିଥିଲା। ପ୍ରାୟ ୧ ହଜାରରୁ ଅଧିକ ଯୁବକ-ଯୁବତୀ ଏଥିପାଇଁ ଆବେଦନ କରି ଟଙ୍କା ଦାଖଲ କରିଥିଲେ। ଏଥିସଂକ୍ରାନ୍ତରେ ଓ୍ବେସ୍କୋ ଡିଭିଜନ ସମ୍ବଲପୁରର ଡିଜିଏମ୍ ସୁନୀଲ ପତି ଜୁଲାଇ ୨୭ ତାରିଖରେ ସାଇବର ଥାନାରେ ଏତଲା ଦେବା ପରେ ତଦନ୍ତ ଆରମ୍ଭ ସହିତ ସାଇଟ୍ ବ୍ଲକ କରାଯାଇଥିଲା। ଓ୍ବେବ୍ ସାଇଟ ପ୍ରସ୍ତୁତି ସମୟରେ ଫୋନ୍ ନମ୍ବର ମଗାଯାଏ। ସେହି ସିମ୍ ବିଭିନ୍ନ ପ୍ରକାର ମୋବାଇଲ ସେଟ୍ରେ ବ୍ୟବହାର ହୋଇଥିଲା। ଫୋନ୍ ଟ୍ରାକ କରାଯାଇ ୩ ମାସ ପରେ ଏହି ୨ ଜଣଙ୍କୁ ରାଉରକେଲାରୁ ସାଇବର ଥାନା ପୁଲିସ ଧରିଥିଲା। ଠକେଇ ଟଙ୍କା ଜମା ହେଉଥିବା ଆକାଉଣ୍ଟକୁ ମଧ୍ୟ ପୁଲିସ ସିଜ କରିଛି । ପ୍ରକୃତରେ କେତେ ଟଙ୍କାର ଏବଂ କେତେ ଜଣଙ୍କ ଠାରୁ ଠକେଇ ହୋଇଛି ତାହା ସ୍ପଷ୍ଟ ହୋଇ ପାରି ନାହିଁ। ଭିସୁଟ ଛାତ୍ର ଓ୍ବେବସାଇଟ ଡିଜାଇନ୍ ପ୍ରସ୍ତୁତ କରିଥିଲେ ଏବଂ ତାପସ କୁମାର ଅନ୍ୟର ସିମକାର୍ଡ ଜରିଆରେ ଏହି କାର୍ଯ୍ୟ କରୁଥିଲେ।
ବାପା ଅଟୋ ଚାଳକ, ଜେଇ ପରୀକ୍ଷାରେ ୨୭ ରେଙ୍କ
ରାଉକେଲାର ସୁନୀଲ ମିଶ୍ର। ବାପା ଅଟୋରିକ୍ସା ଚାଳକ। ୨୦୧୪ ମସିହାରେ ଜେଇଇ ପରୀକ୍ଷାରେ ୨୭ ନମ୍ବର ରେଙ୍କ୍ ପାଇ ଚର୍ଚିତ ହୋଇଥିଲେ। ପରିବାର ଆଶା କରିଥିଲା, ଉଚ୍ଚ ପଦରେ ଆସୀନ ହେବ। ଏପରିକି ଏକ ବଡ଼ ରାଷ୍ଟ୍ରାୟତ୍ତ କମ୍ପାନିରେ ଚାକିରିର ଅଫର ରହିଥିବା ନେଇ ସେ ପୁଲିସକୁ ସୂଚନା ଦେଇଛନ୍ତି। ଅନ୍ୟ ଅଭିଯୁକ୍ତ ତାପସ ମହାପାତ୍ର ମଧ୍ୟ ମେଧାବୀ ଛାତ୍ର। ତାଙ୍କ ଭାଇ ଆଇଟି ସେକ୍ଟରରେ କାର୍ଯ୍ୟ କରନ୍ତି। ମା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ। ଉଭୟ ଏଭଳି କାର୍ଯ୍ୟ କରିଥିବା ନେଇ ପରିବାର ମଧ୍ୟ ଅବଗତ ନଥିବା ପୁଲିସ କହିଛି।
Follow Us