କଳାହାଣ୍ଡି କୋଭିଡ ହସ୍‌ପିଟାଲରେ ଭଙ୍ଗାରୁଜା ଘଟଣାରେ ୨ ଦୁଇ ଭାଇ ଗିରଫ

Advertisment
କଳାହାଣ୍ଡି କୋଭିଡ ହସ୍‌ପିଟାଲରେ ଭଙ୍ଗାରୁଜା ଘଟଣାରେ ୨ ଦୁଇ ଭାଇ ଗିରଫ

ଭବାନୀପାଟଣ: ଦୁଇ ଦିନ ପୂର୍ବରୁ ସ୍ଥାନୀୟ ବାନ୍ଦୋପଲା କୋଭିଡ ହସ୍‌ପିଟାଲରେ ଚିକିତ୍ସାରେ ଅବହେଳା ଦର୍ଶାଇ ଶିକ୍ଷକ ବିରେନ୍ଦ୍ର ପ୍ରସାଦ ସିଂଙ୍କ ମୃତ୍ୟୁକୁ ପ୍ରସଙ୍ଗ କରି ହୋଇଥିବା ଭଙ୍ଗାରୁଜା ଘଟଣାରେ ସଦର ଥାନା ପୁଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ବାହାଦୂରବଗିଚା ପଡାର ଅଜୟ ରାଉତ (୨୩) ଓ ବିଜୟ କୁମାର ରାଉତ(୨୧) ଦୁଇ ଭାଇଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୧୦ ତାରିଖ ଦିନ ବାନ୍ଦୋପଲା କୋଭିଡ ହସ୍‌ପିଟାଲରେ ଅବହେଳା ଯୋଗୁଁ ଶିକ୍ଷକ ବିରେନ୍ଦ୍ର ପ୍ରସାଦ ସିଂଙ୍କ ମୃତ୍ୟୁ ହୋଇଥିଲା । ଏ ନେଇ ପରିବାର ପକ୍ଷରୁ ତୀବ୍ର ବିରୋଧ କରି କୋଭିଡ ହସ୍‌ପିଟାଲରେ ଭଙ୍ଗାରୁଜା କରିଥିବା ନେଇ ସିଡିଏମଓଙ୍କ ପକ୍ଷରୁ ସଦର ଥାନାରେ ଏତଲା ଦିଆ ଯାଇଥିଲା। ଏନେଇ ସଦର ଥାନା ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା।

ତେବେ ପୁଲିସ ପକ୍ଷରୁ ଘଟଣାର ତୁରନ୍ତ ସତ୍ୟାସତ୍ୟ ଅନୁସନ୍ଧାନ କରି ଗିରଫ ଦୁଇ ଭାଇଙ୍କୁ ନିର୍ଦ୍ଦେଷରେ ଖଲାସ ନ କଲେ ଆଗାମୀ ଦିନରେ କଳାହାଣ୍ଡି ସଚେତନ ନାଗରିକ ମଞ୍ଚ ପକ୍ଷରୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ଚେତାବନୀ ଦିଆଯାଇଛି।

ମଂଚ ପକ୍ଷରୁ କୁହାଯାଇଛି ଯେ, ଗତ ୧୦ ତାରିଖ ଦିନ ସଦର ମୁଖ୍ୟ ଡାକ୍ତରଖାନାରେ ପରିବାରଙ୍କ ଅନୁରୋଧ କ୍ରମେ କୋଭିଡ ପରୀକ୍ଷା କରାଯାଇଥିଲା। କୋଭିଡ ଚିହ୍ନଟ ପରେ ଚିକିତ୍ସା ଯୋଗାଇ ନଦେବା ଏବଂ କୋଭିଡ ହସ୍‌ପିଟାଲକୁ ସ୍ଥାନାନ୍ତର ପାଇଁ ୪ ଘଣ୍ଟା ବିଳମ୍ବ କରାଯାଇଥିଲା। ଫଳରେ ଚିକିତ୍ସା ଅବହେଳା ପାଇଁ ଶିକ୍ଷକ ବିରେନ୍ଦ୍ର ପ୍ରତାପ ସିଂଙ୍କ ମୃତ୍ୟୁ ଘଟିଥିଲା।

publive-image

ମୃତ୍ୟୁ ପରେ ପରିବାର ଲୋକେ ଡାକ୍ତରଙ୍କ ଅବହେଳାକୁ ନେଇ ପ୍ରତିବାଦ କରିଥିଲେ। ଫଳରେ ଦୁଇ ପକ୍ଷରୁ ପାଟିତୁଣ୍ଡ ହୋଇଥିଲା। ଏହାକୁ ନେଇ ପରିବାର ଲୋକେ ଟାଉନ ଥାନା ଓ ସଦର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ ପକ୍ଷରୁ ଏକ ତରଫା ପଦକ୍ଷେପ ନେଇ ୧୪ଟି ଦଫା ସହିତ ୩୦୭ ମିଥ୍ୟ ଦଫା ଦେଇ ଦୁଇଭାଇ ଅଜୟ ରାଉତ ଓ ବିଜୟ ରାଉତଙ୍କୁ ଗିରଫ କରି ହାଜତକୁ ପଠାଇଛନ୍ତି । କୌଣସି ଡାକ୍ତରଙ୍କୁ ସେମାନେ ଜାଣି ନାହାନ୍ତି , କାହାକୁ ଦେଖି ନାହାନ୍ତି, କାହାକୁ ଆକ୍ରମଣ କରି ରକ୍ତାକ୍ତ କରିନାହାନ୍ତି। ତଥାପି ପୁଲିସର ୩୦୭ ମିଥ୍ୟା ଦଫା ଦେଇ ଦୁଇଭାଇଙ୍କୁ ଗିରଫ କରିବା ଦୁର୍ଭାଗ୍ୟଜନକ ଅଟେ। ମୃତ୍ୟୁ ପରେ ପରିବାର ଲୋକେ ଭାଙ୍ଗି ପଡିଥିବା ବେଳେ ଅନ୍ତେଷ୍ଟିକ୍ରିୟା ନ ସରୁଣୁ ମେଡ଼ିକାଲ ଓ ପୁଲିସ ପ୍ରଶାସନ ଏଭଳି ପଦକ୍ଷେପ ଆକ୍ରୋଶ ମୂଳକ ଅଟେ। ଡାକ୍ତରମାନେ ନିଜ ଦୋଷ ଲୁଚାଇବାକୁ ଯାଇ ଏଭଲି ଦମନ ଲୀଳା ଚଳାଇଛନ୍ତି ବୋଲି ମଂଚ ତରଫରୁ ଅଭିଯୋଗ ଅଣାଯାଇଛି।।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe