ବଜ୍ରକାପ୍ତା କାତି ଉଦ୍ଧାର, ୨ ଗିରଫ

ବଜ୍ରକାପ୍ତା କାତି ଉଦ୍ଧାର, ୨ ଗିରଫ

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ପୁଲିସ ଏବଂ ବନ ବିଭାଗ ତରଫରୁ ଚଢାଉ କରାଯାଇ ବଜ୍ରକାପ୍ତା କାତି ଉଦ୍ଧାର କରାଯିବା ସହ ୨ ଜଣ ଆସାମୀକୁ ଗିରଫ କରାଯାଇଛି। ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀ ଦେଇଥିବା ପ୍ରେସ ବିଜ୍ଞପ୍ତି ଅନୁସାରେ ବିଶେଷ ସୂତ୍ରରୁ ଖବର ପାଇ ବାଲିମେଳା ଏସଆଇ ରାଜେଶ କୁମାର ସେଠୀ ଏବଂ ବାଲିମେଳା ସେକ୍ସନର ଫରେଷ୍ଟର ଶିବାନନ୍ଦ ଲେଙ୍କାଙ୍କ ସମେତ ଏକ ଟିମ ଉସକାପାଲି ଏବଂ ଚିତାପାରୀ ଗ୍ରାମ ନିକଟରେ ପେଟ୍ରୋଲିଂ କରୁଥିଲେ। ଏଠାରେ ପେଟ୍ରୋଲିଂ କରୁଥିବା ସମୟରେ ଦୁରରୁ ଏକ ମଟର ସାଇକେଲ ଆସୁଥିବା ପୁଲିସ ଏବଂ ବନ ବିଭାଗ କର୍ମଚାରୀ ଦେଖିବାକୁ ପାଇଥିଲେ। ତୁରନ୍ତ ମଟର ସାଇକେଲକୁ ଅଟକାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ମଟର ସାଇକେଲଟି ଅଟକି ନଥିଲା। ପୁଲିସକୁ ଦେଖି ସେ ଅନ୍ୟ ପଟେ କ୍ଷୀପ୍ର ଗତିରେ ପଳାଇବାକୁ ଚେଷ୍ଟା କରୁଥିଲା। ତୁରନ୍ତ ପୁଲିସ ଏବଂ ବନ ବିଭାଗର କର୍ମଚାରୀମାନେ ଘେରିଯାଇ ମଟର ସାଇକେଲକୁ କାବି କରିବା ପରେ ଦୁଇ ଜଣଙ୍କ ଅଟକ ରଖି ପଚରାଉଚରା କରିଥିଲେ।

publive-image Sambad

ତେବେ ସେମାନେ ଏକ ବ୍ୟାଗରେ କିଛି ଜିନିଷ ନେଉଥିବା ଲକ୍ଷ୍ୟ କରାଯାଇଥିଲା। ପରେ ବ୍ୟାଗକୁ ଯାଞ୍ଚ କରିବାରୁ ସେଥିରେ ବଜ୍ରକାପ୍ତା କାତି ରହିଥିବା ଦେଖିବାକୁ ମିଳିଥିଲା। ଯାହାର ଓଜନ ୧ କିଲୋ ୯୦୦ ଗ୍ରାମ ଥିଲା। ଏହି ବଜ୍ରକାପ୍ତା କାତିକୁ ଚାଲାଣ କରୁଥିବା ଦୁଇ ବ୍ୟକ୍ତି ହେଲେ ଉସକାପାଲୀ ଗ୍ରାମର ଇର୍ମା ସୋଡି ଏବଂ ଗଂଗା ସୋଡି। ତୁରନ୍ତ ପୁଲିସ ବଜ୍ରକାପ୍ତା କାତି, ମଟର ସାଇକେଲ ଜବତ ସହ ଦୁଇ ଜଣଙ୍କୁ ବନ ବିଭାଗକୁ ହସ୍ତାନ୍ତର କରିଥିଲେ। ବନ ବିଭାଗ ଏନେଇ ଅଧିକା ତଦନ୍ତ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବୋଲି ଏସଡିପିଓ ଅଂଶୁମାନ ଦ୍ବିବେଦୀ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି ମାଲକାନଗିରି ଜଙ୍ଗଲରେ ବଜ୍ରକାପ୍ତାଙ୍କ ସଂଖ୍ୟା ସବୁଠାରୁ ଅଧିକା ଥିଲା। କିନ୍ତୁ ଆନ୍ତର୍ଜାତିକ ବଜାରରେ ଏହାର ମୂଲ୍ୟ ଅଧିକା ଥିବାରୁ ଶିକାରୀ ମାନେ ଏହାକୁ ଶିକାର କରିବାକୁ ପଛାଉ ନାହାଁନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe