Representative image
ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ଆଜି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ୫ ବର୍ଷ ବୟସର ଦୁଇ ଶିଶୁକନ୍ୟା ସାଙ୍ଗ ହୋଇ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଗଭୀର ପାଣିରେ ବୁଡ଼ି ଯାଇଛନ୍ତି। ଉଭୟଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେବା ଘଟଣା ଏଠାରେ ଚାଞ୍ଚଲ୍ୟ ଖେଳି ଯାଇଛି। ମୃତକ ହେଲେ ଅଞ୍ଚଳି ମାଝୀ। ଗୁରୁତର ସୁନିତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଥୁଆମୂଳ ରାମପୁର ବ୍ଲକ ପଡେପଦର ପଞ୍ଚାୟତ ଅନ୍ତର୍ଗତ ଦୁରେସପଦର ଗ୍ରାମର ଭୁର୍ଷା ମାଝୀଙ୍କ ଝିଅ ଅଞ୍ଜଳି ମାଝୀ ଓ ସୁବାସ ମାଝୀଙ୍କ ଝିଅ ସୁନିତା ମାଝୀ ଦୁହେଁ ସାଙ୍ଗ ହୋଇ ଦିନ ବେଳେ ନିଜ ଗାଁରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ଗଭୀର ପାଣିରେ ଉଭୟ ଅଞ୍ଜଳି ଓ ସୁନିତା ବୁଡି ଯାଇଥିଲେ। ଏହି ଦୁଇ ଶିଶୁ ବୁଡି ଯାଉଥିବା ଦେଖି ଜଣେ ଲୋକ ଦୌଡ଼ି ଆସି ଦୁଇଜଣଙ୍କୁ ଗଭୀର ପାଣିରୁ ଉଦ୍ଧାର କରିଥିଲେ। ପାଣିରୁ ଉଦ୍ଧାର ହେଲା ପରେ ଅଞ୍ଚଳିର ମୃତ୍ୟୁ ଘଟିଥିଲା। ଅନ୍ୟପଟେ ସୁନିତା ମାଝୀ ଗୁରୁତର ଥିବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସିତ କରାଯାଇଥିବା ଜଣା ପଡ଼ିଛି। ଏନେଇ ମହୁଲପାଟଣା ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ଜଣା ପଡିଛି।
Follow Us