ଶାଳବା ବାଲିଘାଟକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ନଦୀବନ୍ଧରେ ଟାୟାର ଜାଳି ଅବରୋଧ

ଶାଳବା ବାଲିଘାଟକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଯାଜପୁର/ପାଣିକୋଇଲି: ବ୍ୟାସନଗର ତହସିଲ ଓ ‌ପାଣିକୋଇଲି ଥାନା ଅଞ୍ଚଳରେ ବୈତରଣୀ ନଦୀଶଯ୍ୟାରେ ଚାଲିଥିବା ବେଆଇନ ବାଲିଘାଟକୁ ନେଇ ଦିନକୁ ଦିନ ଆଇନଶୃଙ୍ଖଳା ବିଗିଡ଼ିବାରେ ଲାଗିଛି। ମୂଳାପାଳ ପଞ୍ଚାୟତ ବୈତରଣୀ ନଦୀର ଶାଳବା ବାଲିଘାଟକୁ ନେଇ ଆଜି ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଭାରୀଯାନରେ ଓଦାବାଲି ପରିବହନକୁ ସ୍ଥାନୀୟ ଲୋକ ବିରୋଧ କରି ଗାଡ଼ିଗୁଡ଼ିକୁ ଅଟକ ରଖିବା ସହିତ ନଦୀବନ୍ଧରେ ଆଜି ସଂଧ୍ୟାରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି। ବାଲି ଚାଲାଣକାରୀ ଏବଂ ବିରୋଧୀ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ପାଣିକୋଇଲି ଥାନା ପୁଲିସ ସେଠାରୁ ଚାଲିଆଯାଇଥିଲା। ପୁଲିସ ପଳାୟନ ପରେ ବାଲି ବେପାରୀ ‌ପଛଘୁଞ୍ଚା ଦେଇଛନ୍ତି।

ଶାଳବା ବାଲିଘାଟରୁ ଭାରୀଯାନରେ ବାଲି ପରିବହନକୁ ବିରୋଧ କରି ସରସଦା ଗ୍ରାମବାସୀ ଗତ ୭ତାରିଖ ରାତିରେ ପ୍ରାୟ ୨୦ରୁ ଅଧିକ ହାଇୱାକୁ ଅଟକ ରଖିଥିଲେ। ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପୁଲିସ ପହଞ୍ଚିଥିଲେ ମଧ୍ୟ ଗ୍ରାମବାସୀ ଜିଦରେ ଅଟଳ ରହିଥିଲୋ। ଏହାପରେ ଗତ ୮ତାରିଖ ବ୍ୟାସନଗର ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକ, ପ୍ରାକ୍ତନ ପାଣିକୋଇଲି ଥାନାଧିକାରୀ ଚିନ୍ମୟୀ ବେହେରା ପ୍ରମୁଖ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଲିଜ୍‌ଧାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ଏବଂ ରାସ୍ତା ମରାମତି ପରେ ବାଲିଗାଡ଼ି ଚାଲିବ କି ନାହିଁ ନିଷ୍ପତ୍ତି ହେବ ବୋଲି ଶ୍ରୀ ମଲ୍ଲିକ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ଅଟକାଇଥିବା ହାଇୱାଗୁଡିକୁ ଛାଡିଥିଲେ। ତେବେ କୌଣସି ଆଲୋଚନା ନକରି ଆଜି ଲିଜ୍‌ଧାରୀଙ୍କ ପକ୍ଷରୁ ପୁଣି ବାଲିଗାଡ଼ି ଚଳାଚଳ କରିବାରୁ କିଛି ଲୋକ ବିରୋଧ କରିଥିଲେ। ଏହାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ମୁହାଁମୁହଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଉଭୟ ପକ୍ଷ ଠେଙ୍ଗାବାଡ଼ି ଧରି ନଦୀବନ୍ଧ ରାସ୍ତାରେ ପହଞ୍ଚିଥିଲେ। ସପକ୍ଷବାଦୀ ବାଲିଗାଡ଼ି ଚଳାଇବାକୁ ଜିଦ୍ ଧରିଥିବା ବେଳେ ବିପକ୍ଷ ଗୋଷ୍ଠୀ ଗାଡ଼ି ନଛାଡିବା ଜିଦରେ ରହିଛନ୍ତି। ପରିସ୍ଥିତି ଉପରେ ପୁଲିସ ନଜର ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe