ଝାରସୁଗୁଡ଼ା: ଟ୍ରେଞ୍ଚ୍‌ରେ ପଡ଼ି ଓ ବିଦ୍ୟୁତ ଆଘାତରେ ୨ଟି ହାତୀଙ୍କ ମୃତ୍ୟୁ

ଝାରସୁଗୁଡ଼ା: ଟ୍ରେଞ୍ଚ୍‌ରେ ପଡ଼ି ଓ ବିଦ୍ୟୁତ ଆଘାତରେ ୨ଟି ହାତୀଙ୍କ ମୃତ୍ୟୁ

ଲଇକେରା: ଝାରସୁଗୁଡ଼ା ବନଖଣ୍ଡ ବାଗଡିହି ଫରେଷ୍ଟ ରେଂଜ ତେଲିଡିହି ରେଲେଓ୍ଵ ଫାଟକ ନିକଟରୁ ୩୦୦ ମିଟର ଦୂରରେ କେବୁଲ ପାଇଁ ଖୋଳା ଯାଇଥିବା ସଂକୀର୍ଣ୍ଣ ଗଭୀର ଗାତରେ ପଡ଼ି ଗତ ୨୨ ଦିନରେ ୩ଟି ହାତୀଙ୍କ ମୃତ୍ୟୁ ହେଲାଣି। ସୋମବାର ସକାଳେ ୨-୩ ମାସର ଏକ ହାତୀ ଉକ୍ତ ଗାତରେ ମରି ପଡ଼ିଥିବା ବେଳେ ସେଠାରୁ ମାତ୍ର କିଛି ଦୂର ୩୩ କେଭି ବିଦ୍ୟୁତ୍‌ ଖୁଣ୍ଟକୁ ଲାଗି ଆଉ ଏକ ମାଈ ହାତୀ ମରି ପଡ଼ିଥିଲା। ଏହି ହାତୀଟି ବିଦ୍ୟୁତ୍‌ ପ୍ରବାହିତ ହେଉଥିବା ଖୁଣ୍ଟରେ ଘଷି ହୋଇ ପ୍ରାଣ ହରାଇଛି। ମାଈ ହାତୀର ବୟସ ୧୫ରୁ ୨୦ ବର୍ଷ ହେବ। ବ୍ୟବଚ୍ଛେଦ କରିଥିବା ଦୁଇ ପ୍ରାଣୀ ଚିକିତ୍ସକଙ୍କ ମତ ଅନୁସାରେ ଉଭୟ ହାତୀ ବିଦ୍ୟୁତ୍‌ ଆଘାତରେ ପ୍ରାଣ ହରାଇଛନ୍ତି।

ତେବେ, ଛୁଆ ହାତୀଟି ଗାତରେ ପଡ଼ି ଯିବାରୁ ଓ ଉପରେ ମାଟି ଧସି ପଡ଼ିବାରୁ ତା’ର ମୃତ୍ୟୁ ହୋଇଥିବା ଘଟଣାସ୍ଥଳର ପାରିପାର୍ଶ୍ୱିକ ସ୍ଥିତି ଦ୍ୱାରା ଅନୁମାନ କରାଯାଉଛି। ଗତ ୧ ତାରିଖରେ ମଧ୍ୟ ସେହି ସମାନ ଗାତରେ ପଡ଼ି ୪-୫ ମାସର ହାତୀ ଛୁଆର ମୃତ୍ୟୁ ହୋଇଥିଲା। ଏହା ପରେ ମଧ୍ୟ ବନ ବିଭାଗ କିମ୍ବା ରେଳବାଇ କର୍ତୃପକ୍ଷ କୌଣସି ପଦକ୍ଷେପ ନେଇ ନଥିବାରୁ ପୁଣି ଦୁଇଟି ହାତୀର ଅକାରଣରେ ମୃତ୍ୟୁ ହୋଇଛି। ଏହି ପରିସ୍ଥିତିରେ ଏବେ ଆରମ୍ଭ ହୋଇଯାଇଛି ଉଭୟ ବିଭାଗ ମଧ୍ୟରେ କାଦୁଆ ଫିଙ୍ଗାଫିଙ୍ଗି।
publive-image

ରେଲେଓ୍ଵ ଲାଇନ ଅତିକ୍ରମ କରି ହାତୀ ପଲ ଯାତାୟାତ କରନ୍ତି। ଏହି ଲାଇନ୍‌ କଡ଼ରେ ବିଭାଗ ଏକ ଠିକା ସଂସ୍ଥାକୁ କେବୁଲ ବିଛାଇବା ପାଇଁ ନିୟୋଜିତ କରିଥିବା ବେଳେ ଗତ ପ୍ରାୟ ୨-୪ ମାସ ହେବ ଗାତଟି ଗଭୀର ଓଣଓସାରିଆ କରି ଖୋଲା ଛାଡ଼ି ଦିଆଯାଇଛି। ସୋମବାର ଭୋର ପ୍ରାୟ ୪ଟା ସମୟରେ ହାତୀ ପଲ ଉକ୍ତ ଚଲାପଥ ଅତିକ୍ରମ କରୁଥିବା ବେଳେ ଛୁଆ ହାତୀଟି ଗାତରେ ପଡ଼ି ଯାଇଥିଲା। ସେହିପରି ପାଖରେ ଥିବା ଉଚ୍ଚ କ୍ଷମତାସଂପନ୍ନ ବିଦ୍ୟୁତ୍‌ ତାର ସହ ସଂଲଗ୍ନ ଖୁଣ୍ଟରେ ବିଦ୍ୟୁତ୍‌ ପ୍ରବାହିତ ହେଉଥିଲା। ଯାହା କି ମାଈ ହାତୀର ଜୀବନ ନେଇଥିବା ବ୍ୟବଚ୍ଛେଦ ପରେ ଜଣାପଡ଼ିଛି। ବନ ବିଭାଗର ଅପାରଗତା ଓ ରେଳବାଇର ଦାୟିତ୍ୱହୀନତା ଉପରେ ଏହି ଘଟଣା ଅଂଗୁଳି ନିର୍ଦେଶ କରିଛି।

ଘଟଣାସ୍ଥଳରେ ଝାରସୁଗୁଡ଼ା ଡିଏଫଓ ସୁଶାନ୍ତ କୁମାର, ରେଂଜର ବଟକୃଷ୍ଣ ସେଠୀ, ଆଇଆଇସି ସାରଦା ପ୍ରସନ୍ନ ଦାସ, ଏଏସଆଇ ଅଗସ୍ତୀ ପ୍ରଧାନ, ବାଗଡିହି ଫାଣ୍ଡି ଅଧିକାରୀ ବଳରାମ ସାଗର ପ୍ରମୁଖ ପହଞ୍ଚିଥିଲେ। ହାତୀ ଦୁଇଟିର ଶବ ବ୍ୟବଚ୍ଛେଦ କରି ସେଠାରେ କର୍ମଚାରୀଙ୍କ ସହାୟତାରେ ପୋତି ଦିଆଯାଇଛି। ଲଇକେରା ଓ ବାଗଡିହିର ଦୁଇ ପ୍ରାଣୀ ଚିକିତ୍ସକ ଡା. ସଂଦୀପ ନାଏକ ଓ ଡା. ରବୀନ୍ଦ୍ର ହୋତା ବ୍ୟବଚ୍ଛେଦ କରିଥିଲେ। ଡିଏଫଓ କହିଛନ୍ତି, ଗାତ ଖୋଳିଥିବା ସଂସ୍ଥାକୁ ଚିଠି କରାଯାଇଛି। ଏ ବିଷୟରେ ତଦନ୍ତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe