ନିଶା ଔଷଧ କାରବାରର ରାକେଟ ଠାବ: ୪୪୦୦ ବଟିକା ଓ ୫୦୦ ଇଞ୍ଜେକ୍‌ସନ ସହ ବାଇକ ଜବତ, ୨ଗିରଫ

ନିଶା ଔଷଧ କାରବାରର ରାକେଟ ଠାବ: ୪୪୦୦ ବଟିକା ଓ ୫୦୦ ଇଞ୍ଜେକ୍‌ସନ ସହ ବାଇକ ଜବତ, ୨ଗିରଫ

ବ୍ରଜରାଜନଗର: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୌରାଞ୍ଚଳ ତଥା ଏହାର ପାର୍ଶ୍ୱବର୍ତ୍ତୀ ଗ୍ରାମାଞ୍ଚଳରେ ନିଶା ବଟିକା ଓ ଇଞ୍ଜେକ୍‌ସନ୍‌ ଯୁବପିଢୀଙ୍କୁ କବଳିତ କରିବାରେ ଲାଗିଛି। ପୁଲିସ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ୪୪୦୦ ବଟିକା ଓ ୫୦୦ ଇଞ୍ଜେକ୍‌ସନ୍‌ ସହ ଏକ ବାଇକ୍‌ ଜବତ କରିଛି। ଏହି ବେଆଇନ କାରବାର ସହିତ ଜଡ଼ିତ ୨ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବିନୋଦ ସାହୁ ଓ ବିଜୟ କୁମାର ପାତ୍ର।

ରାତିରେ ବିଭିନ୍ନ କ୍ଳବ, ପୋଖରୀ ହୁଡା, ପଡ଼ିଆରେ କିଛି ଯୁବକ ଅଡ୍ଡା ଜମାଇ ନିଶା ସେବନ କରୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ଶୁଣିବାକୁ ମିଳୁଥିଲା।

ନିଶା ବଟିକା କରାବାର ନେଇ ଏସ୍‌ଡିପିଓ ଦିଲୀପ ଦାସ ଗୋଟିଏ ମାମଲାରୁ ସାମାନ୍ୟ ସୁରାକ ପାଇଥିଲେ। ଏହି କାରବାରରେ ସମ୍ପୃକ୍ତ ବେପାରୀମାନଙ୍କ ନିକଟକୁ ପହଂଚିବା ପାଇଁ କିଛି ଦିନ ହେବ ପ୍ରୟାସ ଚଳାଇ ଥିଲେ। ଏନେଇ ଓରିଏଣ୍ଟ ପୁଲିସ ପକ୍ଷରୁ ତୀକ୍ଷଣ୍‌ ନଜର ରଖି ଚଳାଇଥିବା ପ୍ରୟାସ ଗତକାଲି ସଫଳ ହୋଇଥିବା ଏସଡିପିଓ ଦିଲ୍ଲୀପ ଦାସ ଆଜି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ନିଶା କାରବାର ଅଭିଯୋଗରେ ଓରିଏଣ୍ଟ ଥାନା ଅନ୍ତର୍ଗତ ମଣ୍ଡାଳିଆ ଏଲସିଏଚ କଲୋନିରେ ରହୁଥିବା ବିନୋଦ ସାହୁ(୪୧) ଓ ରାଜଗାଙ୍ଗପୁର ଲିପଲୋଇର ବିଜୟ କୁମାର ପାତ୍ର(୨୭)କୁ ପୁଲିସ ଗିରଫ କରିଛି।

ପୁଲିସ ସୂତ୍ରରୁ ପ୍ରକାଶ ଗତକାଲି ଓରିଏଣ୍ଟ ଏସଅଇଏସ କେ କିଷାନ ନିଜ ଷ୍ଟାଫଙ୍କ ସହିତ ପେଟ୍ରୋଲିଂ କରୁଥିବା ସମୟରେ ମଣ୍ଡାଳିଆର ବିନୋଦ ସାହୁ ମଣ୍ଡାଳିଆଠାରେ ନିଶା ଜିନିଷ ବିକ୍ରି କରୁଥିବା ଖବର ଏକ ସୂତ୍ରରୁ ପାଇଥିଲେ। ସେ ବିଳମ୍ବ ନକରି ମଣ୍ଡାଳିଆ ଛକରେ ବିନୋଦକୁ ଦେଖି କାବୁ କରି ନେଇଥିଲେ। ତନଖି କରିବାରୁ ଗୋଟିଏ ପ୍ଲାଷ୍ଟିକ ବ୍ୟାଗରେ ଥିବା ୫୦୦ଟି ନିଶା ଇଞ୍ଜେକ୍‌ସନ୍‌ ତା ନିକଟରୁ ଜବତ କରିଥିଲେ। ବିନୋଦକୁ ଥାନାକୁ ଆଣି ଏସଡିପିଓ ଓ ଶ୍ରୀ ଦାସ ଓ ଆଇଆଇସି ବୈକୁଣ୍ଠ ସେଠ ପଚାରିବାରୁ ସେ ଏହି ଇଞ୍ଜେକସନ୍‌ ରାଜଗାଙ୍ଗପୁର ଲିପଲୋଇର ବିଜୟ ପାତ୍ର ଠାରୁ ଆଣୁଥିବା କହିଥିଲା। ବିଜୟର ସେଠାରେ ଏକ ପାତ୍ର ମେଡ଼ିସିନ ଷ୍ଟୋର ଥିବା ପୁଲିସିକୁ କହିଥିଲା।

ଘଟଣା ସମ୍ପର୍କରେ ଏସପିଙ୍କୁ ଜଣାଇବା ପରେ ତାଙ୍କ ନିର୍ଦେଶରେ ଆଇଆଇସି ବୈକୁଣ୍ଠ ସେଠ ପୁଲିସ ଫୋର୍ସ ସହିତ ରାଜଗାଙ୍ଗପୁର ପାତ୍ର ମେଡ଼ିସିନ ଷ୍ଟୋର ଉପରେ ଚଢାଉ କରି ୪୪୦୦ ନିଶା ଔଷଧ ସହିତ ଗୋଟିଏ ମେଡ଼ିକାଲ ସାର୍ଟିଫିକେଟ ଜବତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe