ଡାବୁଗାଁ ଥାନା ଅଞ୍ଚଳରେ ଅଘଟଣ; ଶିଶୁ ସମେତ ଦୁଇ ଜଣ ପାଣିରେ ବୁଡି ମୃତ

ଡାବୁଗାଁ ଥାନା ଅଞ୍ଚଳରେ ଅଘଟଣ; ଶିଶୁ ସମେତ ଦୁଇ ଜଣ ପାଣିରେ ବୁଡି ମୃତ

Sambad

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ ଦୁଇଟି ହୃଦୟ ବିଦାରକ ଘଟଣା ଘଟିଛି। ଜଣେ ଯୁବକ ସୋମବାର ସନ୍ଧ୍ୟାରେ ନଦୀରେ ଗାଧୋଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ବେଳେ ୨୪ ଘଣ୍ଟା ମଧ୍ୟରେ ପୁଣି ଜଣେ ଦୁଇବର୍ଷର ଶିଶୁ କନ୍ୟା ଗୋଟିଏ ନଳକୂପରୁ ନିଷ୍କାସିତ ପାଣି କୁଣ୍ଡରେ ପଡି ମୃତ୍ୟୁ ବରଣ କରିଛି। ମୃତ୍ୟୁ ବରଣ କରିଥିବା ଦୁଇଜଣ ମଧ୍ୟରୁ ସାନ କଇଲାରି ଗ୍ରାମର ଯୁବକ ଅନିଲ ଗୁପ୍ତା (୩୩) ଓ ଡୁମୁଣିଗୁଡା ଗ୍ରାମର ଖଗପତି ଜାତିର ଦୁଇବର୍ଷର ଝିଅ ରିତା ଜାନି ବୋଲି ଜଣାପଡିଛି। ଏନେଇ ଡାବୁଗାଁ ପୁଲିସ ଦୁଇଟି ପୃଥକ୍ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି।

ସୂଚନା ଅନୁଯାୟୀ, ଡାବୁଗାଁ ଥାନା ଅନ୍ତର୍ଗତ ସାନ କୋଇଲାରିି ଗ୍ରାମର ଅନିଲ ଗୁପ୍ତା (୩୩) ଗତକାଲି ସୋମବାର ଅପରାହ୍ନ ୫ ଘଣ୍ଟା ସମୟରେ ନିକଟ ବେଲାରୀ ନଦୀରେ ଗାଧୋଇବା ପାଇଁ ବାହାରିଥିଲେ। ତେବେ ବହୁ ସମୟ ଧରି ସେ ଘରକୁ ନ ଫେରିବାରୁ ପରିବାର ଲୋକେ ବହୁ ସ୍ଥାନରେ ଖୋଜାଖୋଜି କରିଥିଲେ। ତେବେ ବେଲାରି ନଦୀ ଅନିଲ ଗୁପ୍ତାର ଶବ ଉପରେ ଭାସୁଥିବା ଗାଁ ଲୋକେ ଦେଖିଥିଲେ। ଶେଷରେ ଡାବୁଗାଁ ଅଗ୍ନିଶମ କର୍ମଚାରୀ ଆସି ଗତକାଲି ରାତ୍ର ୮.୩୦ ମିନିଟ ସମୟରେ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ଅନିଲ ଗୁପ୍ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ମୃତ ଅନିଲ ଗୁପ୍ତାର ପରିବାର ଲୋକେ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି କେଶ୍ ନଂ- ୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ।

ଆଜି ଶବ ବ୍ୟେବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ତଦନ୍ତକାରୀ ପୁଲିସ ଏଏସଆଇ ବିଜୟ କୁମାର ସାହୁ ପ୍ରକାଶ କରିଛନ୍ତି। ସେହିପରି ଆଜି ଅପରାହ୍ନ ୨ ଘଣ୍ଟା ସମୟରେ ଡାବୁଗାଁ ଥାନା ଅନ୍ତର୍ଗତ ଡୁମୁଣିଗୁଡ଼ା ଗ୍ରାମର ଖଗପତି ଜାତିର ଦୁଇ ବର୍ଷର ଶିଶୁ କନ୍ୟା ରିତା ଜାନି ଘର ନିକଟ ନଳକୂପ ପାଖରେ ଖେଳୁଥିଲା। ତେବେ ନଳକୂପ ନିକଟରେ ଥିବା ପାଣି ନିଷ୍କାସନ କୁଣ୍ଡରେ ଅସାବଧାନତା ବସତଃ ଖସି ପଡିଥିଲା। ଶିଶୁ କନ୍ୟାକୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ତାର କୌଣସି ଖବର ମିଳି ନ ଥିଲା। ଅପରାହ୍ନ ୩ ଘଣ୍ଟା ସମୟରେ ଘର ନିକଟରେ ଥିବା ନଳକୂପର ପାଣି ନିଷ୍କାସିତ କୁଣ୍ଡରେ ଶିଶୁ କନ୍ୟା ପାଣିରେ ବୁଡି ଅଚେତ ଥିବା ଦେଖିଥିଲେ। ତୁରନ୍ତ ଶିଶୁ କନ୍ୟାକୁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆଣି ଭର୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ସେଠାରେ ଶିଶୁ କନ୍ୟାକୁ ମୃତ ଘୋଷଣା କରିଥିଲେ। ଏ ନେଇ ମୃତ ଶିଶୁ କନ୍ୟାର ବାପା ଖଗପତି ଜାନି ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଥିବା ବେଳେ ଆସନ୍ତା କାଲି ଶବ ବ୍ୟେବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ତେବେ ଡାବୁଗାଁ ଥାନା ଅଞ୍ଚଳରେ ୨୪ ଘଣ୍ଟା ମଧ୍ୟରେ ଦୁଇ ଜଣ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ବେଳେ ଦୁଇଟି ଗ୍ରାମରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe