କଦଳୀମୁଣ୍ଡାରେ ଆତଙ୍କ; ଘରେ ଘରେ ଜର, ଦୁଇ ମୁଣ୍ଡ ନେଲାଣି

କ୍ୱାକ୍ ଭରସାରେ ଚିକିତ୍ସା ସେବା

କଦଳୀମୁଣ୍ଡାରେ ଆତଙ୍କ; ଘରେ ଘରେ ଜର, ଦୁଇ ମୁଣ୍ଡ ନେଲାଣି

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ସଇନ୍ତଳା ବ୍ଲକ୍‌ ଟିକ୍ରାପଡ଼ା ପଞ୍ଚାୟତ କଦଳୀମୁଣ୍ଡା ଗାଁରେ ପ୍ରାୟ ପ୍ରତି ଘରେ ଲୋକେ ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି। ଗତ କିଛିଦିନ ହେଲା ଗାଁର ଶତାଧିକ ପୁରୁଷ ମହିଳା ଜ୍ୱର, କାଶ, ଥଣ୍ଡା ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଜ୍ବରରେ ଆକ୍ରାନ୍ତ ଥିବା ଦୁଇଜଣ ବ୍ୟକ୍ତିଙ୍କ ମୃତ୍ୟୁ ବି ଘଟିଲାଣି। ଏହାକୁ ନେଇ ଅଞ୍ଚଳରେ ଆତଙ୍କ ଦେଖାଦେଇଛି। ଅନ୍ୟ ଗାଁର ଲୋକେ ଏହି ଗାଁର ପାଖ ମାଡ଼ୁ ନାହାନ୍ତି। କେହିକେହି ଗାଁରେ କରୋନାର ଗୋଷ୍ଠୀ ସଂକ୍ରମଣ ହୋଇଥିବା ସନ୍ଦେହ କରୁଥିବା ବେଳେ ଆଉ କେହିକେହି ଅଜଣା ରୋଗ ବୋଲି କହୁଛନ୍ତି। ପ୍ରକୃତରେ ଏହା କୌଣସି ଭାଇରାଲ ଜ୍ୱର ନା ଆଉ କିଛି କାରଣ ପ୍ରଶାସନ ପକ୍ଷରୁ ତାହାର ଅନୁସନ୍ଧାନ କରାଯାଇନାହିଁ। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପାଖରେ ଏ ସଂପର୍କରେ କୌଣସି ସୂଚନା ସୁଦ୍ଧା ନାହିଁ। ଗାଁର ଲୋକେ କ୍ୱାକ୍ ଭରସାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି।

ସୂଚନା ପାଇବା ପରେ ଆମ ପ୍ରତିନିଧି ଗାଁକୁ ଯାଇ କିଛି ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ କହିବା ହେଲା, ଗାଁରେ ପ୍ରାୟ ୭୦ ପରିବାର ରହୁଛନ୍ତି। ୫୦ରୁ ଅଧିକ ପରିବାର ଭିତରେ ଜ୍ୱର ପଶିଛି। ସବୁ ଘରେ କେହି ନା କେହି ଜ୍ୱରରେ ଆକ୍ରାନ୍ତ ଅଛନ୍ତି। କିଛି ଘର ବୁଲିବାରୁ ଏହା ସ୍ପଷ୍ଟ ମଧ୍ୟ ଜଣାଡ଼ିଥିଲା। ଲୋକ ସଂଖ୍ୟା ୪୦୦ ଥିବା ବେଳେ ଶତାଧିକ ପୁରୁଷ ମହିଳା ଜ୍ୱର, କାଶ, ଥଣ୍ଡାରେ ଆକ୍ରାନ୍ତ। ପୂର୍ବରୁ ଗମନାଗମନ ଅସୁବିଧା କାରଣରୁ ଡାକ୍ତରଖାନା କେହି ସହଜରେ ଯାଆନ୍ତି ନାହିଁ। ଏଣୁ ଏଥର ବି ଜ୍ୱର ହେବାରେ କିଛି କ୍ୱାକ୍‌ ଗାଁକୁ ଯାଇ ଔଷଧତ୍ର ଦେଇଛନ୍ତି। ଏ ଦିଗରେ ପ୍ରଶାସନ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ଦାବି ହେଉଛି। ଏନେଇ ସିଡିଏମଓ ଡା. ଭୀମ ସାହୁଙ୍କୁ ପଚରାଯିବାରୁ ଆମ ପାଖରେ ସେପରି କିଛି ‌ରି‌ପୋର୍ଟ ନାହିଁ; ଯଦି ସେପରି ହୋଇଛି ନିଶ୍ଚିତ ଭାବେ ଦୃଷ୍ଟି ଦିଆଯିବ ବୋଲି ସେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe